(ମହାଭାରତ, ହିଞ୍ଜିଳି): ଓଡ଼ିଶାରେ ଚକ୍ଷୁ ଚିକିତ୍ସା କ୍ଷେତ୍ରରେ ଏକ ସମୃଦ୍ଧ ଚିକିତ୍ସାନୁଷ୍ଠାନ ଭାବେ ‘ଶଙ୍କର ଚକ୍ଷୁ ଚିକିତ୍ସାଳୟ’ ବେଶ ଜଣାଶୁଣା । ପ୍ରତିବର୍ଷ ଆଞ୍ଚଳିକ ଚକ୍ଷୁ ଚିକିତ୍ସକମାନଙ୍କୁ ଆନ୍ତର୍ଜାତୀୟ ସ୍ତରରେ ଚକ୍ଷୁ ଚିିକିତ୍ସା କ୍ଷେତ୍ରରେ ହେଉଥିବା ପରିବର୍ତ୍ତନ ଓ କ୍ରମବିକାଶ ପାଇଁ ‘କଳିଙ୍ଗ ଶଙ୍କର’ ନାମରେ କର୍ମଶାଳାର ଆୟୋଜନ ହୋଇଆସୁଛି । ଚଳିତଥର ଏହି କର୍ମଶାଳା ସ୍ଥାନୀୟ ସମରଝୋଳ ସ୍ଥିତ ଶଙ୍କର ଚକ୍ଷୁ ଚିକିତ୍ସାଳୟ ଠାରେ ଅନୁଷ୍ଠିତ ହୋଇଛି । ଏହି ଅବସରରେ ବିଭିନ୍ନ ରାଜ୍ୟରୁ ଆସିଥିବା ଚକ୍ଷୁ ବିଶେଷଜ୍ଞମାନେ ଏଥିରେ ଯୋଗ ଦେଇଥିଲେ । ଅଭିଜ୍ଞ ଚକ୍ଷୁ ଚିକିତ୍ସକଙ୍କ ଦ୍ୱାରା କରାଯାଉଥିବା ଅସ୍ତ୍ରୋପଚାରର ସିଧା ପ୍ରସାରଣ କର୍ମଶାଳାରେ କରାଯାଇଥିଲା । ଏହାସହ ରାଜ୍ୟରେ ଚକ୍ଷୁ ଚିକିତ୍ସାକୁ କିପରି ଆହୁରି ସରଳ କରିହେବ ସେନେଇ ଆଲୋଚନା ହୋଇଥିଲା । ଏଥିରେ ଶଙ୍କର ଚକ୍ଷୁ ଚିକିତ୍ସାଳୟର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅରବିନ୍ଦ ମହାନ୍ତି, ଅସ୍ତ୍ରୋପଚାର ପ୍ରମୁଖ ଡ଼. ସନ୍ଦୀପ ଦାଶ, ରାଉରକେଲା ଆଇଜିଏଚ୍ର ଚକ୍ଷୁ ବିଶେଷଜ୍ଞ ଡ଼. ପୁଷ୍ପା କୁମାରୀ ପ୍ରମୁଖ ଯୋଗ ଦେଇଥିଲେ । ଚକ୍ଷୁ ଚିକିତ୍ସା କ୍ଷେତ୍ରରେ ଏଭଳି କର୍ମଶାଳାର ଆୟୋଜନ ସ୍ୱାଗତଯୋଗ୍ୟ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ଶଙ୍କର ଚକ୍ଷୁ ଚିକିତ୍ସାଳୟର ଲୋକସମ୍ପର୍କ ଅଧିକାରୀ ବି. ଶ୍ରୀନିବାସନ ଓ ଶିବିର ସଞ୍ଚାଳକ ନଳୀନିକାନ୍ତ ରାଉତ କର୍ମଶାଳାର ପରିଚାଳନା କରିଥିଲେ ।
previous post
next post