ଏଲପିଜିରୁ ପିଏନଜିକୁ ସ୍ଥାନାନ୍ତର ପାଇଁ ରାଜ୍ୟବ୍ୟାପୀ ଅଭିଯାନ। ସହରାଞ୍ଚଳ ପ୍ରଶାସନକୁ ସରକାରଙ୍କ କଡ଼ା ନିର୍ଦ୍ଦେଶ। ହର୍ମୁଜ୍ ସଙ୍କଟ ପରେ ବିକଳ୍ପ ଇନ୍ଧନ ଉପରେ ଫୋକସ୍। ଓଡ଼ିଶାରେ ପିଏନଜି ଅଭିଯାନ ତ୍ୱରାନ୍ୱିତ। ରାଜ୍ୟରେ ପିଙ୍ଗ ବ୍ୟବହାରକୁ ବ୍ୟାପକ କରିବା ଏବଂ ଯୋଗ୍ୟ ଏଲପିଜି ଉପଭୋକ୍ତାଙ୍କୁ ପିଏନଜି ବ୍ୟବସ୍ଥାକୁ ସ୍ଥାନାନ୍ତର କରିବା ପାଇଁ ଓଡ଼ିଶା ସରକାର ତତ୍ପରତା। ଏନେଇ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳ, ମ୍ୟୁନିସିପାଲ କର୍ପୋରେସନ କମିଶନର, ପୌରପାଳିକା ଓ ଏନଏସି କର୍ତ୍ତୃପକ୍ଷଙ୍କୁ ବିସ୍ତୃତ ନିର୍ଦ୍ଦେଶ ଜାରି। ସହର ଗ୍ୟାସ୍ ବିତରଣ ବ୍ୟବସ୍ଥା ଥିବା ଅଞ୍ଚଳଗୁଡ଼ିକରେ ପିଏନଜି ସଂଯୋଗର ଦ୍ରୁତ ବିସ୍ତାର ସହ ସ୍ୱଚ୍ଛ ଇନ୍ଧନ ବ୍ୟବହାରକୁ ଜନଆନ୍ଦୋଳନର ରୂପ ଦେବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରଣାଳୟର ପରାମର୍ଶ ଅନୁଯାୟୀ ପିଏନଜି ନେଟୱାର୍କ ଥିବା ଅଞ୍ଚଳରେ ଘରୋଇ ସଂଯୋଗ ବୃଦ୍ଧିକୁ ପ୍ରାଥମିକତା ଦିଆଯାଇଛି। ଏଥିସହ ଯେଉଁ ଉପଭୋକ୍ତାଙ୍କ ପାଖରେ ପିଏନଜି ସୁବିଧା ଉପଲବ୍ଧ ରହିଛି, ସେମାନଙ୍କୁ ଏଲପିଜିରୁ ପିଏନଜିକୁ ସ୍ୱଇଚ୍ଛାରେ ସ୍ଥାନାନ୍ତର ହେବାକୁ ପ୍ରୋତ୍ସାହିତ କରିବାକୁ କୁହାଯାଇଛି। ପୂର୍ବରୁ ପିଏନଜି ସଂଯୋଗ ନେଇଥିବା ଉପଭୋକ୍ତାମାନଙ୍କୁ ଅନାବଶ୍ୟକ ଭାବେ ଏଲପିଜି ସଂଯୋଗ ରଖିବା ପରିବର୍ତ୍ତେ ତାହାକୁ ସ୍ୱଇଚ୍ଛାରେ ପରିତ୍ୟାଗ କରିବାକୁ ପ୍ରୋତ୍ସାହିତ କରିବାକୁ କୁହାଯାଇଛି।
