(ମହାଭାରତ, ପାଲଲହଡା): ଅନୁଗୁଳ ଜିଲ୍ଲା ପାଲଲହଡା ଥାନା ଅଞ୍ଚଳରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି । ଅନ୍ଧାର ରାତିର ସୁଯୋଗ ନେଇ ଏଠାରେ ସ୍ୱାମୀ-ସ୍ତ୍ରୀଙ୍କୁ ଆକ୍ରମଣ ପରେ ସ୍ତ୍ରୀଙ୍କୁ ପିଟି ପିଟି ମାରି କିଛି ଦୁର୍ବୃତ୍ତ ଗଛରେ ଝୁଲାଇ ଦେଇଥିବା ଅଭିଯୋଗ ହୋଇଛି । ହତ୍ୟାର ପ୍ରକୃତ କାରଣ ଏଯାଏ ସ୍ପଷ୍ଟ ହୋଇ ନାହିଁ । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁର୍ବୃତ୍ତମାନେ ଏଭଳି କାଣ୍ଡ ଘଟାଇଥିବା ଅଭିଯୋଗ ହୋଇଛି । ସୂଚନା ଅନୁଯାୟୀ, ଗତ ବୁଧବାର ସଇଡା ଗାଁ ବିଜୁ ସାହିରେ ମାଘେ ପର୍ବ ଚାଲିଥିଲା । ସାହିରେ ହେଉଥିବା ପୂଜା ଦେଖିବା ପାଇଁ ଜଗବନ୍ଧୁ କେରାଇ ଓ ତାଙ୍କ ସ୍ତ୍ରୀ ରାନୀ କେରାଇ ଯାଇଥିଲେ । ରାତି ପ୍ରାୟ ୧୨ଟାରେ ଉଭୟେ ଘରକୁ ଫେରୁଥିଲେ । ଏହି ସମୟରେ ସଇଡା ବିଜୁ ସାହିର ୪ ଜଣ ଯୁବକ ସେମାନଙ୍କୁ ଅଟକାଇଥିଲେ । ପରେ ସ୍ୱାମୀ-ସ୍ତ୍ରୀଙ୍କୁ ପ୍ରବଳ ମାଡ଼ ମାରିଥିଲେ । ମାଡ଼ ଭିତରେ ସେମାନଙ୍କ କବଳରୁ ଜଗବନ୍ଧୁ ଚମ୍ପଟ ମାରିଥିଲେ । ପରେ ଦୁର୍ବୃତ୍ତମାନେ ରାନୀଙ୍କୁ ପିଟି ପିଟି ହତ୍ୟା କରିଥିଲେ । ଏହାପରେ ତାଙ୍କୁ ରକ୍ତ ଜୁବୁବୁଡୁ ଅବସ୍ଥାରେ ଘୋଷାରି ନେଇ ଜଙ୍ଗଲ ଭିତରେ ଏକ ଶାଳ ଗଛରେ ବେକରେ ଶାଢୀ ଦେଇ ଝୁଲାଇ ଦେଇଥିଲେ । ପରଦିନ ସକାଳେ ଜଙ୍ଗଲ ଭିତରେ ରାନୀଙ୍କ ଝୁଲନ୍ତା ମୃତଦେହ ମିଳିଥିଲା । ଖବର ପାଇ ପାଲଲହଡା ପୋଲିସ ମୃତଦେହକୁ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ଏହି ଘଟଣାରେ ପୋଲିସ ୨ ଜଣକୁ ଅଟକ ରଖି ପଚରାଉଚରା କରୁଛି । ତେବେ ପୂର୍ବ ଶତ୍ରୁତାକୁ ନେଇ ଦୁର୍ବୃତ୍ତମାନେ ଏହି ହତ୍ୟାକାଣ୍ଡ ଘଟାଇଥିବା ମୃତା ରାନୀଙ୍କ ସ୍ୱାମୀ ଜଗବନ୍ଧୁ କେରାଇ ଅଭିଯୋଗ କରିଛନ୍ତି । ଅଭିଯୋଗକୁ ଆଧାର କରି ପାଲଲହଡା ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।
previous post
next post