(ନୂଆଦିଲ୍ଲୀ): ଇସଲାମିକ୍ କଟ୍ଟରପନ୍ଥୀ ସଂଗଠନ ‘ପପୁଲାର ଫ୍ରଣ୍ଟ ଅଫ୍ ଇଣ୍ଡିଆ’ (ପିଏଫଆଇ) ଅଯୋଧ୍ୟା ମାମଲାକୁ ନେଇ ସୁପ୍ରିମକୋର୍ଟରେ କ୍ୟୁରେଟିଭ ପିଟିସନ ଦାଖଲ କରିଛନ୍ତି । ଏହି ବିବାଦୀୟ ମାମଲାରେ ସୁପ୍ରିମକୋର୍ଟ ଦେଇଥିବା ରାୟକୁ ଚ୍ୟାଲେଞ୍ଜ କରି ଏହି ପିଟିସନ ଦାଖଲ ହୋଇଛି । ଏଥିରେ ଦର୍ଶାଯାଇଛି ଯେ, ଏହି ସଂଙ୍ଗଠନ ଅଯୋଧ୍ୟା ଏବଂ ଏହାର ବିବାଦୀୟ ମାମଲାର କୌଣସି ପକ୍ଷ ନୁହେଁ । କିନ୍ତୁ ଏହି ମାମଲାରେ ୨୦୧୯ ମସିହାରେ ସୁପ୍ରିମକୋର୍ଟ ଦେଇଥିବା ରାୟ ଯୋଗୁଁ ସଂଗଠନର ଅଧିକାର କ୍ଷୁର୍ଣ୍ଣ ହେଉଛି । ସେଥିପାଇଁ ଏହି ରାୟ ଉପରେ ରହିତାଦେଶ ଜାରି କରାଯାଉ । ପୂର୍ବରୁ ବିଭିନ୍ନ ଦଳ ଏହି ବିବାଦୀୟ ମାମଲାରେ ପ୍ରକାଶ ପାଇଥିବା ରାୟକୁ ନେଇ ସର୍ବୋଚ୍ଚ ନ୍ୟାୟାଳୟଙ୍କ ଠାରେ କ୍ୟୁରେଟିଭ ପିଟିସନ ଦାଖଲ କରିଥିଲେ ମଧ୍ୟ ସେସବୁ ଖାରଜ ହୋଇଛି । ସୂଚନାଯୋଗ୍ୟ, ଗତବର୍ଷ ନଭେମ୍ବର ୯ ତାରିଖରେ ସୁପ୍ରିମକୋର୍ଟଙ୍କ ରାୟ ଯୋଗୁଁ ଦୀର୍ଘ ବର୍ଷ ଧରି ଲାଗି ରହିଥିବା ଜମି ବିବାଦ ମାମଲାର ଅବସାନ ହୋଇଥିଲା । ରାୟ ଅନୁସାରେ, ୨.୭୭ ଏକର ବିଶିଷ୍ଟ ବିବାଦୀୟ ଜମିର ମାଲିକାନା ହିନ୍ଦୁପକ୍ଷଙ୍କୁ ମିଳିଥିଲା । ଏଠାରେ ରାମମନ୍ଦିର ନିର୍ମାଣ ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ସେହିପରି ଅଯୋଧ୍ୟାର ଅନ୍ୟ ସ୍ଥାନରେ ସଂଖ୍ୟାଲଘୁମାନଙ୍କୁ ମସଜିଦ୍ ନିର୍ମାଣ ପାଇଁ ୫ ଏକର ଜମି ଯୋଗାଇ ଦେବାକୁ କେନ୍ଦ୍ର ସରକାରଙ୍କୁ ସର୍ବୋଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଥିଲେ ।
previous post