(ମହାଭାରତ, ବାଲେଶ୍ୱର): ବାଲେଶ୍ୱର ଜିଲ୍ଲା ଅନ୍ତର୍ଗତ ସିଂଲା ଥାନା ଅଧିନ ଗିଲାଗୁଡି ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି । ଏଠାରେ ଜଣେ ଜମିଜମା ବିବାଦକୁ କେନ୍ଦ୍ର କରି ଗୋଟିଏ ପରିବାରର ଦୁଇ ଭାଇ ମଧ୍ୟରେ ଲାଗିଥିବା କଳହ ଉଗ୍ର ରୂପ ନେଇଛି । ଫଳରେ ସାନ ଭାଇ ନିଜ ବଡଭାଇକୁ ମରଣାନ୍ତକ ଆକ୍ରମଣ କରି ଜୀବନରୁ ମାରି ଦେଇଛି । ପୋଲିସ ଏହି ଘଟଣାରେ ତଦନ୍ତ ଜାରି ରଖିଛି । ସୂଚନା ଅନୁଯାୟୀ, ସିଂଲା ଥାନା ଅନ୍ତର୍ଗତ ଗିଲାଗୁଡି ଗାଁର ପଶ୍ଚିମ ସାହିର ହାଡି ବନ୍ଧୁ ରାଉତଙ୍କ ଦୁଇ ପୁଅ ରବୀନ୍ଦ୍ର ରାଉତ ଓ ସୂର୍ଯ୍ୟ ରାଉତଙ୍କ ଭିତରେ ଦୀର୍ଘ ଦିନ ଧରି ଜମିଜମାକୁ ନେଇ ଝଗଡା ଲାଗି ରହିଥିଲା । ଏହାକୁ ନେଇ ଗତ ବୁଧବାର ଅପରାହ୍ନରେ ପୁଣି ଦୁଇ ଭାଇଙ୍କ ମଧ୍ୟରେ ଯୁକ୍ତିତର୍କ ଲାଗିଥିଲା । ଏଥିରେ ବଡ ଭାଇ ରବୀନ୍ଦ୍ର ଓ ସାନ ଭାଇ ସୂର୍ଯ୍ୟ ମଧ୍ୟରେ କଥା କଟାକଟି ହୋଇଥିଲା । ପରେ ଦୁହେଁ ହାତାହାତି ମଧ୍ୟ ହୋଇଥିଲେ । ପରେ ଉତକ୍ଷିପ୍ତ ହୋଇ ସାନ ଭାଇ ସୂର୍ଯ୍ୟ ନିଜ ବଡ ଭାଇ ରବୀନ୍ଦ୍ରଙ୍କୁ ଏକ ଟାଙ୍ଗିଆରେ ମରଣାନ୍ତକ ଆକ୍ରମଣ କରିଥିଲା । ଫଳରେ ଏଥିରେ ରବୀନ୍ଦ୍ର ଘଟଣାସ୍ଥଳରେ ପ୍ରାଣ ହରାଇଥିଲେ । ତେବେ ବଡ ଭାଇର ମୃତ୍ୟୁ ହୋଇଥିବା ଜାଣିପାରି ସୂର୍ଯ୍ୟ ନିଜ ଘର ବାଡି ପରେ ଏକ ଗାତ ଖୋଳି ମୃତଦେହକୁ ପୋତି ପ୍ରମାଣ ନଷ୍ଟ କରିବାକୁ ଚେଷ୍ଟା କରିଥିଲା । ହତ୍ୟାକାଣ୍ଡ ବିଷୟରେ ଖବର ପାଇ ସିଂଲା ପୋଲିସ ଘଟଣାସ୍ଥଳରେ ପହଞ୍ଚି ସୂର୍ଯ୍ୟକୁ ଗିରଫ କରିଥିଲା । ଏହାସହ ବଡ ଭାଇ ରବୀନ୍ଦ୍ରଙ୍କ ମୃତଦେହକୁ ଜବତ କରିଛି । ହତ୍ୟାକାଣ୍ଡ ସମ୍ପର୍କରେ ଅଧିକ ତଥ୍ୟ ହାସଲ ପାଇଁ ସିଂଲା ଥାନାଧିକାରୀ ଘଟଣାର ଛାନଭିନ ଚଳାଇଛନ୍ତି ।
previous post