(ହିଂଜିଳି କାଟୁ / ରଜନୀ କାନ୍ତ ପାତ୍ର) : କରୋନା ମହାମାରୀକୁ ନେଇ ବିଶ୍ୱବାସୀ ସ୍ତବ୍ଧ ପାଲଟି ଯାଇଥିବା ବେଳେ ଏଥିରେ ବହୁ ଲୋକ ଆକ୍ରାନ୍ତରେ ସୁସ୍ଥ ହୋଇଥିବା ବେଳେ ବହୁ ଲୋକଙ୍କ ଜୀବନ ମଧ୍ୟ ଯାଇଛି । ଓଡିଶାରେ ମଧ୍ୟ ବହୁ ଲୋକ ଏଥିରେ ପ୍ରାଣ ହରାଇଛନ୍ତି । ଏଥିରୁ ବାଦ ପଡି ନାହାନ୍ତି କୋଭିଡ ଯୋଦ୍ଧା । ରାଜ୍ୟ ସରକାରଙ୍କ ପକ୍ଷରୁ ଦିବଂଗତ ୭ କରୋନା ଯୋଦ୍ଧା ସାମ୍ବାଦିକଙ୍କ ପରିବାରକୁ ଆଜି ଅନୁକମ୍ପା ମୂଳକ ରାଶି ୧୫ ଲକ୍ଷ ଟଙ୍କା ଲେଖାଏଁ ପ୍ରଦାନ କରାଯାଇଛି । ଗଞ୍ଜାମ ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ କାର୍ୟ୍ୟକ୍ରମରେ ୭ ଜଣ ମୃତ କୋଭିଡ ଯୋଦ୍ଧାଙ୍କ ପରିବାରଙ୍କୁ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଜଣେ ପିଛା ୧୫ ଲକ୍ଷ ଟଙ୍କାର ଚେକ ପ୍ରଦାନ କରିଥିଲେ । କରୋନାର ପ୍ରଥମ ହେଉ ବା ଦ୍ୱିତୀୟ ଲହର ହେଉ ଲୋକମାନଙ୍କୁ ସଚେତନତା କରିବା ଆଦି ପ୍ରସଙ୍ଗରେ ଜିଲ୍ଲାର ସମସ୍ତ ସାମ୍ବାଦିକଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ରହିଥିଲା । ଏହି ସମୟରେ ଜିଲ୍ଲାର ବହୁ ସାମ୍ବାଦିକ କରୋନାରେ ଆକ୍ରାନ୍ତ ହେବା ସହ କିଛି ଜଣଙ୍କ ଦେହାନ୍ତ ହୋଇଥିବାରୁ ଜିଲ୍ଲାପାଳ ଦୁଃଖ ପ୍ରକାଶ କରିଥିଲେ । ଗୋବିନ୍ଦ ବେହେରା, ନରେଶ କୁମାର ବେହେରା, ରତ୍ନାକର ମହାରଣା, ପ୍ରଦୀପ କୁମାର ସାହୁ, କିଶୋର ଚନ୍ଦ୍ର ଦାଶ, କରୁଣାକର ସାହୁ, ନୀଳୟ ରଞ୍ଜନ ପଟ୍ଟନାୟକ କରୋନାରେ ଆକ୍ରନ୍ତ ହୋଇଥିବା ବେଳେ ଚିକିତ୍ସାଧିନ ଅବସ୍ଥାରେ ସେମାନଙ୍କର ଦେହାନ୍ତ ହୋଇଥିଲା । ରାଜ୍ୟରେ ଲୋକମାନଙ୍କୁ ବ୍ୟାପକ ସଚେତନତା କରାଇବାରେ ସାମ୍ବାଦିକଙ୍କ ଭୂମିକା ପ୍ରମୁଖ ରହିଥିଲା । ନିଜ ଜୀବନକୁ ବାଜି ଲଗାଇ ସର୍ବଦା କରୋନା ସଚେତନତା ପାଇଁ ଟିକନିଖ ଖବର ଲୋକଙ୍କ ନିକଟରେ ପହଂଚାଉଥିଲେ । ଆଜି ଗଞ୍ଜାମ ଜିଲ୍ଲାରେ ଏହି ୭ ଜଣଙ୍କ ପରିବାରକୁ ରାଜ୍ୟ ସରକାରଙ୍କ ପକ୍ଷରୁ ଘୋଷଣା ହୋଇଥିବା ରାଶି ପ୍ରଦାନ କରାଯାଇଛି । ଏନେଇ ସମସ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାଧୁବାଦ ଜଣାଇବା ସହ କେନ୍ଦ୍ର ସରକାରଙ୍କ ପକ୍ଷରୁ ମଧ୍ୟ କିଛି ଆର୍ଥିକ କ୍ଷତି ପ୍ରଦାନ କରିଥିଲେ ଭଲ ହୋଇଥାନ୍ତା ବୋଲି କହିଥିଲେ । ସେହିପରି ଆର୍ଶୀବାଦ ଯୋଜନା ପୁନଃ କାର୍ୟ୍ୟକ୍ଷମ ପାଇଁ ମଧ୍ୟ ନିବେଦନ କରିଥିଲେ । ଆୟୋଜିତ କାର୍ୟ୍ୟକ୍ରମରେ ଗଞ୍ଜାମ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରାଙ୍କ ସମେତ ଯୋଦ୍ଧାଙ୍କ ପରିବାର ସଦସ୍ୟ ଉପସ୍ଥିତ ଥିଲେ ।
