ନୂଆଦିଲ୍ଲୀ: ସମଗ୍ର ଦେଶରେ ବିଜେପି ଏବେ କିରୋସିନି ବିଞ୍ଚିବାରେ ଲାଗିପଡିଛି । ନିଆଁ ଲାଗିବାକୁ ଦିଆସିଲର ଆବଶ୍ୟକ । ତେଣୁ ଭାରତର ସ୍ଥିତି ଭଲ ନଥିବାରୁ ଦେଶବାସୀ ସମସ୍ୟା ଭିତରକୁ ଠେଲି ହୋଇଯିବେ । ଲଣ୍ଡନ ସ୍ଥିତ କେମ୍ବ୍ରିଜ ବିଶ୍ୱବିଦ୍ୟାଳୟରେ ଆୟୋଜିତ ଆଇଡିଆଜ ଫର ଇଣ୍ଡିଆ ସମ୍ମିଳନୀରେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏହା ପ୍ରକାଶ କରିବା ସହ ବିଜେପିର ସଂଘୀୟ ବିଚାରଧାରାକୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି ।
ବିଜେପି ଓ ଆରଏସଏସ ଭାରତ ବର୍ଷକୁ ଭୌଗଳିକ ଦୃଷିକୋଣରେ ଦେଖୁଛି ବୋଲି ଅଭିଯୋଗ କରିଛନ୍ତି ରାହୁଲ । ତେଣୁ ଏହି ନିଆଁ ଲାଗିବା ପୂର୍ବରୁ ପ୍ରଶମିତ କରିବାକୁ ପଡିବ । ଦେଶବାସୀ ଏବଂ ବିରୋଧୀ ଦଳର ସ୍ୱରକୁ ଚପାଇ ଦେବା ଲାଗି ବିଜେପି ଚେଷ୍ଟା କରୁଛି । ତେଣୁ ଦେଶବାସୀଙ୍କୁ ଆଗାମୀ ବିପଦରୁ ଉଦ୍ଧାର କରିବା ପାଇଁ କଂଗ୍ରେସ ପୁଣି ଥରେ ଭାରତକୁ ପାଇବା ପାଇଁ ଚେଷ୍ଟା କରୁଛି । କଂଗ୍ରେସ ଏକ ସ୍ୱର୍ଣ୍ଣିମ ଭାରତର ସ୍ୱପ୍ନ ଦେଖିଛି । ଯାହା ପାଇଁ ଦଳ ଆଜି ପର୍ଯ୍ୟନ୍ତ ସଂଘର୍ଷ ଜାରି ରଖିଛି ।
କଂଗ୍ରେସ ଦେଶବାସୀଙ୍କ କଥା ଶୁଣିବାକୁ ଚେଷ୍ଟା କରୁଥିବା ବେଳେ ବିଜେପି ଏହାକୁ ଚପାଇ ଦେବାକୁ ସବୁବେଳେ ଚେଷ୍ଟା କରୁଛି । ଏଥିସହ ଭାରତକୁ ସୁଦୃଢ଼ କରିବାକୁ ଯେଉଁ ସଂସ୍ଥା ଚେଷ୍ଟା କରୁଛି, ବିଜେପି ସେମାନଙ୍କ ଉପରେ ଆକ୍ରମଣାତ୍ମକ ମନୋଭାବ ପୋଷଣ କରୁଛି । ଏପରିକି ଚୀନର ବିସ୍ତାରବାଦ ପ୍ରସଙ୍ଗରେ ମଧ୍ୟ ବିଜେପିକୁ ଟାର୍ଗେଟ କରିଛନ୍ତି ରାହୁଲ ଗାନ୍ଧୀ । ପୁଣି ବିଜେପି ସରକାରରେ ଦେଶରେ ବେରୋଜଗାରୀ ବୃଦ୍ଧି ପାଇଛି । ତେଣୁ ଦେଶକୁ ଧ୍ୱଂସ କରିବା ଲାଗି ବିଜେପି ଯେପରି ଚାରିଆଡେ କିରୋସିନି ଛିଞ୍ଚିବାରେ ଲାଗିଛି ତାହା ଦେଶପାଇଁ ବହୁତ କ୍ଷତିକାରକ ବୋଲି ସମ୍ମିଳନୀରେ ରାହୁଲ କହିଛନ୍ତି ।