ଭୁବନେଶ୍ୱର: ରାଜ୍ୟ ସରକାର ଭୁବନେଶ୍ୱର ଶତାବ୍ଦୀ ନଗର ଡ୍ରେନ୍ରେ ଛାତ୍ର ମୃତ୍ୟୁ ପରେ ମୃତ ଛାତ୍ରଙ୍କ ପରିବାରକୁ ସହାୟତା ଘୋଷଣା କରିଛନ୍ତି । ମୃତ ଜ୍ୟୋତିଙ୍କ ପରିବାରକୁ ୪ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରାଯାଇଛି । ଏନେଇ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି ବୋଲି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଘୋଷଣା କରିଛନ୍ତି ।
ରବିବାର ମଧ୍ୟାହ୍ନରେ ଭୁବନେଶ୍ୱରରେ ପ୍ରବଳ ବର୍ଷା ହୋଇଥିଲା । ବର୍ଷା ଛାଡିବା ପରେ ବରମୁଣ୍ଡା ଗାଁ ଢିପସାହିର ହୃଷୀକେଷ ବେହେରାଙ୍କ ପୁଅ ଜ୍ୟୋତିପ୍ରକାଶ ଓରଫ ରାଜା ଅପରାହ୍ଣ ପ୍ରାୟ ୨ଟା ବେଳେ ଘରୁ ବାହାରି ସଂସ୍କୃତ ଟ୍ୟୁସନ୍ ପାଇଁ ସୌଭାଗ୍ୟନଗର ଅଭିମୁଖେ ବାହାରିଥିଲେ। ଜ୍ୟୋତି ସାଇକେଲ ଧରି ଘରୁ ବାହାରି ଯାଇଥିଲେ। ଶିରିପୁର ଶତାବ୍ଦୀନଗରଠାରେ ଡ୍ରେନ ମୁକୁଳା ଥିବା ସହ ରାସ୍ତା ଓ ଡ୍ରେନ ଏକାକାର ହୋଇଯାଇଥିଲା । ଜ୍ୟୋତି ଜାଣିପାରିନଥିଲେ ଡ୍ରେନକୁ ଓ ସେହି ମୁକୁଳା ଡ୍ରେନ୍ରେ ଖସି ପଡିଥିଲେ । ବର୍ଷା ଯୋଗୁ ଡ୍ରେନରେ ପ୍ରବଳ ପାଣିର ସୁଅ ଛୁଟିଥିଲା । ଆଖି ପିଛୁଳାକେ ପାଣିରେ ଭାସିଯାଇଥିଲେ ଓ ତାଙ୍କର କୌଣସି ପତ୍ତା ମିଳିନଥିଲା । ସୂଚନା ପାଇ ଅଗ୍ନିଶମ ବାହିନୀ ବହୁ ଖୋଜାଖୋଜି କରିଥିଲେ ମଧ୍ୟ ରାଜାଙ୍କୁ ଗତକାଲି ଠାବ କରିବାରେ ସକ୍ଷମ ହୋଇନଥିଲା । ଆଜି ସକାଳୁ ଭୁବନେଶ୍ୱର ପଞ୍ଚସଖା ନଗରରେ ଥିବା ଏକ ନାଳ ନିକଟ ବୁଦାରୁ ତାଙ୍କ ମୃତଦେହ ପାଇଥିଲା ଅଗ୍ନିଶାମ ବାହିନୀ ।
