ନିଶ୍ଚିନ୍ତକୋଇଲି:- ଜଳସମ୍ପଦ ବିଭାଗରେ ଠିକାଦାର ବିଭାଗୀୟ ଅଧିକାରୀଙ୍କ ସହ ଅସାଧୁ ମେଣ୍ଟ କରି କିପରି ସରକାରୀ ରାଜକୋଷରୁ ଲକ୍ଷ ଲକ୍ଷ ଟଙ୍କା ଲୁଟି ନେଉଛନ୍ତି ତାହାର ଏକ ନଗ୍ନ ନମୁନା ନିଶ୍ଚିନ୍ତକୋଇଲି ବ୍ଲକ ଅଞ୍ଚଳରେ ଦେଖିବାକୁ ମିଳିଛି । ଏହି ବ୍ଲକର ଉତ୍ତରକୂଳ ଗ୍ରାମ ପଞ୍ଚାୟତ ଅଧୀନରେ ଥିବା ମାହାଳ ହାଟ-ସାନନୟନପୁର ନଦୀବନ୍ଧ ରାସ୍ତା ନିର୍ମାଣ କାର୍ଯ୍ୟକୁ ମହାନଦୀ ନର୍ଥ ଡ଼ିଭିଜନ ଜଗତପୁରର ନିର୍ବାହୀ ଯନ୍ତ୍ରୀ ବନ୍ଦ ପାଇଁ ନିର୍ଦ୍ଦେଶ ଦେଇଥିଲା ବେଳେ ବିଭାଗୀୟ ଅଧିକାରୀ ତଥା ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ.ମନୋଜ କୁମାର ବେହେରାଙ୍କୁ କାର୍ଯ୍ୟରୁ ଅନ୍ତର କରାଯାଇଛି । ନିଶ୍ଚିନ୍ତକୋଇଲି ବ୍ଲକ ଉତ୍ତରକୂଳ ଗ୍ରାମ ପଞ୍ଚାୟତ ଅଧୀନରେ ଥିବା ମାହାଳ ହାଟ-ସାନନୟନପୁର ମହାନଦୀ ବନ୍ଧ ରାସ୍ତା କଟକ ମହାନଦୀ ଉତ୍ତର ମଣ୍ଡଳ ଜଳସେଚନ ଡ଼ିଭିଜନ ଅଧୀନରେ ରହିଛି । ଏହି ରାସ୍ତାଟିକୁ ମରାମତି ଓ ପୁନଃନିର୍ମାଣ କରିବା ନିମନ୍ତେ ୪୭ଲକ୍ଷ ୨୨ହଜାର ୬ଶହ ୬୨ଟଙ୍କା ମଞ୍ଜୁୁର କରାଯାଇଥିଲା । ଟେଣ୍ଡର ମାଧ୍ୟମରେ ଠିକାଦାର ଚୟନ କରାଯାଇଥିଲା । ସରକାରଙ୍କ ନିୟମାନୁଯାୟୀ ସ୍ଥାନୀୟ କଟକ ସଦର ବିଧାୟକ ଚନ୍ଦ୍ର ସାରଥୀ ବେହେରା ଏହି ରାସ୍ତାର ଶିଳାନ୍ୟାସ କରିବା କଥା କିନ୍ତୁ ଏହି ରାସ୍ତାର ଶିଳାନ୍ୟାସ ନିମନ୍ତେ ବିଧାୟକ ଶ୍ରୀ ବେହେରାଙ୍କୁ ସମ୍ପୂର୍ଣ୍ଣ ଉପେକ୍ଷା କରାଯାଇଥିଲା । ସମ୍ପୃକ୍ତ ଠିକାଦାର ରାଜ୍ୟ ମନ୍ତ୍ରୀ ମଣ୍ଡଳର ଜଣେ ପ୍ରଭାବଶାଳୀ ମନ୍ତ୍ରୀଙ୍କ ଏକାନ୍ତ ଅନୁଗତ ହୋଇଥିବାରୁ ବିଧାୟକଙ୍କ ବିନା ଶିଳାନ୍ୟାସ ଓ ତାଙ୍କ ଅଗୋଚରରେ ଏହି ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା । ସମ୍ପୃକ୍ତ ଠିକାଦାର ରାସ୍ତା ନିର୍ମାଣ ଅଟକଳ ଅନୁଯାୟୀ କରୁନଥିଲା ବେଳେ ରାସ୍ତା ନିର୍ମାଣରେ ଅତ୍ୟନ୍ତ ନିମ୍ନମାନର ନିର୍ମାଣ ସାମଗ୍ରୀ ବ୍ୟବହାର କରୁଥିବାରୁ ରାସ୍ତାର ସ୍ଥାୟିତ୍ୱ ନେଇ ସାଧାରଣରେ ସନ୍ଦେହ ପ୍ରକାଶ ପାଇଥିଲା । ସମ୍ପୃକ୍ତ ଠିକାଦାର ମନମୁଖୀ ଭାବେ କାର୍ଯ୍ୟ କରୁଥିଲେ ମଧ୍ୟ କୌଣସି ବିଭାଗୀୟ ଅଧିକାରୀ କାର୍ଯ୍ୟର ତଦାରଖ କରିନଥିଲେ । ଫଳରେ ଠିକାଦାର ମନମୁଖୀ ଭାବେ କରିଚାଲିଥିବାର ଅଭିଯୋଗ ହୋଇଥିଲା । ଜଳସମ୍ପଦ ବିଭାଗର ସବୋର୍ଚ୍ଚ ଯନ୍ତ୍ରୀଙ୍କ ନିର୍ଦ୍ଦେଶରେ ମହାନଦୀ ନର୍ଥ ଡ଼ିଭିଜନ ଜଗତପୁରର ନିର୍ବାହୀ ଯନ୍ତ୍ରୀ ଇଂ.