ଭୁବନେଶ୍ୱର: ସଂପ୍ରତି ରାଜ୍ୟରେ ବନ୍ୟାକୁ ସ୍ଥିତିକୁ ନଜରରେ ରଖି ରାଜ୍ୟର ଦୁଇଟି ଜିଲ୍ଲାର ସ୍କୁଲକୁ ଦୁଇ ଦିନ ଲାଗି ବନ୍ଦ କରିଦିଆଯାଇଛି। ଏହି ଦୁଇଟି ଜିଲ୍ଲା ଜଗତସିଂହପୁର ଓ ନୟାଗଡ ବୋଲି ଜଣାପଡିଛି। ଜଗତସିଂହପୁର ଜିଲ୍ଲାର ଜିଲ୍ଲାପାଳ ପାରୁଲ ପଟ୍ଟୱାରୀ ସମସ୍ତ ବିଇଓମାନଙ୍କୁ ଚିଠି ମାଧ୍ୟମରେ ଅବଗତ କରାଇଛନ୍ତି। ସ୍କୁଲରେ ବନ୍ୟାପାଣି ପଶି ଯିବାର ଆଶଙ୍କା କରି ଜିଲ୍ଲା ପ୍ରଶାସନ ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇଛି। ସ୍କୁଲ ଆସବାବପତ୍ର, ମଧ୍ୟାହ୍ନ ଭୋଜନ ପ୍ରଭୃତିକୁ ସୁରକ୍ଷିତ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ସେପଟେ ମହାନଦୀରେ ଜଳସ୍ତର ବଢୁଥିବାରୁ ତଳିଆ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି। ଜିଲ୍ଲାର ତଳିଆ ଅଞ୍ଚଳର ଲୋକଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ଜଗତସିଂପୁର ଜିଲ୍ଲାର ତିର୍ତ୍ତୋଲ ଓ କୁଜଙ୍ଗ ବ୍ଲକର ତଳିଆ ଅଞ୍ଚଳର ୬ ଶହ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି।
ସେହିପରି ନୟାଗଡ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାର ୩୨ ସ୍କୁଲକୁ ବନ୍ଦ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଦୁଇ ଦିନ ସ୍କୁଲ ବନ୍ଦ ରଖିବାକୁ ଜିଲ୍ଲାପାଳ ପୋମା ଟୁଡୁ ନିର୍ଦ୍ଦେଶ ଦେଇଛନ୍ତି। ଭାପୁର ବ୍ଲକରେ ୧୨, ଗଣିଆରେ ୧୧ ଓ ଖଣ୍ଡପଡାରେ ୯ଟି ସ୍କୁଲକୁ ବନ୍ଦ ଲାଗି ନିଷ୍ପତ୍ତି ନିଆଯାଇଛି। ଲଗାଣ ବର୍ଷା କାରଣରୁ ଦଶପଲ୍ଲା ବ୍ଲକର ଫାଲପାଜୁ ଓ ଦୁଡା ମୁଖ୍ୟରାସ୍ତା ଧୋଇ ହୋଇ ଯାଇଥିବାରୁ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ଦୁର୍ଦ୍ଦଶା ବୃଦ୍ଧି ପାଇଛି। ଗାଁକୁ ଭଲ ରାସ୍ତା ଖଣ୍ଡେ ନଥିବାବେଳେ ୩ ବର୍ଷ ତଳେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ରାସ୍ତାଟି ନିର୍ମାଣ ହୋଇଥିଲା। ଗତ ୭ ତାରିଖରୁ ଲଘୁଚାପ ଜନିତ ବର୍ଷା କାରଣରୁ ରାସ୍ତା ଘାଇ ସୃଷ୍ଟି ହୋଇଛି। ଯାହାକୁ ନେଇ ଦୁଡା, କଳସାଖମଣ, ନୂଆଗାଁ ଏବଂ ଚଡେୟାପଲ୍ଲୀ ପଞ୍ଚାୟତରେ କୁରୁଡାଙ୍ଗି, ଜରକିବାଡି, ଦୁଡା, ମିଟିଗାଡୁ ପ୍ରମୁଖ ଅଞ୍ଚଳରେ ଜଳାର୍ଣ୍ଣବ ସୃଷ୍ଟି ହୋଇଛି।
previous post