ନୂଆଦିଲ୍ଲୀ: କରୋନା ଯୁଦ୍ଧରେ ଆଗଧାଡିର ଯୋଦ୍ଧା ପାଲଟିଛନ୍ତି ଡାକ୍ତର, ନର୍ସ ଓ ସ୍ୱାସ୍ଥ୍ୟ ଏହି ଆଗଧାଡିର ଯୋଦ୍ଧାଙ୍କ ସେବା ମନୋବୃତ୍ତି ପାଇଁ ସେମାନଙ୍କୁ ସମ୍ମାନିତ କରାଯାଉଛି, ସରକାର ଏମାନଙ୍କ ଭୂୟସୀ ପ୍ରଶଂସା କରୁଛି । କିନ୍ତୁ ରାଜଧାନୀ ଦିଲ୍ଲୀରେ ଡାକ୍ତରମାନେ ତିନିମାସ ଦରମା ପାଇବାରୁ ବଞ୍ଚିତ ହୋଇଛନ୍ତି । ତେଣୁ ଶେଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖିଛନ୍ତି ସେମାନଙ୍କ ଦୁଃଖ ଜଣାଇଛନ୍ତି। ଉତ୍ତର ଦିଲ୍ଲୀ ମ୍ୟୁନିସିପାଲ କର୍ପୋରେସନ ଅଧୀନରେ ଥିବା ଡାକ୍ତରଖାନାର ଡାକ୍ତର ସଂଘ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ଗତ ତିନିମାସ ଧରି ଦରମା ପାଇନଥିବା ଜଣାଇଛନ୍ତି।
ଚିଠିରେ ଉଲ୍ଲେଖ ରହିଛି, କରୋନା ମହାମାରୀ ମଧ୍ୟରେ ଆମେ ଅତ୍ୟଧିକ ଚାପଗ୍ରସ୍ତ ସ୍ଥିତିରେ କାର୍ୟ୍ୟ କରୁଛୁ । ଆସୋସିଏସନ ସଭାପତି ଡକ୍ଟର ଆର.ଆର.ଗୌତମ କହିଛନ୍ତି ଯେ ଗତ ତିନିମାସ ହେଲା ଆମକୁ ଦରମା ଦିଆଯାଇ ନାହିଁ । ଏହା ସତ୍ତେ୍ୱ ମଧ୍ୟ ଡାକ୍ତର ହିସାବରେ ଆମେ ଆମର କର୍ତ୍ତବ୍ୟ ସମ୍ପାଦନ କରି ଚାଲିଛୁ। ତେଣୁ ଆମକୁ ଆମ ଦରମା ଦିଆଯାଉ ।
