ଓଡିଶା

ଶାସକ ଦଳର ଚିନ୍ତା ବଢିଛି

ଭୁବନେଶ୍ୱର/ଶିଳାସ୍ମିତା ରାୟ: ଆଉ ମଝିରେ ୨ ଦିନ । ତା ପରେ ତିର୍ତ୍ତୋଲ ଓ ବାଲେଶ୍ୱର ସଦର ଉପନିର୍ବାଚନ । ଲୋକ ଗହଳି, ନାରାବାଜିରେ ବିଜେଡି ନେତା ଛାତି ଫୁଲେଇବା ଆରମ୍ଭ କରି ଦେଲା ବେଳକୁ କିନ୍ତୁ ସେମାନଙ୍କ ସବୁ ଦମ୍ଭ ପାଣି ଫୋଟକା ପରି ମିଳେଇଗଲା ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ପ୍ରଚାର ଦେଖି । ବିଜେଡି ତାର ଅର୍ଥବଳ, ବାହୁବଳ ସବୁ ଲଗାଇ ଦେଇଛି ନିର୍ବାଚନ ମଇଦାନରେ ବିଜୟ ହାତେଇବାକୁ । ଦିନ ରାତି ନେତା ସେଠାରେ ଡେରା ପକାଇଛନ୍ତି । ଦିନରେ ସାର୍ବଜନୀନଭାବେ ଯାହା ପ୍ରଚାର ପ୍ରସାର ହେଉଛି, ତା ପରେ ରାତି ହେଲେ ଭୋଜିଭାତ, ନାଲିପାଣି ଦେଉଛନ୍ତି । ରାଜକୋଷ ଅର୍ଥରେ ଉଭୟ ଜାଗାରେ କୁଆଡେ ଖୋଲା ହାତ, ଖୋଲା ମନରେ ନେତାଏ ଅର୍ଥ ଖର୍ଚ୍ଚ କରି ଚାଲିଛନ୍ତି । ସବୁ ଥର ନିର୍ବାଚନ ପୂର୍ବରୁ ରାତିରେ ଶାସକ ଦଳ ନେତା ଅନ୍ଧାରି ବିଜେ କରନ୍ତି, ରାତିରେ ଭୋଟରଙ୍କୁ ଭୋଟ ପାଇଁ ହାତ ଗୁଞ୍ଜା ଦିଆଯାଏ । ମଦ ମାଂସ ଭୋଜିରେ ଗାଁ ହୁଲୁସ୍ତୁଲୁ ହୁଏ । କିନ୍ତୁ ଚଳିତ ଦୁଇ ଉପନିର୍ବାଚନରେ ଦେଖିବାକୁ ମିଳିଛି ବ୍ୟତିକ୍ରମ । ଏଥର ସ୍ଥାନୀୟ ଅଞ୍ଚଳର ଲୋକେ ନିର୍ବାଚନ ପୂର୍ବରୁ ଦଶହରା ଖର୍ଚ୍ଚ ବିଜେଡି ନେତାଙ୍କଠୁ ଢେର ଟାଣି ନେଇଛନ୍ତି । ଭୋଟରଙ୍କୁ ଅକୃଷ୍ଟ କରିବାକୁ ବିଜେଡିର ସବୁ ରଣନୀତିକୁ କିନ୍ତୁ ଫୁ ପରି ଉଡେଇ ଦେଇଛନ୍ତି ସାଂସଦ ଅପରାଜିତା ଷଡଙ୍ଗୀ ।

ସାଂସଦ ଅପରାଜିତା ଯେଉଁଠାକୁ ଯାଉଛନ୍ତି, ଲୋକେ ଆପଣାଛାଁ ସେଠାକୁ ଟାଣି ହୋଇ ଆସୁଛନ୍ତି । ଅପରାଜିତାଙ୍କ ପ୍ରଚାର, ରାଲି ପାଇଁ ତାଙ୍କୁ ବା ତାଙ୍କ ଦଳକୁ ସେମିତି କିଛି ଖର୍ଚ୍ଚ କରିବାକୁ ହେଉନି । ଲୋକଙ୍କର ତାଙ୍କ ପ୍ରତି ଥିବା ସ୍ନେହ, ଶ୍ରଦ୍ଧା ସମ୍ମାନ ସେମାନଙ୍କୁ ତାଙ୍କ ନିକଟକୁ ଟାଣି ଆଣୁଥିବା ଲୋକେ କୁହନ୍ତି । ସେଠାର ପ୍ରଚାର ମଇଦାନରେ ଅପରାଜିତା ସବୁ ନେତା ମନ୍ତ୍ରୀଙ୍କ ଉପରେ ପଡିଛନ୍ତି ଭାରି । ଏସବୁ କୁ ନେଇ ସେଠାକାର ଲୋକେ କୁହନ୍ତି, ରାଜନେତାଙ୍କ ଆଖି ଭୋଟ ଉପରେ । ଭୋଟ ପାଇବାକୁ ଭୋଟର ଏକ ସାଧନ । ତେଣୁ ଭୋଟ ପୂର୍ବରୁ ଭୋଟରକୁ ମିଠା କଥା କହି, ମିଛ ପ୍ରତିଶ୍ରୁତି ଦେଇ ରାତି ଅଧିଆ ଟଙ୍କା ଦେବା ସହ ତାଙ୍କ ଦଳ ପାଇଁ ଭୋଟ ଦେବାକୁ ଗୀତା, ଭାଗବତ, କୋରାନ ଛୁଆଇଁ ଶପଥ କରାନ୍ତି । ଏ ନେତାଙ୍କର କୌଣସି ନୀତି ଆଦର୍ଶ ନାହିଁ ।

ହେଲେ ମାଡାମ ଅପରାଜିତା ଷଡଙ୍ଗୀ ନେତା ହେବା ଆଗରୁ ଜଣେ ପ୍ରଶାସିକା । ସେ ଲୋକଙ୍କ ହିତ ପାଇଁ କାମ କରିଛନ୍ତି । ଲୋକଙ୍କ ଅସୁବିଧା ସୁବିଧା ହୃଦୟଜ୍ଞମ କରିଛନ୍ତି । ତେଣୁ ଏବେ ସେ ରାଜନୀତିକୁ ଆସିବା ପରେ ନିଶ୍ଚିତ ଲୋକଙ୍କ ସମସ୍ୟାର ସମାଧାନ ପାଇଁ କାମ କରିବେ ବୋଲି ଲୋକେ ଆଶା ରଖିଥିବା କୁହନ୍ତି । ସେ ରାଜନୀତିରୁ ଊଦ୍ଧ୍ୱର୍ରେ ରହି ଲୋକଙ୍କ ସହ ବ୍ୟକ୍ତିଗତସ୍ତରରେ ସମ୍ପର୍କ ସ୍ଥାପନ କରିବାକୁ ବାଟ ଖୋଲିଛନ୍ତି । ତାଙ୍କ ନିକଟକୁ ଯେତେବେଳେ ଯେଉଁ ଅସହାୟ ବ୍ୟକ୍ତି ଯାଇପାରୁଛି । ଏପରି କି ରାଜ ରାସ୍ତା ଉପରେ ମଧ୍ୟ ସେ ଲୋକଙ୍କ ଦୁଃଖ ଶୁଣିବା କ୍ଷମତା ରଖିଛନ୍ତି । ସେ ତାକୁ ବ୍ୟକ୍ତିଗତସ୍ତରରେ ହେଉ ବା ପ୍ରଶାସନିକ ଅବା ଶାସନ କଳ ମାଧ୍ୟମରେ ସାହାଯ୍ୟ କରିଥିବାରୁ ଲୋକେ ତାଙ୍କୁ ଭଲ ପାଉଥିବା ମତ ଦିଅନ୍ତି ।

ଏସବୁ ଦେଖିବା ପରେ ମନେ ହୁଏ, ଆମ ରାଜନେତା ଯେଉଁ ଭାବନ୍ତି ସେମାନେ ଲୋକଙ୍କୁ ଭକୁଆ ବନେଇ ଶାସନ ଗାଦିକୁ ଯାଉଛନ୍ତି ତାହା ଠିକ ନୁହେଁ । ଲୋକେ ରାଜନୀତି, ରାଜନେତା ଓ ସେମାନଙ୍କ ଫାନ୍ଦିକୁ ବୁଝିଛନ୍ତି । ତେଣୁ ଯାହା ମିଳୁଛି ତାକୁ ଅଣ୍ଟିରେ ପୁରେଇବାକୁ କୌଣସି ବେଆଇନ କାମ ଭାବୁ ନାହାନ୍ତି । ରାଜ୍ୟରେ ବିଜେଡିକୁ ଛାଡି ଦେଲେ ଅନ୍ୟ କୌଣସି ଦଳରେ ମୁଖ୍ୟମନ୍ତ୍ରୀ ପଦର ଦାବିଦାର ନ ଥିବାରୁ ଲୋକେ ବିଜେଡିକୁ ବାଛୁଥିବା ପରି ମନେ ହୁଏ । ଆଉ ଯେତେବେଳେ ସାଂସଦ ଅପରାଜିତାଙ୍କ ପରି ଜଣେ ଟାଣୁଆ ଓ ନିସ୍ୱାର୍ଥପର ନେତାଙ୍କୁ ପାଏ ନିଜ ସମର୍ଥନ, ସ୍ନେହ, ପ୍ରେମ ଢାଳି ଦେବାକୁ ପଛଘୁଞ୍ଚା ଦିଏ ନାହିଁ । ଏଇଥିପାଇଁ ଭୁବନେଶ୍ୱର ଲୋକସଭା ଆସନ ପରି ଆସନରୁ ସେ ବିଜୟ ହାସଲ କରିଛନ୍ତି, ଯେତେବେଳେ କି ବିଧାନସଭା ଆସନ ବିଜେଡିକୁ ଚାଲି ଯାଇଛି । ଲୋକଙ୍କ ରଙ୍ଗଢଙ୍ଗ ଦେଖି ବିଜେଡି ନେତା ଓ ସୁପ୍ରିମୋଙ୍କ ମଧ୍ୟରେ ମଧ୍ୟ ଛନକା ପସିଛି । ଅପରାଜିତାଙ୍କ ହ୍ୱାୱାରେ ବିଜେପି ଧୀରେ ଧୀରେ ଲୋକଙ୍କ ବିଶ୍ୱାସ ଭାଜନ ହେବାକୁ ନେଇ ଶାସକ ଦଳର ଚିନ୍ତା ବଢିଥିବା ଶୁଣିବାକୁ ମିଳୁଛି ।

Related posts

ହାତୀଲୁଜାଣୀ ଛକରେ ବାଇକ- ତେଲ ଟ୍ୟାଙ୍କର ଧକ୍କା, ୧ ମୃତ

mahabharatanews

ସିଂହୀ ଶୂନ୍ୟ ନନ୍ଦନକାନନ

mahabharatanews

ବିଶ୍ୱ ମହିଳା ଦିବସରେ ବାଲୁକା କଳାରେ ଶିଳ୍ପୀ ମାନସ ସାହୁଙ୍କ ବାର୍ତ୍ତା

mahabharatanews