ଓଡିଶା

ବାଚସ୍ପତିଙ୍କ ଅଧକ୍ଷତାରେ ଆଜି ବସିବ ସର୍ବଦଳୀୟ ବୈଠକ

ଭୁବନେଶ୍ୱର : ଆସନ୍ତା ମାର୍ଚ୍ଚ ୨୫ରୁ ଆରମ୍ଭ ହେବ ବିଧାନସଭା ବଜେଟ ଅଧିବେଶନ । ଏହା କିପରି ସୂଚାରୁ ରୂପେ ସବୁଦଳର ନେତୃବୃନ୍ଦଙ୍କ ସହଯୋଗ ଓ ସହଭାଗିତାରେ ସମ୍ପାଦିତ ହେବ ସେ ସମ୍ପର୍କରେ ବିଶଦ ଆଲୋଚନା ପାଇଁ ବିଧାନସଭାର ବାଚସ୍ପତି ଡ. ସୂର୍ଯ୍ୟନାରାୟଣ ପାତ୍ର ଏକ ସର୍ବଦଳୀୟ ବୈଠକ ନିମନ୍ତେ ଆହ୍ୱାନ ଦେଇଛନ୍ତି । ମାର୍ଚ୍ଚ ୨୫ରୁ ମାର୍ଚ୍ଚ ୩୧ ଯାଏଁ ଚାଲିବ ବଜେଟ ଅଧିବେଶନ । ବଜେଟ ଅଧିବେଶନରେ ମୋଟ ୬ଟି କାର୍ଯ୍ୟ ଦିବସ ରହିବ । ଅଧିବେଶନକୁ ସୁରୁଖୁରୁରେ ପରିଚାଳନା ପାଇଁ ଆଜି ସର୍ବଦଳୀୟ ବୈଠକ ଡାକିଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ।

ମାର୍ଚ୍ଚ ୩୦ ତାରିଖରେ ଅର୍ଥ ଓ ଅବକାରୀ ମନ୍ତ୍ରୀ ନିରଞ୍ଜନ ପୂଜାରୀ ୨୦୨୨/୨୩ ଆର୍ଥିକ ବର୍ଷ ପାଇଁ ରାଜ୍ୟ ବଜେଟ୍ ଉପସ୍ଥାପନ କରିବେ ଏବଂ ମାର୍ଚ୍ଚ ୩୧ ତାରିଖରେ ଭୋଟ ଅନ୍ ଆକାଉଣ୍ଟ ସଂକ୍ରାନ୍ତୀୟ ବ୍ୟୟମଞ୍ଜୁରୀ ବିଲ୍ ପାରିତ ହେବ । ଆଦି ସମ୍ପର୍କରେ ସର୍ବଦଳୀୟ ବୈଠକରେ ଆଲୋଚନା କରାଯିବ ବୋଲି ବାଚସ୍ପତି ଡ. ପାତ୍ର କହିଛନ୍ତି । ତେବେ ପୂର୍ବାହ୍ନ ସାଢେ ୧୧ଟାରେ ବିଧାନସଭାର ୫୯ ନମ୍ବର ପ୍ରକୋଷ୍ଠରେ ବୈଠକ ଅନୁଷ୍ଠିତ ହେବ । ସାଧାରଣତଃ ବିଧାନସଭା ଆରମ୍ଭ ହେବାର ୨ ଦିନ ପୂର୍ବରୁ ବସିଥାଏ ସର୍ବଦଳୀୟ ବୈଠକ ।

କିନ୍ତୁ ପୌର ନିର୍ବାଚନରେ ବିଧାୟକମାନେ ବ୍ୟସ୍ତ ରହୁଥିବାରୁ ବିଧାନସଭା ଅଧିବେଶନର ୧୦ ଦିନ ପୂର୍ବରୁ ଡକାଯାଇଛି ବୈଠକ । ଅଧିବେଶନ କାଳରେ ପ୍ରଶ୍ନକାଳ, ଶୂନ୍ୟକାଳ, ମୁଲତବୀ ପ୍ରସ୍ତାବ ଆଦି ରହିବ । ପ୍ରଥମ ଦିନ ଗୃହକୁ ସମ୍ବୋଧନ କରିବେ ରାଜ୍ୟପାଳ ପ୍ରଫେସର ଗଣେଷୀ ଲାଲ୍ । ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଦୁଇ ଦିନ ଧରି ଆଲୋଚନା ହେବ । ୩୦ ତାରିଖରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଗୃହରେ କାମଚଳା ବଜେଟ ଆଗତ କରିବେ । ୩୧ ତାରିଖରେ ବଜେଟ ପାରିତ ପାଇଁ ଆସିବ ବ୍ୟୟ ମଂଜୁରୀ ବିଲ୍ ।

Related posts

ରୁଷ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟଣାର ଦ୍ୱିତୀୟ ଦିନରେ ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ

mahabharatanews

ମୁମ୍ବାଇ ପୁଲିସର ୨୫୦ ଜଣ ସଂକ୍ରମିତ

mahabharatanews

 ଆଜିଠୁ ଆରମ୍ଭ ହେବ ପହିଲି ଭୋଗ ନୀତି

mahabharatanews