ଭୁବନେଶ୍ୱର/ଶିଳାସ୍ମିତା ରାୟ: କ୍ରୀଡା କ୍ଷେତ୍ରରେ ରାଜ୍ୟ ସୁନାମ ଅର୍ଜନ କରି ଆସୁଛି । ଏଥିନେଇ ରାଜ୍ୟ ସରକାର କ୍ରୀଡା ଓ କ୍ରୀଡାବିତ୍ଙ୍କୁ ପ୍ରାଧାନ୍ୟ ଦେଉଥିବା ପ୍ରଚାର କରୁଛନ୍ତି । କିନ୍ତୁ କହିବା ଓ କରିବାରେ ରହିଛି ଆକାଶ ପାତାଳ ଫରକ । ଯାହା ତନୁଜା ବେଗଙ୍କ କ୍ଷେତ୍ରରେ ସ୍ପଷ୍ଟ ପ୍ରତିଫଳିତ ହୋଇଛି । ତନୁଜା ଜାତୀୟ ମହିଳା ଫୁଟବଲରେ କୃତିତ୍ୱର ସହ ଖେଳି ଆସିଥିଲେ ମଧ୍ୟ କ୍ରିଡାରୁ ବାଦ ପଡିବା ପରେ ବହୁ ଦୁର୍ଦ୍ଦିନ ଦେଇ ଗତିକରିଛନ୍ତି । ଜଣେ ଜାତୀୟ କ୍ରିଡାବିତ୍ ହୋଇ ମଧ୍ୟ ତାଙ୍କୁ ଚରାଇବାକୁ ପଡିଥିଲା ଛେଳି । ନିଜର ତଥା ନିଜ ପରିବାରର ପେଟ ପୋସିବାକୁ ସେ ଗାଁ ଲୋକଙ୍କ ଛେଳି ଚରାଇବାକୁ ବାଧ୍ୟ ହୋଇଥିଲେ । ତେବେ ଖୁସି ଖବର ଗଣମାଧ୍ୟମର ହସ୍ତକ୍ଷେପ ପରେ ଏବେ ତନୁଜାଙ୍କୁ ମିଳିଛି ଚାକିରି ।
ଝାରଗୁଡା ଜିଲ୍ଲା ଦେବଡିହି ଗାଁର ଏକ ଆଦିବାସୀ ଗରିବ ପରିବାରରେ ତନୁଜାଙ୍କ ଜନ୍ମ । କିନ୍ତୁ ପିଲାଟି ଦିନରୁ ତାଙ୍କର କ୍ରୀଡା ପ୍ରତି ଥିଲା ଦୁର୍ବଳତା । ସେ ଫୁଟବଲରେ ତାଙ୍କ ଦକ୍ଷତା ପ୍ରତିବାଦନ କରି ବେଦାନ୍ତର ନଜରକୁ ଆସିଥିଲେ । ବେଦାନ୍ତର କର୍ପୋରେଟ ସୋସିଆଲ ରେସ୍ପନ୍ସବିଲିଟି ପ୍ରୋଗ୍ରାମରେ ସେ ୨୦୦୩ରେ ତାଲିମ ପାଇଁ ସୁଯୋଗ ପାଇଲେ । ମାତ୍ର ୧୪ ବର୍ଷ ବୟସରେ ତନୁଜା ଓଡିଶା ମହିଳା ଫୁଟବଲ ଦଳରେ ଗୋଲ କପରର ଭାବେ ସ୍ଥାନ ପାଇଥିଲେ । ସେ ବିହାର, ଛତିଶଗଡ, ଝାରଖଣ୍ଡ ଓ ବଙ୍ଗାଲ ବିପକ୍ଷରେ ଖେଳି ଥିଲେ ଓ ଅନେକ ଟ୍ରଫି, ମେଡାଲ ଓ ସାର୍ଟିଫିକେଟ ସାଉଁଟି ନେଇଥିଲେ ନିଜ ନାମରେ । ଅନ୍ତର୍ଜାତୀୟ ସ୍ତରରେ ନେପାଳ ବିପକ୍ଷରେ ମଧ୍ୟ ଖେଳି ତାଙ୍କ ଗୋଲ କିପିଂରେ ଭାରତ ବିଜୟ ହାସଲ କରିଥିଲା । ଏତେ ସବୁ ସଫଳତା ପରେ ମଧ୍ୟ ତାଙ୍କୁ ନାଁ ସରକାରୀ ନାହିଁ କୌଣସି ଘରୋଇ ସଂସ୍ଥାରେ ଚାକିରିଟିଏ ମିଳିଥିଲା । ଶେଷରେ ସେ ୨୦୧୧ରେ ଖେଳରୁ ଅବସର ନେଇଥିଲେ । ସେତେବେଳେ ତାଙ୍କୁ ଝାରସୁଗୁଡା ପୁଲିସ ପକ୍ଷରୁ ହୋମଗାର୍ଡର ଚାକିରି ଖଣ୍ଡିଏ ମିଳିଥିଲା । କିନ୍ତୁ ସେହି ରୋଜଗାର ତାଙ୍କ ପରିବାର ପ୍ରତିପୋଷଣରେ କୌଣସି ସହଯୋଗ କରି ପାରି ନ ଥିଲା । ତେଣୁ ବାଧ୍ୟହୋଇ ସେ ସେହି ଚାକିରି ଛାଡିଥିଲେ । ଏହାପରେ ଝାରସୁଗୁଡାର ଏକ ସ୍କୁଲରେ ଫୁଟବଲ ଟ୍ରେନର ଭାବେ ତାଙ୍କୁ ଚାକିରିଟିଏ ମିଳିଥିଲା । କିନ୍ତୁ ସେହି ଚାକିରି ମଧ୍ୟ ସେ ଛାଡିଥିଲେ । କାରଣ ତାଙ୍କୁ ୮ ହଜାର ଟଙ୍କା ଦରମା ଦେବାକୁ କୁହାଯାଇଥିଲେ ମଧ୍ୟ ମାତ୍ର ୩ ହଜାର ଟଙ୍କା ଦିଆଯାଇଥିଲା । ୩ ହଜାର ଟଙ୍କା ପାଇଁ ଘରେ ଛୋଟଛୋଟ ଦୁଇ ପିଲାଙ୍କୁ ଛାଡି ତାଙ୍କୁ ୧୫ କିଲୋମିଟର ସାଇକେଲରେ ଗାଁରୁ ସ୍କୁଲ ଯିବାକୁ ହେଉଥିଲା ।
ଏହାପରେ ସେ ଚାକିରିର ଆଶା ଛାଡିଦେଇଥିଲେ ।କାରଣ ଏକାଧିକ ଦରଖାସ୍ତ ପରେ ମଧ୍ୟ ରାଜ୍ୟ ସରକାର ବା ଜିଲ୍ଲା ପ୍ରଶାସନ ତାଙ୍କୁ ଏକ ସମ୍ମାନଜନକ ଓ ଉଚ୍ଚ ବେତନର ଚାକିରି ଖଣ୍ଡିଏ ଯୋଗାଇ ପାରି ନ ଥିଲେ । ଜିଲ୍ଲା, ରାଜ୍ୟ ତଥା ଦେଶ ପାଇଁ ଗୋଲ କିପିଙ୍ଗ କରି ଏକାଧିକ ସଫଳତା ହାସଲ କରିଥିଲେ ମଧ୍ୟ ତାଙ୍କ ପରିବାର ବର୍ଗଙ୍କ ପେଟ ଅପୋଷା ରହିଯାଉଥିଲା । ସ୍ୱାମୀ ତାଙ୍କର ଜଣେ ଦିନ ମଜୁରିଆ ହୋଇଥିବାରୁ ତାଙ୍କ ହାତ ବଟେଇବାକୁ ସେ ପର ଘରେ ବାସନ ମଜା, ଛେଳି ଚରାଇବା କାମ କରିଥିଲେ । ଗାଁ ଲୋକଙ୍କ ଛେଳି ନେଇ ଚରାଇ ଯାହା ରୋଜଗାର କରୁଥିଲେ ସେଥିରେ ପରିବାର ଚଳାଉଥିଲେ । ତନୁଜାଙ୍କ ଏହି ସଂଘର୍ଷକୁ ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରସାରଣ ହୋଇଥିଲା । ସରକାରଙ୍କ କ୍ରୀଡା ପ୍ରିତିକୁ ନେଇ ଚର୍ଚ୍ଚା ହୋଇଥିଲେ । ଗଣହାଧ୍ୟମର ହସ୍ତକ୍ଷେପ ପରେ ଶେଷରେ ତନୁଜାଙ୍କୁ ବେଦାନ୍ତର ସହଯୋଗୀ ଜେଏମଡି କମ୍ପାନୀରେ ଚାକିିରି ମିଳିଛି । ଜେ ଏମ ଡି ସର୍ଭିସ ପ୍ରାଇଭେଟ ଲିମିଟେଡ ପକ୍ଷରୁ ତାଙ୍କୁ ମାସିକ ୨୦ ହଜାର ଟଙ୍କା ଦରମାରେ ଚାକିରି ମିଳିଛି । ଝାରସୁଗୁଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ତନୁଜାଙ୍କୁ ଜିଲ୍ଲାପାଳ ସରୋଜ ସାମଲ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି । ଏହି ନିଯୁକ୍ତ ପତ୍ର ପ୍ରଦାନ ଅବସରରେ ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ, ଜିଲ୍ଲା କ୍ରୀଡା ଅଧିକାରୀ ସୁଶୀଲ କୁମାର ମିଶ୍ରଙ୍କ ସମେତ ବେଦାନ୍ତର ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ଥିଲେ । ତନୁଜା ଆସନ୍ତା ଏକ ତାରିଖରୁ କମ୍ପାନୀର କ୍ରୀଡା ସମନ୍ୱୟ ଅଧିକାରୀ ଭାବେ ଯୋଗଦେବେ । ଆଶା ତନୁଜାଙ୍କ ଆଗାମୀ ଦିନ ସୁଖ ଶାନ୍ତିରେ ଅତିବାହିତ ହେବ ।
previous post
