(ନୂଆଦିଲ୍ଲୀ) ; କୂଅ ଖୋଳିବା ସମୟରେ ମିଳିଲା ମୂଲ୍ୟବାନ ନୀଳା ପଥର । ଏହାର ଓଜନ ପ୍ରାୟ ୫୧୦ କେଜି ହୋଇଥବା ଅନୁମାନ କରାଯାଉଛି । ଶ୍ରୀଲଙ୍କାର କର୍ତ୍ତୃପକ୍ଷ ଦାବି କରିଛନ୍ତି ଯେ ସେଠାରେ ଏକ ଘର ପଛପଟେ କୂଅ ଖନନ ବେଳେ ବିଶ୍ୱର ବୃହତ୍ତମ ନୀଳା ରତ୍ନପଥର ମିଳିଛି।ବିଶେଷଜ୍ଞମାନେ କହିଛନ୍ତି ଯେ ଏହି ନୀଳା ପଥରର ମୂଲ୍ୟ ଅନ୍ତର୍ଜାତୀୟ ବଜାରରେ ପ୍ରାୟ ୧୦ କୋଟି ଡଲାର।ବିଶେଷଜ୍ଞମାନେ ଏହି ନୀଳାକୁ ସେରେଣ୍ଡିପିଟି ନୀଳା ନାଁ ଦେଇଛନ୍ତି । ଏହାର ଓଜନ ପ୍ରାୟ ୫୧୦ କିଲୋଗ୍ରାମ ଏବଂ ୨.୫ ଲକ୍ଷ କ୍ୟାରେଟର। ଏହି ନୀଳାର ମାଲିକ ଡକ୍ଟର ଗମାଗେ ବିସିସିକୁ କହିଛନ୍ତି ଯେ ଯେଉଁ ବ୍ୟକ୍ତି ତାଙ୍କ ଘରେ କୂଅ ଖୋଳୁଥିଲେ, ଖନନ ବେଳେ ଭୂମି ତଳେ କିଛି ମୂଲ୍ୟବାନ ପଥର ପୋତି ହୋଇଥିବା ତାଙ୍କୁ ସୂଚନା ଦେଇଥିଲେ। ପରେ ସେମାନେ ଏହି ବଡ ପଥର ବାହାର କରିବାରେ ସଫଳ ହୋଇଥିଲେ।ଡକ୍ଟର ଗମାଗେ କହିଛନ୍ତି ଯେ ପଥର ସଫା କରିବା ସମୟରେ ନୀଳମଣିର କିଛି ଖଣ୍ଡ ଏହାଠାରୁ ଖସି ଯାଇଥିଲା। ବିଶ୍ଳେଷଣ ସମୟରେ ଜଣାପଡିଥିଲା ଯେ ସେଗୁଡ଼ିକ ଅତି ଉଚ୍ଚ ଶ୍ରେଣୀର ମୂଲ୍ୟବାନ ପଥର। ଏହି ପଥର ରତ୍ନାପୁରା ସହରରେ ଦେଖିବାକୁ ମିଳିଛି।