ଓଡିଶା

ଭାରରେ ନଦୀ ପାର କଲେ ଗର୍ଭବତୀ

(ମହାଭାରତ, କୋରାପୁଟ): ରାଜ୍ୟ ସରକାରଙ୍କ ତରଫରୁ ପାହାଡ, ଜଙ୍ଗଲ ଘେରା ଉପାନ୍ତ ଅଞ୍ଚଳକୁ ଯିବା ପାଇଁ ଗମନାଗମନର ବ୍ୟବସ୍ଥା ହୋଇପାରୁ ନ ଥିବାରୁ ଜନନୀ ଯନ୍ତ୍ରଣା ଥମିବାର ନାଁ ଧରୁନାହିଁ । ରାଜ୍ୟର ଉପାନ୍ତ ଅଞ୍ଚଳ ଗୁଡିକରେ ଏଭଳି ଘଟଣା ବାରମ୍ବାର ଘଟୁଥିବା ବେଳେ ପୁଣି ଏହାର ପୁନରାବୃତ୍ତି କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ଘାଟଗୁଡା ଗାଁରେ ହୋଇଛି । ଏହି ଗାଁକୁ ରାସ୍ତା ନଥିବାରୁ ଜଣେ ଗର୍ଭବତୀଙ୍କୁ ଭାରରେ ବୁହା ହୋଇ ନଦୀରେ ପଶି ମେଡିକାଲକୁ ନିଆଯାଇଥିବା ଜଣାପଡିଛି ।

ସୂଚନା ଅନୁଯାୟୀ, ଗତ ରବିବାର ଗାଁର ଗର୍ଭବତୀ ମହିଳା ଧବେନ୍ ମୁଦୁଲିଙ୍କର ଅପରାହ୍ନରେ ପ୍ରସବଜନିତ ଯନ୍ତ୍ରଣା ଆରମ୍ଭ ହୋଇଥିଲା । ସ୍ଥାନୀୟ ଠେଲାପଦର ଛକ ଠାରୁ ଘାଟଗୁଡା ୫ କିମି ଦୂର ହୋଇଥିବାରୁ ଗାଁକୁ ଆମ୍ବୁଲାନ୍ସ ଆସିବା ସମ୍ଭବପର ହୋଇ ନଥିଲା । ଫଳରେ ପରିବାର ଲୋକେ ଗର୍ଭବତୀଙ୍କୁ ଭାରରେ ବୋହି ମୁରାନ ନଦୀର ଉଛୁଳା ଆଣ୍ଠୁଏ ପାଣିରେ ପଶି ବୋହି ନେଇଥିଲେ । ପଡୁଗଡି ଠାରେ ପହଞ୍ଚିବା ପରେ ସେଠାରୁ ଆମ୍ବୁଲାନ୍ସ ଯୋଗେ ଗର୍ଭବତୀଙ୍କୁ ପ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ଦଶମନ୍ତପୁର ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସେଠାରେ ପ୍ରସବ ପରେ ଉଭୟ ମା ଓ ନବଜାତ କନ୍ୟା ସୁସ୍ଥ ଥିବା ଜଣାପଡିଛି । ଉଭୟ ମାଆ ଓ ଶିଶୁର ସ୍ୱାସ୍ଥ୍ୟବସ୍ଥା ଭଲ ଥିବା ଡାକ୍ତର କହିଛନ୍ତି ।

ତେବେ ଘାଟଗୁଡା ଗାଁକୁ ଯାନବାହନ ଯିବା ପାଇଁ କୌଣସି ରାସ୍ତା ନ ଥିବା ବେଳେ ମୁରାନ ନଦୀରେ ଏଥିରେ ପ୍ରତିବନ୍ଧକ ସାଜିଛି । ଏହା ଉପରେ ପୋଲ ନିର୍ମାଣ ପାଇଁ ଗାଁ ଲୋକେ ଦୀର୍ଘ ଦିନ ଧରି ଦାବି କରୁଥିବାବେଳେ ପ୍ରଶାସନ ଏଥିପ୍ରତି କର୍ଣ୍ଣପାତ କରୁନାହିଁ । ଫଳରେ ବର୍ଷ ବର୍ଷ ଧରି ଗ୍ରାମବାସୀମାନେ ଏଭଳି ଅବସ୍ଥା ଭୋଗୁଛନ୍ତି । ଗତ ୨୦୧୧ରେ ୨ ଜଣ ଯୁବତୀ ଏହି ମୁରାନ ନଦୀରେ ଭାସିଯାଇ ପ୍ରାଣ ହରାଇଥିଲେ । ଏହାପରେ ମଧ୍ୟ ପ୍ରଶାସନ ପକ୍ଷରୁ ଗାଁକୁ ଗମନାଗମନ ପାଇଁ କୌଣସି ବ୍ୟବସ୍ଥା କରାଯାଇ ନାହିଁ । ମୁରାନ ନଦୀ ପାର ହୋଇ ଠେଲାପଦର ପର୍ଯ୍ୟନ୍ତ ଏହି ଅଞ୍ଚଳର ଲୋକେ ପ୍ରତିଦିନ ୫କିମି ଚାଲି ଚାଲି ଯାଇଥାନ୍ତି । ଏହି ରାସ୍ତା ଉପରେ ଠେଲାପଦର, ବାଲିଘାଟ ଏବଂ ଘାଟଗୁଡା ବାସୀ ନିର୍ଭର କରିଥାନ୍ତି । ଏହି ୫ କିମି ରାସ୍ତା ଭଲ ନଥିବାରୁ ଲୋକେ ବର୍ଷ ତମାମ ହଇରାଣ ହେଉଛନ୍ତି । ଗର୍ଭବତୀଙ୍କ ଠାରୁ ଆରମ୍ଭ କରି ଗୁରୁତର ରୋଗୀଙ୍କୁ ଅନୁରୂପ ଭାବେ ଲୋକେ ଭାରରେ ବୋହି ବିଭିନ୍ନ ସମୟରେ ମେଡିକାଲ ନେବା ଆଣିବା କରୁଛନ୍ତି । ରାସ୍ତା ପାଇଁ ଆଖ ପାଖ ୩ ଖଣ୍ଡ ଗାଁ ଲୋକେ ଅନେକ ଥର ପ୍ରଶାସନ ନିକଟରେ ଜଣାଇଛନ୍ତି । କିନ୍ତୁ କୌଣସି ସୁଫଳ ମିଳିନି । ଏପରିସ୍ଥଳେ ସରକାରଙ୍କ ମାଳମାଳ ଯୋଜନା କାହାପାଇଁ ବୋଲି ଅଞ୍ଚଳବାସୀମାନେ ପ୍ରଶ୍ନ କରିଛନ୍ତି ।

Related posts

ଟ୍ରକ ଧକ୍କାରେ ଯୁବକ ମୃତ

mahabharatanews

‘ଅକ୍ଟୋବର ହିଟ୍‌’ ଅନୁଭୂତ,୨୦ ପରେ ଥଣ୍ଡା ପରିବେଶ

mahabharatanews

ଆରମ୍ଭ ହେଲା ପିଲାଙ୍କ ୟୁଟ୍ୟୁବ ପାଠପଢା

mahabharatanews

Leave a Comment