(ମହାଭାରତ, ସାକ୍ଷୀଗୋପାଳ): ପୁରୀ ଜିଲ୍ଲା ସାକ୍ଷୀଗୋପାଳ କାଞ୍ଜିଆ ଛକରେ ଥିବା ଏକ ଢାବାରେ ଜଣେ ଯୁବକଙ୍କୁ ଗୁଳିମାଡ ହୋଇଛି । ମୃତକ ଜଣକ ପୁରେନ୍ଦ୍ର ବେହେରା ବୋଲି ଜଣାପଡିଛି । ସ୍ଥାନୀୟ ଏକ ଢାବାରେ ସେ କାମ କରୁଥିଲେ । ରବିବାର ରାତିରେ ଢାବାରେ ଖାଇବାକୁ ନେଇ କିଛି ଲୋକଙ୍କ ସହ ତାଙ୍କର ବଚସା ହେବା ପରେ ତାଙ୍କୁ ଗୁଳି କରି ହତ୍ୟା କରାଯାଇଛି । ପୋଲିସ ଏହି ଘଟଣାକୁ ନେଇ ଢାବା ମାଲିକଙ୍କୁ ପଚରାଉଚରା କରୁଛି । ସୂଚନା ଅନୁଯାୟୀ, ମୃତ ଯୁବକ ଜଣକ ସାକ୍ଷୀଗୋପାଳର ସେବକ ସାହିରେ ଘର ଭଡା ନେଇ ପରିବାର ସହ ରହୁଥିଲେ । ଏଠାରେ ଏକ ଢାବାରେ ସେ କାମ କରୁଥିଲେ । ରବିବାର ଦିନ ବିଳମ୍ବିତ ରାତିରେ କିଛି ଯୁବକ ପୁରୀରୁ କାର ଯୋଗେ ଆସି ଢାବାରେ ପହଞ୍ଚିଥିଲେ । ସେଠାରେ ଉକ୍ତ ଯୁବକଙ୍କୁ ସେମାନେ ପ୍ରଥମେ ଖାଇବା ଅର୍ଡର ଦେଇଥିଲେ । କିନ୍ତୁ ଖାଦ୍ୟ ପ୍ରସ୍ତୁତ ହେବା ପରେ ତାହାକୁ ନ ଖାଇ ଚାଲିଯାଇଥିଲେ । ତେବେ ଅର୍ଡର ଦେଇଥିବା ଖାଦ୍ୟର ପଇସା ପାଇବା ପାଇଁ ଢାବାରେ କାମ କରୁଥିବା ଯୁବକ ଜଣକ ସ୍କୁଟିରେ ସେମାନଙ୍କ ପିଛା କରିଥିଲେ । ଅନ୍ୟ ଏକ ଢାବା ପାଖରେ ସେମାନଙ୍କୁ ଅଟକାଇ ପଇସା ମାଗିଥିଲେ । ଏହାକୁ ନେଇ ଢାବାରେ ଖାଇବାକୁ ଆସିଥିବା ୪ ଯୁବକଙ୍କ ସହ ତାଙ୍କର ବଚସା ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ନିଶାଗ୍ରସ୍ତ ଯୁବକମାନେ ତାଙ୍କୁ ଗୁଳିମାଡ କରିଥିଲେ । ପରେ ଘଟଣାସ୍ଥଳରୁ ଫେରାର ହୋଇଥିଲେ । ଘଟଣାସ୍ଥଳରେ ପୁରେନ୍ଦ୍ରଙ୍କ ମୃତ୍ୟୁ ହୋଇଥିଲା । ଏହି ଘଟଣା ପରେ ସ୍ଥାନୀୟ ଲୋକେ ଓ ମୃତ ଯୁବକଙ୍କ ପରିବାର ଲୋକେ ୪ ଅଭିଯୁକ୍ତଙ୍କ ଗିରଫ ଦାବି କରି ୩୧୬ ନଂ ଜାତୀୟ ରାଜପଥକୁ ଅବରୋଧ କରିଥିଲେ । ଅତିରିକ୍ତ ଏସପି ସେଠାରେ ପହଞ୍ଚି କାର୍ଯ୍ୟାାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିବା ପରେ ରାସ୍ତାରୋକ ହଟିଥିଲା । ଏହି ହତ୍ୟାକାଣ୍ଡକୁ ନେଇ ପୋଲିସ ତଦନ୍ତ ଆରମ୍ଭ କରିଛି । ମୃତ ଯୁବକ ପୁରେନ୍ଦ୍ର କାମ କରୁଥିବା ଢାବାର ମାଲିକଙ୍କୁ ପଚରାଉଚରା ଚଳାଇଛି ।
previous post
next post