Uncategorized

ଗଣମାଧ୍ୟମର କଣ୍ଠରୋଧ କରିବାକୁ ଚାଲିଛି ପ୍ରୟାସ

ଭୁବନେଶ୍ୱର/ଶିଳାସ୍ମିତା ରାୟ: ସଂକଟରେ ଗଣମାଧ୍ୟମ । ଗଣମାଧ୍ୟମର କଣ୍ଠରୋଧ କରିବାକୁ ଦେଶରେ ଚାଲିଛି ଜୋରଦାର ପ୍ରୟାସ । ଗଣମାଧ୍ୟମର ନିରପେକ୍ଷତା, ସ୍ୱାଧୀନତାକୁ ନଷ୍ଟ କରିବାକୁ ସରକାରୀ କଳ ଚଳାଇଛି ଷଡଯନ୍ତ୍ର । ଗଣମାଧ୍ୟମକୁ ଡରି ସରକାର ଚଳାଇଛି ଗୁଣ୍ଡାଗିରି । ମନଇଛା ଯାହାକୁ ମନେ ତାକୁ ବିନା କାରଣରେ, ବିନା ସୂଚନାରେ ଉଠାଇ ନିଆଯାଉଛି । ଏପରି କରି ସମସ୍ତ ଗଣମାଧ୍ୟମକୁ ଭୟଭୀତ କରିବାକୁ ପ୍ରୟାସ କରାଯାଉଥିବା ଚର୍ଚ୍ଚା ହେଉଛି । ସରକାରୀ କଳର ଦୋଷ ଦୁର୍ବଳତାକୁ ଜନତାଙ୍କ ସମ୍ମୁଖରେ ଉପସ୍ଥାପନ କରୁଥିôବା ଗଣମାଧ୍ୟମକୁ ଡରେଇ ଧମକେଇ ନିଜ ମୁଖପାତ୍ର କରିବାକୁ ହେଉଛି ଯୋଜନା । ଯାହା ଆଜି ସକାଳୁ ରିପବ୍ଲିକ ଟିଭିର ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀଙ୍କ କ୍ଷେତ୍ରରେ ଦେଖିବାକୁ ମିଳିଛି ।

ଆଜି ସକାଳୁ ସକାଳୁ ଅର୍ଣ୍ଣବଙ୍କୁ ପୁଲିସ ତାଙ୍କ ଘରୁ ଜୋର ଜବରଦସ୍ତ ଟେକି ନେଲା । ନା ସମନ ଜାରି ହୋଇଥିଲା ନା ୱାରେଣ୍ଟ ଥିଲା । କିନ୍ତୁ ତାଙ୍କ ଘରେ ପୁଲିସ ପଶି ତାଙ୍କୁ ମାଡ ମାରିବା ସହ ଘରୁ ବଳପୂର୍ବକ ଉଠାଇନେଲା । ଠିକ ଯେମିତି କିଛି ଦିନ ତଳେ ଭୁବନେଶ୍ୱରରୁ ବରିଷ୍ଠ ସାମ୍ବାଦିକ ରମେଶ ରଥଙ୍କୁ ତାଙ୍କ ଘର ସମ୍ମୁଖରୁ ଉଠାଇ ନିଆଯାଇଥିଲା । ପ୍ରାରମ୍ଭିକ ଅବସ୍ଥାରେ ତାଙ୍କୁ କାହିଁ ପୁଲିସ ଉଠାଇନେଲା ତାହା ମଧ୍ୟ ଜଣାପଡି ନ ଥିଲା । ଉଭୟଙ୍କ କ୍ଷେତ୍ରରେ ସବୁ କିଛି ଥିଲା ସମାନ । ବିନା କୌଣସି ପୂର୍ବ ସୂଚନାରେ ପୁଲିସ ଉଭୟଙ୍କୁ ଉଠାଇନେଲା । ଯେପର୍ଯ୍ୟନ୍ତ ଗଣମାଧ୍ୟମରେ ଖବର ପ୍ରସାରଣ ହୋଇ ନ ଥିଲା, ସେ ପର୍ଯ୍ୟନ୍ତ ପୁଲିସ ତରଫରୁ ଆସିନଥିଲା କୌଣସି ସ୍ପଷ୍ଟିକରଣ । ଗଣମାଧ୍ୟମରେ ଖବର ଆସିବା ପରେ ମୁମ୍ବାଇ ପୁଲିସ କହିଲା ପୁରୁଣା ଏକ ମାମଲାରେ ତାଙ୍କୁ ଉଠାଇ ନିଆଯାଇଛି ।

୨୦୧୮ରେ ତାଙ୍କ ସଂସ୍ଥାରେ କାମ କରିଥିବା ଜଣେ ଆର୍କିଟେକଙ୍କୁ ତାଙ୍କ ଦରମା ଦିଆ ନ ଯିବାରୁ ସେ ଓ ତାଙ୍କ ମା’ ଆତ୍ମହତ୍ୟା କରିଥିଲେ । ସେହି ମାମଲାରେ ପୁଲିସ ଅର୍ଣ୍ଣବଙ୍କୁ ଉଠାଇ ନେଇଥିବା କୁହାଯାଇଛି । ସେମିତି ରମେଶଙ୍କୁ ଉଠାଇନେବାର ୩ ଘଣ୍ଟା ପରେ ଖବର ପ୍ରସାରଣ ହେବାରୁ ଓଡିଶା ପୁଲିସର କେଉଁଝର ଶାଖା କହିଥିଲା ୨୦୧୮ରେ ସାଂସଦ ଚନ୍ଦ୍ରାଣୀ ମୁର୍ମୁଙ୍କ ଭାଇରାଲ ଭିଡିଓ ମାମଲାରେ ତାଙ୍କୁ ଉଠାଇ ନିଆଯାଇଛି । ଦୁଇଟି ଯାକ ମାମଲାରେ ସବୁ କିଛି ପୂରା ସମାନ ରହିଛି । ପୁରୁଣା ମାମଲାକୁ ଟାଣି ଓଟାରି ବର୍ତ୍ତମାନ ସାମ୍ବାଦିକଙ୍କୁ ପୁଲିସ ଉଠାଇ ନେଉଛି । ଯେଉଁ ଗଣମାଧ୍ୟମ ସରକାର ବିରୋଧରେ ବା ସରକାରୀ କଳର ଦୋଷ ଦୁର୍ବଳତାକୁ ସର୍ବସମ୍ମୁଖକୁ ଆଣୁଛି ସେହି ଗଣମାଧ୍ୟମର ପ୍ରତିନିଧି ବା ସେହି ଖବର ପ୍ରସ୍ତୁତ କରିଥିବା ସାମ୍ବାଦିକଙ୍କୁ ପୁଲିସ ଉଠାଇ ନେଉଛି ।

ଅର୍ଣ୍ଣବ ଗୋସ୍ୱାମୀଙ୍କ ଚ୍ୟାନେଲ ରିପବ୍ଲିକ ଭାରତ ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ଘଟଣା ପରଠାରୁ ମୁମ୍ବାଇ ପୁଲିସର ଟାଳଟୁଳ ତଦନ୍ତ ପ୍ରକିୟାକୁ ନେଇ ପଚାରି ଚାଲିଛି ପ୍ରଶ୍ନ । ସେହିପରି ଏହି ଘଟଣାରେ ମହାରାଷ୍ଟ୍ର ସରକାର ବିରୋଧରେ ସ୍ୱର ଉଠାଉଥିବା ବ୍ୟକ୍ତି ବିଶେଷଙ୍କ ଉପରେ ସରକାର ତଥା ପୁଲିସ ଦମଳ ଲୀଳା ଚଳାଇଛି । ଏହା ପଛର କାରଣ ହେଉଛି ସୁଶାନ୍ତଙ୍କ ପୂର୍ବତନ ମ୍ୟାନେଜର ଦିଶା ସାନ୍ୟାଲ ମୃତ୍ୟୁ ମାମଲାରେ ଉଦ୍ଧବ ଠାକରେଙ୍କ ପୁଅ ଅଦିତ୍ୟ ଠାକରେଙ୍କ ସମ୍ପୃକ୍ତି ନେଇ ଚର୍ଚ୍ଚା ଉଠିଥିଲା । ହୁଏତ ଘଟଣାରେ ପୁଅର ସମ୍ପୃକ୍ତିକୁ ଲୁଚାଇବାକୁ ଉଦ୍ଧବ ସରକାର ନିର୍ଦ୍ଦେଶରେ ମୁମ୍ବାଇ ପୁଲିସ କାର୍ଯ୍ୟ କରୁଥିଲା । କିନ୍ତୁ ସେହି ଘଟଣାକୁ ରିପବ୍ଲିକ ଟିଭି ଲୋକଙ୍କ ନିକଟରେ ପହଞ୍ଚାଉଥିଲା । ବାରମ୍ବାର ଘଟଣାକୁ ନେଇ ସରକାର ଉପରେ ଚାପ ପକାଉଥିଲା । ସେବେଠାରୁ ଅର୍ଣ୍ଣବ ଓ ମହାରାଷ୍ଟ୍ର ସରକାର ମଧ୍ୟରେ ଚାଲିଛି ଛକାପଞ୍ଝା

