(ଭୁବନେଶ୍ୱର) : ଫେବୃଆରୀରୁ କଲବଲ କଲାଣି ଖରା । ମାଘ ମାସରେ ଜାଡ଼ ବଦଳରେ ଉପରମୁହାଁ ହେଲାଣି ପାରଦ । ଏମିତି ରାଜ୍ୟର କେତେକ ସ୍ଥାନରେ ତାପମାତ୍ରା ୩୦ପାର୍ ହେଲାଣି । ଉପକୂଳ ଓଡ଼ିଶାରେ ରାତି ତାପମାତ୍ରା ସ୍ୱାଭାବିକଠାରୁ ୨-୫ଡିଗ୍ରୀ ବଢ଼ିଥିବା ବେଳେ, ଆଭ୍ୟନ୍ତରୀଣ ଓଡ଼ିଶାରେ ୩-୭ଡିଗ୍ରୀ ଅଧିକ ରେକର୍ଡ ହୋଇଛି । ଏହିପରି ତାପମାତ୍ରା ଆସନ୍ତା 3 ଦିନ ଯାଏଁ ଜାରି ରହିବ । ଏ ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।
ସୂଚନାନୁଯାୟୀ , ଫେବୃଆରୀ ଆରମ୍ଭରୁ ହଠାତ୍ ଗରମ ଅନୁଭୂତ ହେଲାଣି । ଉପକୂଳରୁ ଆଭ୍ୟନ୍ତର, ସବୁଠି ଗରମରେ କଲବଲ ହେଉଛନ୍ତି ରାଜ୍ୟବାସୀ । ସେପଟେ ଏଲନିନୋର ପ୍ରଭାବ ଏବଂ ସ୍ଥାନୀୟ ଜଳବାୟୁରେ ପରିବର୍ତ୍ତନ ଏହାର କାରଣ ବୋଲି ମତ ରଖିଛନ୍ତି ପାଣିପାଗ ବିଜ୍ଞାନୀ । ଗତକାଲି ରାଜ୍ୟର ୧୩ଟି ସହରରେ ସର୍ବାଧିକ ତାପମାତ୍ରା ୩୩ଡିଗ୍ରୀ ଉପରେ ରହିଥିଲା । ଭୁବନେଶ୍ୱର ତାପମାତ୍ରା ବି ୩୪ପରେ ରହିଛି । ସେପଟେ ଆଗାମୀ ଦୁଇ ଦିନ କୁହୁଡି ପାଇଁ କିଛି ଜିଲ୍ଲାକୁ ସତର୍କ କରାଇଛି ପାଣିପାଗ ବିଭାଗ । ତେବେ ଆସନ୍ତା ୧୧ତାରିଖରେ ରାଜ୍ୟର କିଛି ସ୍ଥାନରେ ବର୍ଷାର ସମ୍ଭାବନା ରହିଛି ।