(ନୂଆଦିଲ୍ଲୀ): ଦେଶରେ କୋରୋନା ଭାଇରସ ବ୍ୟାପିବା ଆରମ୍ଭ କରିଥିବା ବେଳେ ଏହାକୁ ନେଇ ଏବେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯାଉଛି । ଦେଶର ସାଧାରଣ ଜନତାଙ୍କ ସହ ବିଭିନ୍ନ ଜେଲରେ ବନ୍ଦୀ ଥିବା କଏଦୀମାନେ କିପରି ଏହି ଭୟଙ୍କର ଭୂତାଣୁ ଠାରୁ ଦୂରେଇ ରହିପାରିବେ ସେନେଇ ଜେଲ କର୍ତ୍ତୃପକ୍ଷ ବ୍ୟବସ୍ଥା ଆରମ୍ଭ କରିଛନ୍ତି । ତିହାର ଜେଲରେ କଏଦୀମାନଙ୍କ ପାଇଁ ଆଇସୋଲେସନ ସେଲ୍ ଖୋଲାଯାଇଛି । ଯେଉଁ କଏଦୀଙ୍କ ନିକଟରେ କରୋନାର କୌଣସି ଲକ୍ଷଣ ଦେଖାଗଲେ ତାଙ୍କୁ ତୁରନ୍ତ ଏହି ସେଲକୁ ପଠାଇ ଦିଆଯିବ ବୋଲି କୁହାଯାଉଛି । ସେହିପରି ଜେଲ ଭିତରକୁ ଆସୁଥିବା ନୂଆ କଏଦୀଙ୍କୁ ୩ ଦିନ ପୃଥକ ଭାବେ ରଖି ସ୍କ୍ରିନିଂ କରାଯିବାର ବ୍ୟବସ୍ଥା ମଧ୍ୟ କରାଯାଇଛି । ଜେଲରେ ଏଯାଏ ଜଣେ ହେଲେ କୋରୋନାରେ ସଂକ୍ରମିତ ହୋଇ ନଥିବା ଜଣାପଡିଛି । କଏଦୀମାନଙ୍କ ଯାଞ୍ଚ ପାଇଁ ଉନ୍ନତ ଡାକ୍ତରୀ ଉପକରଣମାନ ଜେଲକୁ ଅଣାଯାଇଥିବା ଜଣାଯାଇଛି । ଏବେ ତିହାର ଜେଲରେ ପ୍ରାୟ ୧୭ ହଜାର ୫୦୦ କଏଦୀ ରହିଥିବାରୁ ଜେଲ କର୍ତ୍ତୃପକ୍ଷ ଏଭଳି ସତର୍କତା ଅବଲମ୍ବନ କରିଛନ୍ତି । ସୂଚନାଯୋଗ୍ୟ, କୋରୋନା ସଂକ୍ରମଣରେ ଦେଶରେ ଏଯାଏ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୮୩ରେ ପହଞ୍ଚିଛି ।
next post