ଆସନ୍ତାକାଲି ଠାରୁ ଗାଁ ଗାଁରେ ଆୟୋଜନ ହେବ ପ୍ରଶାସନିକ ଶିବର । ଆୟୁଷ୍ମାନରୁ ସୁଭଦ୍ରା, କିଷାନରୁ ଶ୍ରମିକ କାର୍ଡ; ଲୋକଙ୍କ ପାଖରେ ପହଞ୍ଚିବ ସମସ୍ତ ସରକାରୀ ସେବା ଆସନ୍ତା ୨୦ ଜୁନ୍ରୁ ରାଜ୍ୟର ପ୍ରତ୍ୟେକ ଗ୍ରାମ ପଞ୍ଚାୟତରେ ‘ଜନକଲ୍ୟାଣ ଶିବିର’ ଆୟୋଜନ କରାଯିବ। ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ଏନେଇ ସମସ୍ତ ଜିଲ୍ଲାପାଳଙ୍କୁ ବିସ୍ତୃତ ନିର୍ଦ୍ଦେଶନାମା ଜାରି କରାଯାଇଛି। ରାଜ୍ୟବ୍ୟାପୀ ସରକାରୀ ଜନସଂପର୍କ ଏବଂ ଜନଭାଗିଦାରୀ କାର୍ୟ୍ୟକ୍ରମର ଅଂଶ ସ୍ୱରୂପ ଏହି ଜନକଲ୍ୟାଣ ଶିବିର ଆୟୋଜିତ ହେବ। ଏହା ମାଧ୍ୟମରେ ସରକାର ଓ ସାଧାରଣ ଲୋକଙ୍କ ମଧ୍ୟରେ ପ୍ରତ୍ୟକ୍ଷ ଯୋଗାଯୋଗ ସ୍ଥାପନ ହେବା ସହ ସରକାରୀ ଯୋଜନାର ସଚେତନତା, ହିତାଧିକାରୀ ଚିହ୍ନଟ, ପଞ୍ଜୀକରଣ, ଅଭିଯୋଗ ଗ୍ରହଣ ଏବଂ ସୁବିଧା ବଣ୍ଟନକୁ ଏକ ମଞ୍ଚରେ ଆଣିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ତିନି ଦିନିଆ କାର୍ୟ୍ୟକ୍ରମ, ତିନିଟି ମୁଖ୍ୟ ଫୋକସ୍ ପ୍ରତ୍ୟେକ ଗ୍ରାମ ପଞ୍ଚାୟତରେ ସାଧାରଣତଃ ତିନି ଦିନ ଧରି ଏହି ଶିବିର ଚାଲିବ।
ପ୍ରଥମ ଦିନରେ ଜନକଲ୍ୟାଣ ଶିବିରର ଉଦ୍ଘାଟନ ସହ ହିତାଧିକାରୀ ସହାୟତା ଶିବିର ଆୟୋଜନ କରାଯିବ। ଏଥିରେ ଲୋକଙ୍କ ପଞ୍ଜୀକରଣ, ଦସ୍ତାବିଜ ଯାଞ୍ଚ, ତଥ୍ୟ ସଂଶୋଧନ, ଇ-କେୱାଇସି ବିଭିନ୍ନ ଯୋଜନାରେ ସାମିଲ ହେବାର ସୁବିଧା ଉପଲବ୍ଧ ହେବ। ଜନସାଧାରଣଙ୍କ ଅଭିଯୋଗ ଓ ପ୍ରସ୍ତାବ ଗ୍ରହଣ ପାଇଁ ସ୍ୱତନ୍ତ୍ର ‘ଗ୍ରିଭାନ୍ସ କଲେକ୍ସନ ବକ୍ସ’ ମଧ୍ୟ ରଖାଯିବ। ଦ୍ୱିତୀୟ ଦିନରେ ବିଭିନ୍ନ କେନ୍ଦ୍ରୀୟ ଓ ରାଜ୍ୟ ଯୋଜନାର ସୁବିଧା ଯୋଗ୍ୟ ହିତାଧିକାରୀଙ୍କୁ ବଣ୍ଟନ କରାଯିବ। ଆୟୁଷ୍ମାନ ଭାରତ-ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା, ଆୟୁଷ୍ମାନ ବେୟା ବନ୍ଦନା ଯୋଜନା, ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା, ମଧୁ ବାବୁ ପେନ୍ସନ ଯୋଜନା, ମାଧୋସିଂହ ହାତଖର୍ଚ୍ଚ ଯୋଜନା, ସୁଭଦ୍ରା ଯୋଜନା, ପିଏମ୍ ସ୍ୱନିଧି, ଲକ୍ଷପତି ଦିଦି, ପିଏମ୍ ସୂର୍ୟ୍ୟଘର ମାଗଣା ବିଦ୍ୟୁତ ଯୋଜନା, ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା, ବସୁନ୍ଧରା ଯୋଜନା ଅଧୀନରେ ପଟ୍ଟା ବଣ୍ଟନ, ଜଙ୍ଗଲ ଅଧିକାର ଆଇନ ଅନୁଯାୟୀ ଅଧିକାର ପ୍ରଦାନ, ଶ୍ରମିକ କାର୍ଡ, ସିଏମ୍-କିଷାନ ସମେତ ଅନ୍ୟାନ୍ୟ ଯୋଜନାର ସୁବିଧା ପ୍ରଦାନ କରାଯିବ। ତୃତୀୟ ଦିନ ‘ସୁଭଦ୍ରା ଶକ୍ତି ସମାବେଶ’ ଆୟୋଜନ କରାଯିବ। ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟା, ଅଙ୍ଗନୱାଡି କର୍ମୀ, ଆଶା କର୍ମୀ ଓ ମହିଳାମାନଙ୍କୁ ନେଇ ଏହି କାର୍ୟ୍ୟକ୍ରମରେ ମହିଳା ସଶକ୍ତିକରଣ, ଜୀବିକା ବିକାଶ, ଶିଶୁ ବିକାଶ ଓ ସରକାରୀ ଯୋଜନାର ସଫଳତା ଉପରେ ଆଲୋଚନା ହେବ। ଏହାସହ ଗ୍ରାମ ପଞ୍ଚାୟତ ସ୍ତରରେ ସ୍ୱଚ୍ଛତା ଅଭିଯାନ ଚାଲିବ ଏବଂ ସାଧାରଣ ଲୋକଙ୍କୁ ସ୍ୱଚ୍ଛ ପରିବେଶ ଗଠନରେ ସାମିଲ କରାଯିବ ଆସନ୍ତା ୨୧ ଜୁନ୍ ଆନ୍ତର୍ଜାତିକ ଯୋଗ ଦିବସ ଅବସରରେ ବ୍ଲକ୍ ଓ ପଞ୍ଚାୟତ ସ୍ତରରେ ବ୍ୟାପକ ଯୋଗ କାର୍ୟ୍ୟକ୍ରମ ଆୟୋଜନ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।
ବ୍ଲକ୍ ସ୍ତରରେ ବିଡିଓ ଏବଂ ଗ୍ରାମ ପଞ୍ଚାୟତ ସ୍ତରରେ ଜିପିଇଓ, ଏକ୍ସଟେନ୍ସନ ଅଫିସର ଓ ଜିଆରଏସ୍ମାନେ ନୋଡାଲ ଅଧିକାରୀ ଭାବେ କାର୍ୟ୍ୟ କରିବେ। ଶିବିର ପୂର୍ବରୁ ଘରକୁ ଘର ପ୍ରଚାର, ମାଇକିଂ, ଜନସଚେତନତା ଓ ଯୋଗ୍ୟ ହିତାଧିକାରୀ ଚିହ୍ନଟ ଉପରେ ବିଶେଷ ଗୁରୁତ୍ୱ ଦିଆଯିବ। ରାଜ୍ୟ ସରକାରଙ୍କ ଏହି ପଦକ୍ଷେପ ମାଧ୍ୟମରେ ସରକାରୀ ଯୋଜନାର ଲାଭ ପ୍ରକୃତ ହିତାଧିକାରୀଙ୍କ ନିକଟରେ ପହଞ୍ଚିବା ସହ ଗ୍ରାମାଞ୍ଚଳରେ ‘ସରକାର ଆପଣଙ୍କ ଦୁଆରେ’ ଧାରଣାକୁ ଅଧିକ ସୁଦୃଢ଼ କରିବ ବୋଲି ପ୍ରଶାସନିକ ମହଳରେ ଆଶା ପ୍ରକାଶ ପାଇଛି।
