(ଉତ୍ତରାଖଣ୍ଡ) : ଉତ୍ତରାଖଣ୍ଡର ଉତ୍ତରକାଶୀ ଟନେଲରେ ୪୧ ଜଣ ଶ୍ରମିକ ଫସିଛନ୍ତି । ଆଜି ୧୩ ଦିନରେ ଫସିଛନ୍ତି ଶ୍ରମିକ । ତାଙ୍କୁ ବିଭିନ୍ନ ଉପାୟରେ ଖାଦ୍ୟ ପଠାଯାଇଛି । ତେବେ ଏହାରି ଭିତରେ ଉଦ୍ଧାର କାମରେ ସହାୟକ ହୋଇଥିବା ଅଗର ମେସିନ୍ ସମ୍ବଲପୁରରୁ ଯାଇଛି । ଏହି ଅତ୍ୟାଧୁନିକ ମେସିନକୁ ଗ୍ରୀନ୍ କରିଡର ଦ୍ୱାରା ଉତ୍ତରକାଶୀ ପଠାଯାଇଛି । ଏହି ସ୍ବତନ୍ତ୍ର ଖନନ ମେସିନଟି ହୀରାକୁଦ ହିଣ୍ଡାଲକୋ କମ୍ପାନୀରେ କାମ କରୁଥିବା ଏକ ଠିକା ସଂସ୍ଥାର ।
ସୂଚନାନୁଯାୟୀ , ମେସିନକୁ ହୀରାକୁଦରୁ ଟ୍ରେନରେ ରାୟପୁର ନିଆ ଯାଇଥିଲା । ସେଠାରୁ ଏକ ଟ୍ରଲିରେ ଗ୍ୱାଲିୟର ନିଆ ଯାଇଥିଲା । ମେସିନକୁ ନେବା ପାଇଁ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରାଳୟରୁ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କ ନିକଟକୁ ଚିଠି ଆସିଥିଲା । ଗ୍ରୀନ୍ କରିଡର କରି ଏହାକୁ ତୁରନ୍ତ ପଠାଇବାକୁ ନିର୍ଦ୍ଦେଶ ଥିଲା । ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣଙ୍କ ଉପସ୍ଥିତିରେ ଏହି ମେସିନକୁ ସ୍ଥାନାନ୍ତର କରାଯାଇଛି । ଏକ ବଡ ମେସିନ ହୋଇଥିବାରୁ ଏକ ମାଲବାହୀ ଟ୍ରେନ୍ ଓ ୬ଟି ଟ୍ରେଲରରେ ମେସିନକୁ ଖଣ୍ଡଖଣ୍ଡ କରି ପଠାଯାଇଛି ।
