(ନୂଆଦିଲ୍ଲୀ): ଦିଲ୍ଲୀର ବିଭିନ୍ନ ଅଞ୍ଚଳରେ ସଂଶୋଧିତ ନାଗରିକତା ଆଇନ(ସିଏଏ) କୁ ବିରୋଧ କରି ବିକ୍ଷୋଭକାରୀମାନେ ପ୍ରଦର୍ଶନ ଜାରି ରଖିଛନ୍ତି । ଗୁରୁବାର ସକାଳୁ ବିକ୍ଷୋଭକାରୀମାନେ ପ୍ଲାକାର୍ଡ ଧରି ପ୍ରଦର୍ଶନ କରିଥିବା ବେଳେ ରାସ୍ତା ଉପରେ ହଜାର ହଜାର ଲୋକ ସ୍ଲୋଗାନ ଦେଉଛନ୍ତି । ଦିଲ୍ଲୀର ପ୍ରାୟ ୧୪ଟି ମେଟ୍ରୋ ଷ୍ଟେସନକୁ ବନ୍ଦ ରଖାଯାଇଛି । ଗୁରୁବାର ସକାଳେ ଦିଲ୍ଲୀ ମେଟ୍ରୋ ରେଳ କର୍ପୋରେସନ ଏନେଇ ସୂଚନା ଦେଇଛି । ପୂର୍ବରୁ ସିଏଏ ହିଂସା ପାଇଁ ଓଖଲା-କାଲିନ୍ଦୀ କୁଞ୍ଜ ମାର୍ଗ ୪ ଦିନ ଧରି ବନ୍ଦ ରହିଛି ।
ଲାଲକିଲ୍ଲା, ଜମା ମସଜିଦ, ଚାନ୍ଦିନୀ ଚୌକ, ଜାମିଆ ମିଲିଆ, ଜସୋଲା ବିହାର, ଶାହିନୀ ବାଗ, ମୁନରିକା, ପଟେଲ ଚୌକ, ଲୋକ କଲ୍ୟାଣ ମାର୍ଗ, ଉଦ୍ୟାନ ଭବନ, ଆଇଟିଓ, ପ୍ରଗତି ମୈଦାନ, ଖାନ ମାର୍କେଟ ଏବଂ ସଚିବାଳୟ ଆଦି ୧୪ଟି ମେଟ୍ରୋ ଷ୍ଟେସନର ପ୍ରବେଶ ଓ ପ୍ରସ୍ଥାନ ଦ୍ୱାର ବନ୍ଦ ରହିଛି ବୋଲି ଦିଲ୍ଲୀ ମେଟ୍ରୋ ରେଳ କର୍ପୋରେସନ ପକ୍ଷରୁ ଟ୍ୱିଟ କରି କୁହାଯାଇଛି ।
ଅନ୍ୟପକ୍ଷରେ ଅଧିକ ଗଣ୍ଡଗୋଳ ଆଶଙ୍କାକୁ ଦୃଷ୍ଟିରେ ରଖି ଦିଲ୍ଲୀ ପୋଲିସ ପକ୍ଷରୁ ଲାଲକିଲ୍ଲା ଅଞ୍ଚଳରେ ଏବଂ ଦିଲ୍ଲୀର ଉତ୍ତରପୂର୍ବ ଅଞ୍ଚଳର କିଛି ସ୍ଥାନରେ ଧାରା ୧୪୪ ଲାଗୁ କରାଯାଇଛି । ଲାଲକିଲା ଏବଂ ମଣ୍ଡି ଅଞ୍ଚଳରେ କୌଣସି ବିକ୍ଷୋଭ ପ୍ରଦର୍ଶନ କରିବା ପାଇଁ ଅନୁମତି ଦିଆଯାଇ ନାହିଁ ।
ସୂଚନାଯୋଗ୍ୟ, ଗୁରୁଗ୍ରାମରୁ ଦିଲ୍ଲୀ ଆସୁଥିବା ମାର୍ଗରେ ଲୋକାଲ ପୋଲିସ ବ୍ୟାରିକେଡ ଲଗାଇ ଚେକିଂ କରୁଛି । ଯାହାଦ୍ୱାରା ଯାତାୟତ ବାଧାପ୍ରାପ୍ତ ହୋଇଛି । ଏଣୁ ଅନ୍ୟ ରାସ୍ତା ଦେଇ ଲୋକେ ଯିବା ଆସିବା କରିବା ପାଇଁ ପୋଲିସ ପରାମର୍ଶ ଦେଇଛି ।