ନିର୍ମଳେନ୍ଦୁ ମିଶ୍ର/ ନରସିଂହପୁର: ନାଳରେ ଭାସିଯାଇ ଶିଶୁ ମୃତ୍ୟୁ। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ନରସିଂହପୁର ଥାନା ରେଗେଡା ପଞ୍ଚାୟତ ଅନ୍ତର୍ଗତ ବାଙ୍କଝର ଗ୍ରାମରେ। ଗ୍ରାମ ପାଖରେ ଥିବା ନାଳରେ ହଠାତ ପାଣି ମାଡ଼ି ଆସିବାରୁ ଜଣେ ପାଞ୍ଚ ବର୍ଷର ଶିଶୁର ମୃତ୍ୟୁ ଘଟିଥିବା ବେଳେ ଆଉ ଦୁଇ ଶିଶୁ ମୃତ୍ୟୁ ମୁଖରୁ ବଞ୍ଚିଯାଇଥିଲେ। ମୃତ ଶିଶୁ ନରେଶ ଦେହୁରୀ (୫) ।
ସୂଚନା ଅନୁଯାୟୀ, ରେଗେଡା ପଞ୍ଚାୟତର ବାଙ୍କଝର ଗ୍ରାମକୁ ଯାତାୟତ ପାଇଁ ସବୁ ଦିନିଆ ରାସ୍ତା ନାହିଁ । ତେଣୁ ଲୋକମାନେ ନାଳପାରି ହୋଇ ଯାତାୟାତ କରିଥାନ୍ତି। ବାଙ୍କଝର ଗ୍ରାମର ପବନି ଦେହୁରୀଙ୍କ ଦୁଇ ପୁଅ ନରେଶ ଦେହୁରୀ ଓ ଦୀପକ ଦେହୁରୀ (୭) ଏବଂ ସେହି ଗ୍ରାମର ବାସୁଦେବ ଦେହୁରୀଙ୍କ ପୁଅ ପପୁ ଦେହୁରୀ (୬) ସାଙ୍ଗ ହୋଇ ଗ୍ରାମଠାରୁ ପ୍ରାୟ ଦୁଇ କିଲୋମିଟର ଦୁରରେ ଥିବା ନୂଆଗାଁକୁ କିଛି ଜିନିଷ କିଣିବା ପାଇଁ ଯାଇଥିଲେ । ଜିନିଷ କିଣି ଘରକୁ ଫେରୁଥିଲେ । ଗ୍ରାମ ନିକଟ ଦେଇ ଯାଇଥିବା ନାଳ ପାରି ହେଉଥିବା ସମୟରେ ହଠାତ ନାଳରେ ପାଣି ମାଡ଼ି ଆସିଥିଲା। ଫଳରେ ତିନି ଜଣ ପାଣିରେ ଭାସି ଯାଇଥିଲେ।ସମସ୍ତେ ନିଜ ନିଜର ଜୀବନ ବଞ୍ଚାଇବା ପାଇଁ ଚେଷ୍ଟା କରୁଥିବା ବେଳେ ପପୁ ଓ ଦିପୁ ଗଛରେ ଲାଗିଯିବାରୁ ବଞ୍ଚି ଯାଇଥିଲେ । ମାତ୍ର ନରେଶ ପାଣିରେ ଭାସିଯାଇଥିଲେ। କିଛି ସମୟ ପରେ ନାଳରୁ ପାଣି ଛାଡିଯିବାରୁ ପପୁ ଓ ଦିପୁ ଗ୍ରାମକୁ ଯାଇ ଖବର ଦେବାରୁ ଗ୍ରାମବାସୀ ଆସି ଖୋଜାଖୋଜି କରିଥିଲେ । ନରେଶକୁ ଉଦ୍ଧାର କରାଯାଇ ୧୦୮ ଆମ୍ବୁଲାନ୍ସ ଯୋଗେ ନରସିଂହପୁର ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।