ମୁମ୍ବାଇ: କରୋନା ମହାମାରୀ ଯୋଗୁଁ ଦେଶର ଅର୍ଥନୀତି ଭୁଶୁଡିବା ସ୍ଥିତିରେ ଥିବା ବେଳେ କିନ୍ତୁ ମୁକେଶ ଅମ୍ବାନିଙ୍କ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ତାର ଆର୍ଥିକ ସ୍ଥିତିକୁ ଆହୁରି ସୁଦୃଢ କରିଛି । ବ୍ଲୁମ୍ବର୍ଗ ବିଲିୟନେର ଇଣ୍ଡେକ୍ସ ଅନୁସାରେ ମୁକେଶଙ୍କ ମୋଟ ସଂପତ୍ତିର ପରିମାଣ ୫୭.୫ ବିଲିୟନ ଡଲାର ବା ୪ ଲକ୍ଷ ୩୪ ହଜାର କୋଟିରେ ପହଞ୍ଚିଛି । ସମଗ୍ର ବିଶ୍ୱରେ ସେ ୧୨ ତମ ସ୍ଥାନରେ ଥିବାବେଳେ ସମଗ୍ର ଏସିଆରେ ପ୍ରଥମ ସ୍ଥାନରେ ଅଛନ୍ତି । ସେୟାର ମୂଲ୍ୟ ବଢିଚାଲିଥିବାରୁ କମ୍ପାନିର ମାର୍କେଟ କ୍ୟାପିଟାଲାଇଜେସନ ୧୦ ଲକ୍ଷ କୋଟି ଟପିଯାଇଛି । କମ୍ପାନିର ସେୟାର ମୂଲ୍ୟ ବୃଦ୍ଧି ପାଇବା ସହ ମୁକେଶଙ୍କ ସଂପତ୍ତିର ମୂଲ୍ୟ ମଧ୍ୟ ବୃଦ୍ଧି ପାଇଚାଲିଛି ।
ପୂର୍ବରୁ ଆଲିବାବା ପ୍ରତିଷ୍ଠାତା ଚୀନର ଜାକ ମା ଏସିଆର ସବୁଠାରୁ ଧନୀ ଭାବେ ପରିଗଣିତ ହେଉଥିଲେ । ଏବେ ସେ ଏସିଆରେ ୨ୟ ସ୍ଥାନକୁ ଖସି ଆସିଛନ୍ତି ଓ ବିଶ୍ୱରେ ୨୦ତମ ସ୍ଥାନକୁ ଖସିଯାଇଛନ୍ତି । ବିଶ୍ୱ ସ୍ତରରେ ପ୍ରଥମ ସ୍ଥାନରେ ରହିଛନ୍ତି ଆମାଜନ ମୁଖ୍ୟ ଜେଫ ବେଜୋସ । ତାଙ୍କର ମୋଟ ସଂପତ୍ତିର ମୂଲ୍ୟ ୧୪୮ ବିଲିୟନ ଡଲାର ରହିଛି । ୨ୟ ସ୍ଥାନରେ ଅଛନ୍ତି ମାଇକ୍ରୋସଫ୍ଟ ମୁଖ୍ୟ ବିଲ ଗେଟ୍ସ ଓ ୩ୟ ସ୍ଥାନରେ ଫ୍ରାନ୍ସର ବର୍ନାଡ ଆରନଲ୍ଟ ରହିଛନ୍ତି ।
next post