ଲକ୍ଷେ୍ନø: ସାରା ଦେଶରେ ଜାରିଥିବା ଲକଡାଉନକୁ ନେଇ ଗରିବ, ଦିନମଜୁରିଆ, ଭିକାରୀ, ବେସାହାରା ଖାଦ୍ୟ ନ ପାଇ ଡହଳ ବିକଳ ହେଉଛନ୍ତି । ଦେଶର କିଛି ଅଞ୍ଚଳରେ ସ୍ୱେଚ୍ଛାସେବୀ ସଂଗଠନ, ସରକାରୀ ସଂଗଠନ ଦ୍ୱାରା ଖାଦ୍ୟ ଯୋଗଇ ଦିଆଯାଉଛି । କିନ୍ତୁ ଏହା ସମୁଦ୍ରକୁ ଶଙ୍ଖେ ସଦୃଶ । ଏହା ମଧ୍ୟରେ ଆଗ୍ରାରେ ଘଟିଯାଇଛି ଏକ ହୃଦୟବିଦାରକ ଘଟଣା । ରାସ୍ତାରେ ପଡିଥିବା କ୍ଷୀରର ଗୋଟିଏ ବିନ୍ଦୁ ପାଇବାକୁ ଉଭୟ ମଣିଷ ଓ ପଶୁଙ୍କ ମଧ୍ୟରେ ଦେଖିବାକୁ ମିଳିଛି ପ୍ରତିଯୋଗୀତା ।
ଆଗ୍ରାର ରାମବାଗ ଚୌରା ଅଞ୍ଚଳରେ ଗୋଟିଏ କ୍ଷୀର କଣ୍ଟେନର ଓଲଟି ପଡିଥିଲା । ରାସ୍ତାରେ କ୍ଷୀର ଲହଢି ଭାଙ୍ଗିବା ବେଳକୁ ଜଣେ ଲୋକ ଏକ ପାତ୍ରରେ ରାସ୍ତା ଉପରେ କ୍ଷୀର ପୋଛିନେଉଥିବା ବେଳେ କିଛି କୁକୁର ମଧ୍ୟ କ୍ଷୀରକୁ ପିଇବାକୁ ମୁହଁ ଲଗାଇ ଚାଟି ଚାଲିଥିଲେ । କୁକୁର କ୍ଷୀରର ଚାଟୁଥିଲେ ମଧ୍ୟ ଉକ୍ତ ବ୍ୟକ୍ତି ଏଥିପ୍ରତି ତିଳେମାତ୍ର ଭୃକ୍ଷେପ ନ କରି ଆଞ୍ଜୁଳା ଆଞ୍ଜୁଳା କରି ତାଙ୍କ ପାତ୍ରକୁ କ୍ଷୀରରେ ଭରିବାକୁ ଚେଷ୍ଟା କରୁଥିଲେ । ଏହାର ଭିଡିଓ ରେକଡିଂ କରି କେହି ସୋସିଆଲ ମିଡିଆରେ ଅପଲୋକ କରିବା ପରେ ଏହା ଭାଇରାଲ ହେବାରେ ଲାଗିଛି । ଲକଡାଉନରେ ମଣିଷ ଓ ପଶୁଙ୍କ ମଧ୍ୟରେ ଥିବା ବିଭେଦ କିପରି ଦୂର ହୋଇ ସମସ୍ତେ ଖାଦ୍ୟ ଟିକେ ପାଇଁ ଡହଳ ବିକଳ ହେଉଛନ୍ତି ଏହାର ଦୃଶ୍ୟ ମାନବ ସମାଜକୁ ନିଶ୍ଚିତ ଲଜ୍ଜିତ କରିବ କହିଲେ ଅତ୍ୟୁକ୍ତି ହେବ ନାହିଁ ।