ବସନ୍ତ କୁମାର ରାଉତ, ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ.ମନୋଜ କୁମାର ବେହେରା, କନିଷ୍ଠ ଯନ୍ତ୍ରୀ ମହେନ୍ଦ୍ର କୁମାର ସାହୁ ପ୍ରମୁଖ ରାସ୍ତାର ତଦନ୍ତ କରିଥିଲେ । ରାସ୍ତା ନିର୍ମାଣ କାର୍ଯ୍ୟ ଅତ୍ୟନ୍ତ ନିମ୍ନମାନର ହୋଇଥିବାରୁ ନିର୍ବାହୀ ଯନ୍ତ୍ରୀ ଶ୍ରୀ ରାଉତ ବିଭାଗୀୟ ଅଧିକାରୀ ଓ ଠିକାଦାରଙ୍କ ଉପରେ ଭୀଷଣ ବର୍ଷିବା ସହ କାର୍ଯ୍ୟ ବନ୍ଦ ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ । ଏହି କାର୍ଯ୍ୟ ତଦାରଖ କରୁଥିବା ବିଭାଗୀୟ ଅଧିକାରୀ ତଥା ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ.ମନୋଜ କୁମାର ବେହେରାଙ୍କୁ କାର୍ଯ୍ୟରୁ ଅନ୍ତର କରାଯାଇ ତାଙ୍କ ସ୍ଥାନରେ ଆଠଗଡ଼ର ସହକାରୀ ନିର୍ବାହୀ ଯନ୍ତ୍ରୀ ଅଜୟ କୁମାର ସାହୁଙ୍କୁ ଦାୟିତ୍ୱ ଦିଆଯାଇଛି । ଏଠାରେ ସୂଚନାଯୋଗ୍ୟ ଯେ ଏହି ରାସ୍ତାଟି ଠିକାଦାର-ମନ୍ତ୍ରୀ ଓ ଯନ୍ତ୍ରୀଙ୍କ ଲେଉଟିଆ କିଆରୀରେ ପରିଣତ ହୋଇଛି । ପ୍ରତିବର୍ଷ ଏହି ରାସ୍ତା ନିର୍ମାଣ ଓ ମରାମତି ସରକାରୀ କାଗଜ କଲମରେ କରାଯାଇ ସରକାରୀ ରାଜକୋଷରୁ ଲକ୍ଷ ଲକ୍ଷ ଟଙ୍କା ହରିଲୁଟ କରାଯାଉଛି । ଠିକାଦାର-ମନ୍ତ୍ରୀ ଓ ଯନ୍ତ୍ରୀଙ୍କ ଭାଗ୍ୟର ପରିବର୍ତ୍ତନ ଘଟୁଥିଲା ବେଳେ ରାସ୍ତାର ଭାଗ୍ୟ ପରିବର୍ତ୍ତନ ଘଟୁନାହିଁ । ଗତ ୨୦୧୧-୧୨ ମସିହା ଠାରୁ ୨୦୧୭-୧୮ ମସିହା ପର୍ଯ୍ୟନ୍ତ ୧୭ଥର ଏହି ରାସ୍ତା ନିର୍ମାଣ ନିମନ୍ତେ ୧ କୋଟି ରୁ ଉଦ୍ଧ୍ୱର୍ ଟଙ୍କା ବିନିଯୋଗ କରାଯାଇଥିବାର ଅଭିଯୋଗ ହୋଇଥିଲା । ସେହିପରି ଭାବେ ଏହି ରାସ୍ତାଟି ନିଶ୍ଚିନ୍ତକୋଇଲି ବ୍ଲକ , ତିର୍ତ୍ତୋଲ ବ୍ଲକ, ରଘୁନାଥପୁର ବ୍ଲକ ଏବଂ କିଶନନଗରକୁ ସଂଯୋଗ କରୁଅଛି । ଦୈନିକ ହଜାର ହଜାର ଲୋକ ,ସ୍କୁଲ , କଲେଜ ଛାତ୍ର ଛାତ୍ରୀ ସର୍ବୋପରି ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ନେମାଳ ପୀଠ ଓ ଜଗତସିଂହପୁର ଜିଲ୍ଲା ଝଙ୍କଡ଼ସ୍ଥିତ ମାଆ ଶାରଳାଙ୍କ ପୀଠ ଓ ଗୋରଖନାଥ ପୀଠକୁ ଶହ ଶହ ଭକ୍ତ ଏହି ରାସ୍ତା ଦେଇ ଯାତାୟତ କରିଥାନ୍ତି ।
previous post
next post