ଭୁବନେଶ୍ୱର: ଆଜି ମେୟର ଓ ପୌରାଧ୍ୟକ୍ଷ ନିର୍ବାଚନର ଫଇସଲାର ଦିନ । କିଏ ବାଜି ହାତେଇବ ଏବଂ କାହା ହାତକୁ ଶାସନ କ୍ଷମତା ଯିବ, ସେ ନେଇ ଚାଲିଛି ଭାଗ୍ୟ ପରୀକ୍ଷା । ତେବେ ବର୍ତ୍ତମାନର ଟ୍ରେଣ୍ଡ ଅନୁଯାୟୀ ବିଭିନ୍ନ ସ୍ଥାନର ଆସନରେ ବିଜେଡି ଯଥେଷ୍ଟ ଆଗୁଆ ରହିଥିବା ସମୟରେ ବିରୋଧୀ ପଛରେ ରହିଯାଇଛନ୍ତି। ଏବେର ଟ୍ରେଣ୍ଡ ଅନୁଯାୟୀ ଭୁବନେଶ୍ୱର ମହାନଗର ନିର୍ବାଚନରେ ୬୪୦ଟି ଆସନରେ ବିଜେଡି ଆଗୁଆ ରହିଥିବାବେଳେ ବିଜେପି ୩୬୬ ଆସନ ଏବଂ କଂଗ୍ରେସ ୧୪ଟି ସିଟ୍ ହାସଲ କରିଛି ।
ସେହିପରି କଟକ ମହାନଗର ନିଗମରେ ମଧ୍ୟ ଭୋଟ ଗଣତି ଆରମ୍ଭ ହୋଇଛି । କଟକରେ ବିଜେଡି ଓ କଂଗ୍ରେସ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳୁଛି । ସିଲଭର ସିଟିରେ ବିଜେଡି ପ୍ରାର୍ଥୀ ସୁବାସ ସିଂ ୮,୧୯୬ ଭୋଟରେ ଆଗୁଆ ରହିଥିବା ସମୟରେ କଂଗ୍ରେସ ପ୍ରାର୍ଥୀ ଗିରିବାଳା ବେହେରା ୭୮୫୦ ଭୋଟରେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ତେବେ ଏଠାରେ ବିଜେପି ପ୍ରାର୍ଥୀ ଶ୍ରୀତମ ଦାସଙ୍କ କ୍ଷେତ୍ରରେ କିନ୍ତୁ ବାଜି ପୁରାପୁରି ବଦଳିଯାଇଛି ।ସେ ୩୪୯୪ ଭୋଟରେ ବହୁ ପଛରେ ରହିଛନ୍ତି ।
ଆଜି ଚାଲିଛି ପୌର ଭୋଟ ଗଣତି । ସକାଳ ଆରମ୍ଭ ହୋଇଥିବା ଗଣତିରେ ବିଜେଡି ଆଗୁଆ ରହିଛି । ରାଜ୍ୟର ଅଧିକାଂଶ ଏନ୍ଏସି, ପୌରାଅଞ୍ଚଳରେ ଆଗରେ ରହିଛି ବିଜେଡି । ତେବେ ଏବେ ସୁଦ୍ଧା ୧୦୮ ପୌରଧ୍ୟକ୍ଷ ଆସନ ମଧ୍ୟରୁ ୭୩ଟିରେ ବିଜେଡି ଆଗୁଆ ଥିବା ବେଳେ ବିଜେପି ୧୭ଟିରେ ଏବଂ କଂଗ୍ରେସ ୭ଟିରେ ରହିଛନ୍ତି । ସେହିପରି ଅନ୍ୟାନ୍ୟ ଦଳ ୯ଟି ସ୍ଥାନରେ ଆଗୁଆ ରହିଛନ୍ତି ।
ଅନ୍ୟପକ୍ଷେ ଭଦ୍ରକ ଜିଲ୍ଲାର ନବଗଠିତ ଧାମନଗର ଏନଏସିରେ ଭୋଟ ଗଣତି ହୋଇ ନାହିଁ । ୬ଟି ଓ୍ୱାର୍ଡରେ ପୁନଃ ମତଦାନ ହେବାକୁ ଥିବାରୁ ଏଠାରେ ଭୋଟ ଗଣତି ସ୍ଥଗିତ ରଖାଯାଇଛି । ପୌର ପରିଷଦରେ ୫ଟି ଟେବୁଲ ଏବଂ ମହାନଗର ନିଗମରେ ୧୨ଟି ଟେବୁଲରେ ଭୋଟ ଗଣତି ହେଉଛି । କାଉନସିଲର ଓ କର୍ପୋରେଟରଙ୍କ ପାଇଁ ଯେତିକି ଟେବୁଲର ବ୍ୟବସ୍ଥା ହୋଇଛି ସେହି ସ୍ଥାନରେ ସେତିକି ଟେବୁଲରେ ପୌରଧ୍ୟକ୍ଷ ଓ ମେୟରଙ୍କ ପାଇଁ ଭୋଟ ଗଣତି ହେଉଛି । ପ୍ରତି ଗଣତି କେନ୍ଦ୍ରରେ ସିସିଟିଭି କିମ୍ବା ଭିଡିଓଗ୍ରାଫିର ବ୍ୟବସ୍ଥା ହୋଇଛି । ଏବଂ ତ୍ରିସ୍ଥରୀୟ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି ।