ରାୟଗଡ଼ା: କୋରାପୁଟ-କିରୁଣ୍ଡୁଲ ରେଳ ଲାଇନ ବୋରା କେଭ ନିକଟରେ ପଥର ଧସି ୩ ଜଣଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ଜଣେ ରେଳ କର୍ମଚାରୀ ରହିଛନ୍ତି । କାଳ ବୈଶାଖୀ ଜନିତ ବର୍ଷାରେ ରେଳ ଲାଇନ ଉପରେ ପାଖ ପାହାଡରୁ ପଥର ଧସିଥିଲା । ଫଳରେ ରେଳ ଧାରଣାରେ କାମ କରୁଥ କାତାରା ବିରା ସ୍ୱାମୀ (୫୪), ଚୁକା ସୁରୀ ବାବୁ (୪୫) ଓ ସୁରେଶ (୪୨)ଙ୍କ ମୃତ୍ୟୁ ହୋଇଛି ଓ ୬ ଜଣ ଗୁରୁତର ଆହତ ହୋଇଛନ୍ତି। ସମସ୍ତଙ୍କୁ ସୁଙ୍ଗି ବ୍ୟାରୁକୁ କୋଟା ମେଡିକାଲରେ ଭର୍ତ୍ତି କରାଯାଇଛି। ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ବିଶାଖାପାଟଣା କେଜିଏଚ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।
ଗତକାଲି ବୋରା କେଭ-ଚିମିଡ଼ିପଲ୍ଲୀ ଷ୍ଟେସନ ମଧ୍ୟରେ ପଥର ଧସିଥିଲା। ଖବର ପାଇ ରେଳ କର୍ମଚାରୀ ଓ ଶ୍ରମିକମାନେ ଘଟଣାସ୍ଥଳରେ ପହଞ୍ଚି ରେଳ ଲାଇନରୁ ପଥର ହଟାଉଥିଲେ। ଏହି ସମୟରେ ପୁଣି ପଥର ଧସିବା ଯୋଗୁ ଶ୍ରମିକମାନେ ଚାପି ହୋଇ ଯାଇଥିଲେ। ଖବର ପାଇ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଶ୍ରମିକଙ୍କୁ ଉଦ୍ଧାର କରି ମେଡିକାଲ ନେଇଥିଲେ। ୨ ଶ୍ରମିକ ବିରା ସ୍ୱାମୀ ଓ ସୁରୀ ବାବୁଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ରାସ୍ତାରେ ରେଳ କର୍ମଚାରୀ ସୁରେଶଙ୍କ ମୃତ୍ୟୁ ହୋଇଥିଲା।