ସେହିପରି ଆମ ରାଜ୍ୟରେ ପ୍ରାୟତଃ ସମସ୍ତ ଗଣମାଧ୍ୟମ ଶାସକ ଦଳର କ୍ରିତଦାସ ସାଜିଛି । ସରକାରୀ କଳର ଦୋଷ ଦୁର୍ବଳତାକୁ ଲୁଚାଇ ଖାଲି ମିଛ ଯୋଜନାର ପ୍ରଚାର ପ୍ରସାର କରୁଛି । କିନ୍ତୁ ଓଟିଭି ବିଭିନ୍ନ ସମୟରେ ସରକାରର ଭୁଲ ତ୍ରୁଟିକୁ ନେଇ ଖବର ପ୍ରସାରଣ କରି ଆସୁଛି । ଏହା ବ୍ୟତୀତ ଓଟିଭି ମାଲିକ ବୈଜୟନ୍ତ ବିଜେପିରେ ସାମିଲ ହୋଇ ଜାତୀୟ ବିଜେପି ଉପସଭାପତି ପଦରେ ଅଛନ୍ତି । ଯେଉଁଥି ପାଇଁ ଓଟିଭି ଉପରେ ଦୀର୍ଘ ୨ ବର୍ଷ ହେବ ସରକାରୀ କଳର କୋପ ଦୃଷ୍ଟି ପଡିଛି । ବିଭିନ୍ନ ସମୟରେ ଓଟିଭି ଉପରେ ଅଙ୍କୁଶ ଲଗାଇବାକୁ ପ୍ରୟାସ କରାଯାଉଛି । ଓଟିଭିକୁ ବିଭିନ୍ନ ସ୍ଥାନକୁ ବାରଣ ରହିଛି । ତଥାପି ଏହି ଗଣମାଧ୍ୟମ ତାର କାର୍ଯ୍ୟ ସମ୍ପାଦନ କରି ଚାଲିଛି । ୨ ମାସ ତଳେ ରାଜ୍ୟରେ ହୋଇଥିବା ବନ୍ୟା ସମୟରେ ବନ୍ୟା ସ୍ଥିତି ଅନୁଧ୍ୟାନକୁ ନେଇ ରମେଶ ରଥ ଜଣେ ସୂଚନା ଅଧିକାର କର୍ମୀଙ୍କ ରିପୋର୍ଟ ଆଧାରରେ ମୁଖ୍ୟମନ୍ତ୍ରୀଙ୍କ ବନ୍ୟାଞ୍ଚଳ ଗସ୍ତକୁ ନେଇ ଖବର ପ୍ରସାରଣ କରିଥିଲା । ଏହା ପରେ ତାଙ୍କୁ ପୁଲିସ ଉଠାଇ ନେଇଥିଲା ।

