(ମହାଭାରତ, ନବରଙ୍ଗପୁର): ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ଗଜରିଗୁଡା ଗାଁରେ ଭାଲୁ ଆତଙ୍କ ଦେଖାଦେଇଛି । ତେବେ ଭାଲୁଟି ଏଠାରେ କୌଣସି କ୍ଷୟକ୍ଷତି ଘଟାଇ ନାହିଁ । ବରଂ ଗାଁ ଲୋକଙ୍କୁ ଦେଖି ଏକ ଗଛ ଉପରକୁ ଚଢିଯାଇଥିବା ଜଣାଯାଇଛି । ତାକୁ ଉଦ୍ଧାର କରିବାକୁ ଯାଇ ବନ ବିଭାଗକୁ ନାକେଦମ ହେବାକୁ ପଡିଛି । ଭାଲୁଟି ପୁଣି ଗାଁକୁ ଫେରିବା ସମ୍ଭାବନା ଥିବାରୁ ଲୋକେ ଆତଙ୍କିତ ହୋଇଛଛନ୍ତି ।
ସୂଚନା ଅନୁଯାୟୀ, ଗତ ବୁଧବାର ଦିନ ଭାଲୁଟି ଖାଦ୍ୟ ଅନ୍ୱେଶଣରେ ଜଙ୍ଗଲ ଭିତରୁ ଗାଁକୁ ଚାଲିଆସିଥିଲା । ଏବେ ଆଖୁ କଟା ଚାଲିଥିବାରୁ ପର୍ଯ୍ୟାପ୍ତ ଖାଦ୍ୟ ମିଳିବା ସମ୍ଭାବନାରେ ଭାଲୁଟି ଏଠାକୁ ଆସିଥିବା ଅନୁମାନ କରାଯାଉଛି । ତେବେ ଗାଁର ପସିବା ପରେ ଲୋକଙ୍କ ଗହଳି ଦେଖି ଭାଲୁଟି ଭୟଭୀତ ହୋଇ ତରବରିଆ ଭାବେ ନଦୀକୂଳରେ ଥିବା ଏକ ଗଛ ଉପରକୁ ଚଢିଯାଇଥିଲା । ସାରା ରାତି ଗଛ ଉପରେ ବିତାଇଥିଲା । ପରଦିନ ସକାଳେ ଖବର ପାଇ ନବରଙ୍ଗପୁର ବନ ବିଭାଗ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ । ଭାଲୁକୁ କାବୁ କରିବାକୁ ଅନେକ ପ୍ରୟାସ କରିଥିଲେ । ବହୁ ଉଦ୍ୟମ ସତ୍ତେ୍ୱ ଆଦୌ ଧରାଛୁଆଁ ଦେଇ ନଥିଲା । ଦୀର୍ଘ ୧୨ ଘଣ୍ଟା କାଳ ଉଦ୍ଧାର କରିବାକୁ ଉଦ୍ୟମ ଚଳାଇଥିବା ବେଳେ ବନ ବିଭାଗ ତାକୁ କାବୁ ନ କରିପାରି ଲୋକଙ୍କୁ ସେଠାରୁ ଚାଲିଯିବାକୁ କହିଥିଲା । ତେବେ ସେଠାରୁ ଲୋକଙ୍କ ଭିଡ କମିଯିବାରୁ ଭାଲୁଟି ଗଛରୁ ତଳକୁ ଓହ୍ଲାଇ ଆସି ଜଙ୍ଗଲକୁ ଚାଲି ଯାଇଥିଲା ।