ଭୁବନେଶ୍ୱର: ଚଳିତ ବର୍ଷ କରୋନା ପାଇଁ ଦୁର୍ଗାପୂଜା ନିରାଡମ୍ବର ଭାବେ ହେଉଛି । କଟକଣା ମଧ୍ୟରେ ସମସ୍ତ ପେଣ୍ଡାଲରେ ପୂଜା ପାଉଛନ୍ତି ମା ଦଶଭୁଜା । ପୂଜାରେ ଭକ୍ତଙ୍କ ଦର୍ଶନ ଉପରେ କଟକଣା ପରେ ଏବେ ବିସର୍ଜନ ଉପରେ ବି ଲାଗିଛି କଟକଣା । ଜାତୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଜାରି କରିଥିବା କଟକଣାକୁ ପାଳନ କରିବାକୁ ଆଡଭାଇଜରି ଜାରି କରିଛି ବିଏମ୍ସି । ପୂର୍ବ ବର୍ଷମାନଙ୍କ ଭଳି ଚଳିତ ଥର ମଧ୍ୟ ଭୁବନେଶ୍ୱରର ସମସ୍ତ ମୃଣ୍ମୟୀ ମୂର୍ତ୍ତିଗୁଡିକ କମିଟିମାନେ ନିଜ ଇଛା ମୁତାବକ ବିସର୍ଜନ କରିପାରିବେ ନାହିଁ । ଏଥିପାଇଁ ବିଏମ୍ସି ପକ୍ଷରୁ କୁତ୍ରିମ ପୋଖରୀ ବା ଜଳାଶୟର ବ୍ୟବସ୍ଥା କରାଯାଇଛି । ସେଠାରେ ବିସର୍ଜନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ବିଏମସି କମିଶନରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ ସମସ୍ତ ପୂଜା କମିଟି କର୍ମକର୍ତ୍ତାଙ୍କୁ ସଚେତନ କରାଯାଇଛି । ସେହିଭଳି ଏହି କଟକଣା କିଭଳି ଭାବେ ସଠିକରୂପେ କାର୍ଯ୍ୟକାରୀ ହେବ ସେଥିପାଇଁ ବିଏମସି, ଆଞ୍ଚଳିକ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଓ ପୋଲିସ ଅଧିକାରୀଙ୍କୁ ନେଇ ସ୍ୱତନ୍ତ୍ର ଟାସ୍କଫୋର୍ସ ଗଠନ କରାଯାଇଛି । କୌଣସି କ୍ଷେତ୍ରରେ ନିର୍ଦ୍ଦେଶରୁ ଓହରିଲେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବିଏମସି ପକ୍ଷରୁ କୁହାଯାଇଛି ।