(ଭୁବନେଶ୍ୱର) : ଆଜି ଠାରୁ +୨ କଳା ଓ ବାଣିଜ୍ୟ ବିଭାଗର ପରୀକ୍ଷା । ଉଭୟ ବିଭାଗର ପ୍ରଥମ ଦିନ ମାତୃଭାଷା ପରୀକ୍ଷା ରହିଛି । କଳା ବିଭାଗରେ ମୋଟ୍ ୨ ଲକ୍ଷ ୩୭ ହଜାର ୭୫୦ଜଣ ଓ ବାଣିଜ୍ୟରେ ୨୬ ହଜାର ୮୯ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବାକୁ ଫର୍ମ ପୂରଣ କରିଛନ୍ତି । ବାଣିଜ୍ୟରେ ୨୬ ହଜାର ୮୯ ଜଣ ପରୀକ୍ଷା ଦେଉଥିବା ବେଳେ ଧନ୍ଦାମୂଳକରେ ୫ହଜାର ୭୯୧ ଜଣ ଏଥର ପରୀକ୍ଷା ଦେଉଛନ୍ତି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି ।
ସୂଚନାନୁଯାୟୀ , ଗତକାଲିଠାରୁ ବିଜ୍ଞାନ ପରୀକ୍ଷା ଆରମ୍ଭ ହୋଇଯାଇଛି । ଶୁକ୍ରବାର ପ୍ରଥମ ଦିନରେ ବିଜ୍ଞାନ ବିଭାଗ ଛାତ୍ରଛାତ୍ରୀମାନେ ମାତୃଭାଷା ବିଷୟରେ ପରୀକ୍ଷା ଦେଇଛନ୍ତି । ଏହି ବିଷୟରେ କପି କରି ସାରା ରାଜ୍ୟରୁ ସମୁଦାୟ ୧୧ ଜଣ ପରୀକ୍ଷାର୍ଥୀ ଧରାପଡ଼ିଛନ୍ତି । ସବୁଠି ସୁରୁଖୁରୁରେ ପ୍ରଥମ ଦିନ ପରୀକ୍ଷା ସରିଥିବାବେଳେ କୌଣସି ତ୍ରୁଟି ହୋଇ ନ ଥିବା ପରୀକ୍ଷା ନିୟନ୍ତ୍ରକ ଅଶୋକ କୁମାର ନାୟକ କହିଛନ୍ତି। ପରୀକ୍ଷାରେ କପି ରୋକିବା ପାଇଁ ତ୍ରିସ୍ତରୀୟ ସ୍କ୍ୱାଡ୍ ବିଭିନ୍ନ ସ୍ଥାନରେ ଯାଞ୍ଚ କରିଛନ୍ତି।