ଯୁବ ପ୍ରତିଭା, ବୈଷୟିକ ଉତ୍କର୍ଷତା ଏବଂ ଆଞ୍ଚଳିକ ଗୌରବର ଏକ ମହାସମାରୋହ ମଧ୍ୟରେ ଆଜି ଜଟଣୀସ୍ଥିତ ଏସଡିଆଇ ଅଡିଟୋରିୟମଠାରେ ପୂର୍ବାଞ୍ଚଳ ‘ଇଣ୍ଡିଆ ସ୍କିଲ୍ସ’ ଆଞ୍ଚଳିକ ପ୍ରତିଯୋଗିତା ୨୦୨୫–୨୬ ଉଦ୍ଯାପିତ ହୋଇଯାଇଛି। କେନ୍ଦ୍ର ଦକ୍ଷତା ବିକାଶ ଏବଂ ଉଦ୍ୟୋଗିତା ମନ୍ତ୍ରଣାଳୟ (ଏମଏସଡିଇ) ର ତତ୍ତ୍ୱାବଧାନରେ ଏବଂ ଜାତୀୟ ଦକ୍ଷତା ବିକାଶ ନିଗମ (ଏନଏସଡିସି)ର ସହାୟତାରେ ଆୟୋଜିତ ଏହି ପ୍ରତିଯୋଗିତାରେ ଓଡ଼ିଶା, ବିହାର, ପଶ୍ଚିମବଙ୍ଗ, ଛତିଶଗଡ଼, ଝାଡ଼ଖଣ୍ଡ ଏବଂ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜର ୨୦୦ରୁ ଅଧିକ ଦକ୍ଷ ଯୁବକଯୁବତୀ ଅଂଶଗ୍ରହଣ କରିଥିଲେ। ଅଂଶଗ୍ରହଣକାରୀମାନେ ମୋଟ ୫୯ଟି ବିଭିନ୍ନ ଦକ୍ଷତା ବର୍ଗରେ ପରସ୍ପର ସହ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ, ଯେଉଁଥିରେ ୩୭ଟି ଦକ୍ଷତା ସିଧାସଳଖ ପ୍ରଦର୍ଶନ କରାଯାଇଥିବା ବେଳେ ୨୨ଟି ଦକ୍ଷତାକୁ ଅଭିନବ ପଦ୍ଧତିରେ ଆକଳନ କରାଯାଇଥିଲା। ଏହି ସମସ୍ତ ବିଭାଗ ଜାତୀୟ ତଥା ବିଶ୍ୱସ୍ତରୀୟ ଶିଳ୍ପ ମାନଦଣ୍ଡ ଅନୁଯାୟୀ ପ୍ରସ୍ତୁତ କରାଯାଇଥିଲା।
ଏହି ଅବସରରେ ଓଡ଼ିଶା ସରକାରଙ୍କ ଶିଳ୍ପ, ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ବିଭାଗର ମାନ୍ୟବର ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, ଓଡ଼ିଶା ସରକାରଙ୍କ ଉଚ୍ଚଶିକ୍ଷା; କ୍ରୀଡ଼ା ଓ ଯୁବସେବା; ଏବଂ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ମାନ୍ୟବର ରାଜ୍ୟ ମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ) ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ପ୍ରମୁଖ ଉପସ୍ଥିତ ଥିଲେ Iଶ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି ବିଭିନ୍ନ ଦକ୍ଷତା ବର୍ଗରେ ବିଜୟୀ ହୋଇଥିବା ପ୍ରତିଯୋଗୀମାନଙ୍କୁ ମୁଁ ଆନ୍ତରିକ ଅଭିନନ୍ଦନ ଜଣାଉଛି। ଆପଣଙ୍କର ଏହି ସଫଳତା ଆପଣଙ୍କ ନିଷ୍ଠା, ଶୃଙ୍ଖଳା ଏବଂ ଉତ୍କର୍ଷତାକୁ ପ୍ରତିଫଳିତ କରୁଛି। ଏହି ମଞ୍ଚକୁ ସଫଳତାର ସହ ଆୟୋଜନ କରିଥିବାରୁ ମୁଁ କୌଶଳ ବିକାଶ ଏବଂ ଉଦ୍ୟୋଗ ବିଭାଗ ମନ୍ତ୍ରଣାଳୟ ଏବଂ ଜାତୀୟ ଦକ୍ଷତା ବିକାଶ ନିଗମର ପ୍ରୟାସକୁ ମଧ୍ୟ ପ୍ରଶଂସା କରୁଛି Iଚାରି ଦିନିଆ ଏହି କାର୍ଯ୍ୟକ୍ରମର ଉଦଯାପନୀ ସମାରୋହରେ, ୧୬୯ ଜଣ କୃତୀ ପ୍ରତିଯୋଗୀଙ୍କୁ ସ୍ୱର୍ଣ୍ଣ (୫୩), ରୌପ୍ୟ (୪୮), କାଂସ୍ୟ (୩୧) ଏବଂ ‘ମେଡାଲିୟନ ଫର ଏକ୍ସଲେନ୍ସ’ (୩୭) ସମେତ ପଦକ ପ୍ରଦାନ କରି ପୁରସ୍କୃତ କରାଯାଇଛି I