ଉଭୟ ଅର୍ଣ୍ଣବ ଓ ରମେଶଙ୍କୁ ପୁରୁଣା ଦୁଇଟି ମାମଲାରେ ଜଡିତ କରି ପୁଲିସ ଉଠାଇ ନେଇଛି । ତେବେ ପୁଲିସକୁ ଏହି ଅଧିକାର ଦେଲା କିଏ? ଯଦି ୨୦୧୮ର ଦୁଇ ପୃଥକ ମାମଲାରେ ଉଭୟଙ୍କ ସମ୍ପୃକ୍ତି ରହିଥିଲା, ପୁଲିସ ଏତେ ଦିନ ଚୁପ କାହିଁ ବସିଥିଲା? ବିନା ସମନ ବା ୱାରେଣ୍ଟରେ କାହାକୁ ଉଠାଇନେବାର ଅଧିକାର ପୁଲିସ ପାଇଲା କୋଉଠୁ? ଅର୍ଣ୍ଣବଙ୍କୁ ପୂର୍ବ ମାମଲାରୁ ପୁଲିସ ମୁକ୍ତ କରିଥିଲା ଓ ଫାଇଲ କ୍ଲୋଜ କରାଯାଇଥିଲା । ଏପରି ସ୍ଥଳେ କେସ ରିଓପନ କରାଯାଇଛି କେବଳ ଅର୍ଣ୍ଣବଙ୍କୁ ଗିରଫ କରିବା ଉଦ୍ଦେଶ୍ୟରେ ବୋଲି ସ୍ପଷ୍ଟ ପ୍ରମାଣିତ ହେଉଛି । ଅର୍ଣ୍ଣବ ବା ରମେଶ କେହି ଅଣ୍ଡରଗ୍ରାଉଣ୍ଡ ହୋଇ ଯାଇ ନ ଥିଲେ ବା କାହା ବିରୋଧରେ ମଧ୍ୟ ସେପରି କୌଣସି ଗହିର୍ତ୍ତ ଅପରାଧର ମାମଲା ନାହିଁ ଯେଉଁଥିରେ ସେମାନଙ୍କୁ ମୃତ୍ୟୁଦଣ୍ଡାଦେଶ ହେବ । ତେଣୁ ସେମାନଙ୍କୁ ଏପରି ଗୁଣ୍ଡାଙ୍କ ପରି ପୁଲିସ ଉଠାଇନେବା ଏକ ଗଣତନ୍ତ୍ର ରାଷ୍ଟ୍ରରେ କେତେ ଦୂର ଗ୍ରହଣୀୟ?

ଏଥିରୁ ଗୋଟିଏ କଥା ସ୍ପଷ୍ଟ ହୋଇଛି, ସମ୍ପ୍ରତି ସରକାର ଗଣମାଧ୍ୟମ ଉପରେ ଅଙ୍କୁଶ ଲଗାଇବାକୁ, ଗଣମାଧ୍ୟମର ନିରପେକ୍ଷ ଓ ସତ୍ୟ ଖବର ଉପସ୍ଥାପନ ବନ୍ଦ କରିବାକୁ ବିଭିନ୍ନ ଆଳ ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି । ଗଣମାଧ୍ୟମର କଣ୍ଠରୋଧ କରିବାକୁ ସରକାରୀ କଳ ପୂରା ଦମରେ ଲାଗି ଯାଇଛି, ଠିକ ୮୦ ଦଶକରେ ସ୍ୱର୍ଗତ ଇନ୍ଦିରା ଗାନ୍ଧୀଙ୍କ ଶାସନ କାଳରେ ଯେମିତି କରାଯାଉଥିଲା । କିନ୍ତୁ ବର୍ତ୍ତମାନର ସରକାରମାନେ ଭୁଲିଯାଉଛନ୍ତି, ଗଣମାଧ୍ୟମର କଣ୍ଠରୋଧ କରିବାକୁ ଯାଇ ଇନ୍ଦିରା ଗାନ୍ଧୀଙ୍କ ହାତରୁ ଶାସନ କଳ ଖସି ଯାଇଥିଲା । ତେଣୁ ମନେ ରଖିବା ଦରକାର ମାତ୍ରାଧିକ ଦମନ ଲୀଳା, ମାତ୍ରାଧିକ ଦୁର୍ନୀତି ସରକାରର ପତନର କାରଣ ମଧ୍ୟ ହୋଇ ପାରେ ।

Related posts

ନାଇଜରର ସେନା କ୍ୟାମ୍ପ ଉପରେ ଆତଙ୍କବାଦୀ ଆକ୍ରମଣ

mahabharatanews

ଜାନୁଆରୀ ୮ରେ ଭାରତ ବନ୍ଦ

mahabharatanews

ଚୀନରୁ ଝାଡଖଣ୍ଡ ଫେରିଥିବା ୪ ଜଣଙ୍କ ରକ୍ତ ନମୂନା ନେଗେଟିଭ

mahabharatanews