ଓଡିଶା

ସଟ ଡାଉନରେ କିଏ ଯିବେ କେମିତି

ଭୁବନେଶ୍ୱର: ରାଜ୍ୟ ସରକାର କରୋନା ସଂକ୍ରମଣକୁ ରୋକିବା ଲାଗି ରାଜ୍ୟର ୧୧ଟି ଜିଲ୍ଲାରେ ସପ୍ତାହକୁ ଦୁଇଦିନ ସଟଡାଉନ ଘୋଷଣା କରିଛନ୍ତି । ପ୍ରତି ଶନିବାର ଓ ରବିବାର ରାଜ୍ୟର ୧୧ଟି ଜିଲ୍ଲା ସଟଡାଉନରେ ରହିବ । ଏହି ସମୟରେ କେଉଁମାନେ ଓ କେମିତି ଯିବା ଆସିବା କରିବେ, ସେ ନେଇ ସରକାର ଓ ପୁଲିସ ପକ୍ଷରୁ ସ୍ୱତନ୍ତ୍ର ଗାଇଡ ଲାଇନ ଜାରି କରାଯାଇଛି ।
ଗାଇଡଲାଇନ ଅନୁସାରେ, ରିଜର୍ଭ ବ୍ୟାଙ୍କ, କ୍ଲିୟରିଂ ହାଉସ୍, ଏଟିଏମ ସେବା ସହ ଜଡ଼ିତ କର୍ମଚାରୀଙ୍କୁ ଯିବାଆସିବା ଲାଗି ଅନୁମତି ଦିଆଯାଇଛି । ସେହିପରି ଏୟାରପୋର୍ଟ, ରେଲ୍ୱେ ଷ୍ଟେସନ୍, ବସ୍ ଟର୍ମିନାଲ୍ ସହ ଜଡ଼ିତ କର୍ମଚାରୀ, ସ୍ୱିଗି, ଜୋମାଟୋ ଡେଲିଭରି ବୟଙ୍କୁ ଯା’ଆସ ପାଇଁ ଅନୁମତି ପ୍ରଦାନ କରାଯାଇଛି । ଖବରକାଗଜ ହକରଙ୍କୁ ସକାଳ ୫ଟାରୁ ୮ଟା ଯାଏ ବିକ୍ରି ଅନୁମତି ମିଳିଥିବା ବେଳେ ଗ୍ୟାସ ହୋମ୍ ଡେଲିଭରି କରୁଥିବା କର୍ମଚାରୀଙ୍କ ପାଇଁ କୌଣସି ପ୍ରତିବନ୍ଧକ ଲଗାଯାଇନାହିଁ ।
ତେବେ ଜରୁରୀ କାମ ନଥିଲେ ଘରୁ ନବାହାରିବାକୁ କମିଶନରେଟ ପୁଲିସ ପକ୍ଷରୁ ପରାମର୍ଶ ଦିଆଯାଇଛି । ତେବେ ଏହି ସମୟରେ ମେଡିକାଲ୍, ନର୍ସିଂହୋମ କର୍ମଚାରୀ ପରିଚୟ ପତ୍ର ଦେଖାଇ ଯାଇପାରିବେ। ମେଡିସିନ ଷ୍ଟୋର ଷ୍ଟାଫ୍ ପୁଲିସ୍ ଦେଇଥିବା ପୁରୁଣା ପାସ୍ ଦେଖାଇ ପାରିବେ । କେନ୍ଦ୍ର ଓ ରାଜ୍ୟ ସରକାରୀ କର୍ମଚାରୀ, ଟେଲିକମ୍, ମିଡିଆ, ପେଟ୍ରୋଲ ପମ୍ପ୍ କର୍ମଚାରୀ, ହୋମ୍ ଡେଲିଭରି, ପାନୀୟ ଜଳ, ପରିମଳ, ବିଦ୍ୟୁତ୍ କର୍ମଚାରୀ, କଳକାରଖାନା, ହୋଟେଲମାନେ କମ୍ପାନୀ କିମ୍ବା ସଂସ୍ଥାର ପରିଚୟ ପତ୍ର ଦେଖାଇ ଯାଇପାରିବେ । ସେହିପରି ରେଲ୍ୱେ ଷ୍ଟେସନ, ବସ୍ ଷ୍ଟାଣ୍ଡ, ଏୟାରପୋର୍ଟକୁ ଯିବା ପାଇଁ ଗାଡ଼ିକୁ ପୁଲିସ୍ ପାସ୍ ର ଆବଶ୍ୟକତା ରହିଛି । ପୁଲିସ୍ ପାସ୍ ଦେଖାଇ ଟ୍ୟାକ୍ସି, ଅଟୋ, ଓଲା, ଉବେର ଆଦି ଚଳାଚଳ କରିପାରିବେ।ସଟ୍ଡାଉନ୍ ଦିନ ବାହାଘର ଥିଲେ ପୁଲିସ୍ ଠାରୁ ପାସ୍ ନେବା ଜରୁରୀ। ଟ୍ୱିନ୍ସିଟିରୁ ବାହାରକୁ ଯିବାକୁ ଚାହୁଁଥିବା ବ୍ୟକ୍ତିମାନେ ୧୦୦କୁ ଫୋନକରି ଅନୁମତି ନେଇ ଯାଇପାରିବେ । ମାଲ୍ ପରିବହନ କରୁଥିବା ଖାଲି ଓ ମାଲ୍ ଭର୍ତ୍ତି ଗାଡ଼ି ପାଇଁ ପାସ୍ ଅନାବଶ୍ୟକ। ଏଥିସହିତ ଅନ୍ୟ ଗୁରୁତ୍ୱପୂର୍ଣ୍ଣ କିମ୍ବା ଜରୁରୀ କାମ ପାଇଁ ମଧ୍ୟ ୧୦୦କୁ ଡାଏଲ କରି ପାସ୍ ନେଇପାରିବେ।
ଉଲ୍ଲେଖଥାଉ କି, କରୋନା ସଂକ୍ରମଣ ଆଶଙ୍କା କରି ସରକାର ଗଞ୍ଜାମ, ପୁରୀ, ନୟାଗଡ଼, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ୱର, ବଲାଙ୍ଗିର ଓ ଖୋର୍ଦ୍ଧା ଜିଲ୍ଲାରେ ସପ୍ତାହକୁ ୨ ଦିନ ସଟ୍ଡାଉନ୍ ଘୋଷଣା କରିଛନ୍ତି । ଶନିବାର ଠାରୁ ଏହି ଲକଡାଉନ ଲାଗୁ ହେବାକୁ ଯାଉଛି ।

Related posts

ନିୟମଗିରିରେ ଟୀକାକରଣ ଆରମ୍ଭ 

mahabharatanews

ଆସନ୍ତାକାଲି ରାଜ୍ୟ ସ୍ତରୀୟ ସାଧାରଣତନ୍ତ୍ର ଦିବସ, ଗାନ୍ଧୀ ମାର୍ଗରେ ପାଣ୍ଡିୟାନ

mahabharatanews

୧୬ ଦିନ ମହିଳାଙ୍କୁ ମା’ବିମଳା ମନ୍ଦିର ମନା

mahabharatanews