ଗୋଲାପ ସାହୁ/କଳାହାଣ୍ଡି: ଗ୍ରାମାଞ୍ଚଳରେ ଯାତାୟାତର ସୁବିଧା ପାଇଁ ସରକାର ଆରମ୍ଭ କରିଥିଲେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନା। କଳାହାଣ୍ଡି ଜିଲ୍ଲାରେ ମଧ୍ୟ ଏହି ଯୋଜନା ମାଧ୍ୟମରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ଅର୍ଥ ମଞ୍ଜୁରୀରେ ନିର୍ମାଣ କରାଯାଇଥିଲା ଅନେକ ରାସ୍ତା । କିନ୍ତୁ ବର୍ତ୍ତମାନ ବିଭାଗୀୟ ଅଧିକାରୀଙ୍କ ଅବହେଳା ଯୋଗୁଁ ତାହା ଶୋଚନୀୟ ହୋଇ ପଡିଛି। ଜୟପାଟଣା ବ୍ଳକ ଧର୍ମଗଡ ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ରହିଛି ୫୨ ଟି ରାସ୍ତା। ରାସ୍ତା ଗୁଡିକୁ ଅର୍ଥ ବରାଦ ନଥିବା କାରଣ ଦର୍ଶାଇ ବର୍ଷ ବର୍ଷ ହେଲା ମାଟି ଟିକେ ବି ପଡି ପାରିନି। ଜୟପାଟଣା ଠାରୁ ବଡ଼କର୍ଲାକୋଟ ଓ ସେଠାରୁ ଲାଖବାହାଳି ଜାମଚୁଆ ରାସ୍ତାରେ ଦୁଇରୁ ତିନି ଫୁଟ ଖାଲ ହୋଇଛି। ବର୍ଷା ହେଲେ ରାସ୍ତାରେ ପାଣି ଭର୍ତ୍ତି ହୋଇ ନାଳର ଭ୍ରମ ସୃଷ୍ଟି କରୁଛି। ଏହି ରାସ୍ତା ଗୁଡିକ ୨୦୧୩-୧୪ ମସିହାରେ ନିର୍ମାଣ କରାଯାଇଥିବା ବେଳେ ଦୀର୍ଘ ଦିନ ପରେ ମଧ୍ୟ ତାହାର ମରାମତି କି ରକ୍ଷଣାବେକ୍ଷଣ କରାଯାଇ ନାହିଁ। ସାମୟିକ ମରାମତିର ଟଙ୍କା ହଡପ କରାଯାଇଥିବା ମଧ୍ୟ ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ସାଧାରଣତଃ ପ୍ରଧାନମନ୍ତ୍ରୀ ସଡକଗୁଡିକର ଓଜନ ଧାରଣ କ୍ଷମତା ୮ ଟନ ରୁ ୧୦ ଟନ ରହିଥାଏ। କିନ୍ତୁ ଏହି ରାସ୍ତାରେ ରାତିଦିନ ହାଇବା ଟ୍ରକ ଚାଲୁଥିବାରୁ ରାସ୍ତା ନଷ୍ଟ ହେଉଥିବା ଲୋକେ କହିଛନ୍ତି। ନିର୍ମାଣ ସମୟରେ କିଲୋମିଟର ପିଛା ୪୫ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଖର୍ଚ୍ଚ ହେଉଛି କିନ୍ତୁ ଏହି ବଡ଼ ବଡ଼ ଟ୍ରକ ଲାଗି ଅଳ୍ପ ଦିନ ମଧ୍ୟରେ ରାସ୍ତା ଫାଟି ଦୁଇ ଫାଲ ହେଉଛି ହେଲେ ଏଥିପ୍ରତି ନା ଵିଭାଗୀୟ ଅଧିକାରୀ ଚିନ୍ତା କରୁଛନ୍ତି ନା ପ୍ରଶାସନିକ ଅଧିକାରୀ।ଏହି ରାସ୍ତା ଦେଇ ସିଲେଇଜୋର, ତୁମରିଖୋଲ, ଜାମଚୁଆ ଗାଁର ଲୋକେ ବଡ଼କର୍ଲାଲୋଟ ଗ୍ରାମପଞ୍ଚାୟତକୁ ଚାଉଳ, କିରୋସିନ, ଭତ୍ତା ଟଙ୍କା ନେବା ତଥା ଅନ୍ୟ କାମରେ ଜୟପାଟଣା କୁ ଯିବାଆସିବା କରନ୍ତି। କିନ୍ତୁ ରାସ୍ତା ଶୋଚନୀୟ ହୋଇ ପଡିଥିବାରୁ ବର୍ଷସାରା ଦୁଃଖ ଭୋଗୁଛନ୍ତି ସ୍ଥାନୀୟ ବାସିନ୍ଦା। ଗାଁ କୁ ଆମ୍ବୁଲାନ୍ସ ଯିବାକୁ ହେଲେ ଘଣ୍ଟା ଘଣ୍ଟା ସମୟ ଲାଗୁଛି।ଏ ନେଇ ଅନେକ ଥର ବିଭାଗୀୟ ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳି ନ ଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ। ଏ ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କୁ ପଚାରିବାରୁ ଟଙ୍କା ଆସିଲେ କାମ ହେବ କହିଛନ୍ତି କିନ୍ତି ବର୍ତ୍ତମାନ ପରିସ୍ଥିତିରେ ଯିବାଆସିବା ଭଳି କିଛି ବିକଳ୍ପ ମରାମତି କାର୍ୟ୍ୟ ପାଇଁ ଇଚ୍ଛା ପ୍ରକାଶ କରିନାହାନ୍ତି। ସରକାର ସେପଟେ ରାସ୍ତାଗୁଡ଼ିକର ଅବସ୍ଥା ଠିକ ଥିବା ଭାବୁ ଥିବାରୁ ତୃଣମୂଳରେ ଲୋକେ ନାନା ସମସ୍ୟା ଭୋଗୁଛନ୍ତି।
