(ମହାଭାରତ, ଭୂବନେଶ୍ୱର): ରାଜ୍ୟରେ କରୋନା ଭାଇରସକୁ ‘ନକ୍ ଡାଉନ୍’ କରିବା ପାଇଁ ଏହି ଲକ୍ ଡାଉନ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ଏଭଳି କହିଛନ୍ତି କରୋନା ଭୂତାଣୁ ସଂକ୍ରମଣ ସଚେତନତା କମିଟି ମୁଖ୍ୟ ପ୍ରବକ୍ତା ସୁବ୍ରତୋ ବାଗଚୀ । ନିଜକୁ ଏବଂ ନିଜ ପରିବାରକୁ ବଞ୍ଚାଇବା ସବୁ ନାଗରିକଙ୍କ ଦାୟିତ୍ୱ । ଆମେ ନିଜ କଥା ଚିନ୍ତା କରିବା ପୂର୍ବରୁ ପରିବାର ଲୋକଙ୍କ କଥା ବୁଝିବା ଦରକାର । କରୋନା ସହ ଆମର ଲଢେଇ ଦୀର୍ଘ ୬ ମାସର । ଆହୁରି ୧୭୨ ଦିନ ବାକି ରହିଛି । ସରକାରଙ୍କୁ ସହଯୋଗ କଲେ ସାରା ଓଡ଼ିଶାବାସୀ ବଞ୍ଚିବେ ବୋଲି ଭୂବନେଶ୍ୱର ଗୀତଗୋବିନ୍ଦ ସଦନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ବାଗଚୀ କହିଛନ୍ତି ।
ଏହାସହ ରାଜ୍ୟର ୫ ଜିଲ୍ଲାର ଲକ୍ ଡାଉନ ବିଷୟରେ ବାଗଚୀ ସରଳତାର ସହ ବୁଝାଇଛନ୍ତି । ଲକ୍ ଡାଉନ ଫଳରେ ରାଜ୍ୟର ୪୦ ପ୍ରତିଶତ ଲୋକେ ପ୍ରଭାବିତ ହେବେ । ନିକଟରେ ବିଦେଶରୁ ଫେରିଥିବା ୩ ହଜାର ବ୍ୟକ୍ତିଙ୍କ ମଧ୍ୟରୁ ଅଧିକାଂଶ ରାଜ୍ୟର ୫ଟି ଜିଲ୍ଲା ଏବଂ ୮ଟି ସହରାଞ୍ଚଳରେ ରହିଛନ୍ତି । ଖୋର୍ଦ୍ଧା, କଟକ, କେନ୍ଦ୍ରାପଡା, ଗଞ୍ଜାମ, ଅନୁଗୁଳ ଆଦି ଜିଲ୍ଲା ସହ ବାଲେଶ୍ୱର, ଭଦ୍ରକ, ସମ୍ବଲପୁର, ଯାଜପୁର ରୋଡ, ଯାଜପୁର ଟାଉନ୍, ରାଉରକେଲା, ପୁରୀ, ଝାରସୁଗୁଡା ସହରାଞ୍ଚଳର ଅଧିକାଂଶ ଲୋକେ ବିଦେଶ ଫେରନ୍ତା । ଏଣୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ମାର୍ଚ୍ଚ ୨୨ ସକାଳ ୭ଟାରୁ ୨୯ ତାରିଖ ରାତି ୯ଟା ଯାଏ ଏହି ଜିଲ୍ଲାଗୁଡିକ ଲକ୍ ଡାଉନ୍ ରହିବ । ଏହି ସମୟରେ ଲୋକେ ଘରେ ରହିବେ । ଅତ୍ୟାବଶ୍ୟକ ହେଲେ ବାହାରକୁ ଯାଇପାରିବେ । ଲକ୍ ଡାଉନ୍ ସମୟରେ ସଉଦା, ପରିବା, ମାଛ, ମାଂସ, ଅଣ୍ଡା, ଚିକେନ୍ ଦୋକାନ ଆଦି ଖୋଲା ରହିବ । ସେହିପରି ଓଡ୍ରାଫ, ଦୂରସଞ୍ଚାର, ପେଟ୍ରୋଲ ପମ୍ପ, ରେଳ ଷ୍ଟେସନ, ବିମାନ ବନ୍ଦର ଖୋଲା ରହିବ । ହସ୍ପିଟାଲ, ବ୍ୟାଙ୍କ, ଏଟିଏମ, ପୌରପାଳିକା ସେବା ଜାରି ରହିବ । ପୋଲିସ, ଅଗ୍ନିଶମ ବିଭାଗ, ପାନୀୟ ଜଳ, ବିଦ୍ୟୁତ ସେବା ବନ୍ଦ ରହିବ ନାହିଁ । ତେବେ କଟକଣା ଉଲଙ୍ଘନକାରୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବାଗଚୀ ସୂଚନା ଦେଇଛନ୍ତି ।
ଏହି ଲକ୍ ଡାଉନ୍ ୧୮୨ ଘଣ୍ଟା ପାଇଁ ବଳବତ୍ତର ରହିବ । ଏହି ସମୟ ମଧ୍ୟରେ ରେଳ, ବିମାନ, ବସ ଚଳାଚଳ ଚାଲିବ । ଘରୋଇ ସଂସ୍ଥାର କର୍ମଚାରୀମାନେ ଅଫିସ ନ ଆସିଲେ ସେମାନଙ୍କ ଦରମା ନ କାଟିବାକୁ ରାଜ୍ୟ ସରକାର ଘରୋଇ ସଂସ୍ଥାମାନଙ୍କୁ କହିଥିବା କରୋନା ସଚେତନତା ମୁଖ୍ୟ ପ୍ରବକ୍ତା ସୁବ୍ରତ ବାଗ୍ଚୀ ସୂଚନା ଦେଇଛନ୍ତି ।