(ଜୟନ୍ତ ସେଠି/ଗୋପ): ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଳକରେ ଫନି କେଳାଙ୍କାରୀ ଏବେ ପଦାକୁ ଆସିଛି । ସତ୍ୟବାଦୀ ବ୍ଳକର ଅଳଗୁମ ଗ୍ରାମ ପଞ୍ଚାୟତର ବିଭିନ୍ନ ଗ୍ରାମର ଶତାଧିକ ମହିଳା ପୁରୁଷ ମାନେ ଫନି ବାତ୍ୟାରେ ଘରଭଙ୍ଗା ତାଲିକା ପ୍ରସ୍ତୁତିରେ ଦୁର୍ନୀତି କରାଯାଇଛି ବୋଲି ଅଭିଯୋଗ ଆଣି ୫ ଘଣ୍ଟା ଧରି ସାକ୍ଷୀଗୋପାଳ- କଣାସ ରାସ୍ତା ରୋକ କରିଥିଲେ । ଫଳରେ ରାସ୍ତାରେ ଲୋକମାନେ ଯିବା ଆସିବାରେ ଘୋର ବ୍ୟାଘତ ସୃଷ୍ଟି ହୋଇଥିଲା । ୨୦୧୯ ଫନି ବାତ୍ୟାରେ ଅଳଗୁମ ଗ୍ରାମ ପଞ୍ଚାୟତରେ ବହୁ ଗରିବ ଲୋକ ମାନଙ୍କର ଚାଳ ଘର ଉଡିଯିବା ସହ ମାଟିରେ ମିଶି ଯାଇଥିଲା । ସେ ସମୟରେ ଲୋକମାନେ ବହୁ ଦିନ ଧରି ବିଦ୍ୟାଳୟ, ବାତ୍ୟା ଆଶ୍ରୟସ୍ଥଳୀ, ପଡିଶା ଓ ବନ୍ଧୁ ବାନ୍ଧବ ଙ୍କ ଘରେ ମାସ ମାସ ଧରି ରହିଥିଲେ । ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ପରିବାର ମାନଙ୍କୁ ସହାୟତା ଘୋଷଣା କରିଥିଲେ, ମାତ୍ର ତଦନ୍ତ କରିଥିଲେ ରାଜସ୍ୱ ବିଭାଗର କର୍ମଚାରୀ ମାନେ । ତଦନ୍ତ ସମୟରେ ଗ୍ରାମକୁ ଗ୍ରାମ ସାହିକି ସାହି ବୁଲି ଚାଳ ଘର ଓ ଆଜବେଷ୍ଟସ ଘର ଲୋକମାନଙ୍କର ଫଟୋ ଉଠାଇ ସେମାନଙ୍କୁ ତାଲିକା ଭୁକ୍ତ କରିଥିଲେ । ଏହି ତାଳିକା ପଞ୍ଚାୟତରେ ମରାଯାଇଥିଲା । ସେ ସମୟରେ ଅଧିକ କ୍ଷତି, ସାମାନ୍ୟ କ୍ଷତି , ଆଂଶିକ କ୍ଷତି ତାଲିକା ପ୍ରକାଶ ପାଇଥିଲା । ପରବର୍ତ୍ତୀ ସମୟରେ ଏହି ତାଳିକା ପରିବର୍ତ୍ତନ କରାଗଲା । ଯେଉଁ ମାନଙ୍କର ଦୁଇ ମହଲା କୋଠାଘର, ଟ୍ରକ, କାର, ୫ରୁ ୧୦ ଏକର ଜମିବାଡି, ଚାକିରିଆ ସେମାନଙ୍କ ନାମ ସିଭିୟର ଘରଭଙ୍ଗା ତାଲିକା ଭୁକ୍ତ କରାଗଲା । ଉକ୍ତ ତାଳିକା ସର୍ବସାଧାରଣ କରାଗଲାନାହିଁ । ଯାହା ଫଳରେ କି ଲୋକ ମାନଙ୍କୁ ଅନ୍ଧାର ମଧ୍ୟରେ ରଖାଗଲା । ରାଜ୍ୟ ସରକାର ସିଭିୟର ହୋଇଥିବା ପରିବାରଙ୍କୁ ୯୫ ହଜାର ଟଙ୍କା ସହାୟତା ପ୍ରଦାନ କରିଛନ୍ତି । ଏହି ଅର୍ଥ ପ୍ରଦାନ କରିବା ଆରମ୍ଭ କରିବା ମାତ୍ରେ ତହସିଲ କାର୍ୟ୍ୟାଳୟରେ ବିଭିନ୍ନ ସଂଗଠନ, ଲୋକମାନେ ଧାରଣା ଦେଲେ । ତଦନ୍ତ କରାଯିବା ପରେ ଟଙ୍କା ଛଡାଯିବ କହି ଏହି ଅର୍ଥ ରଖାଯାଇଥିଲା । ମାତ୍ର ରାଜ୍ୟରେ କରୋନା ନେଇ ସରକାର ଲକ ଡାଉନ ଜାରି କରିଥିବାରୁ ଏହାର ସୁଯୋଗ ନେଇ ତହସିଲ କାର୍ୟ୍ୟାଳୟ ପକ୍ଷରୁ ବିଭିନ୍ନ ଗ୍ରାମ ପଞ୍ଚାୟତକୁ ଅର୍ଥ ବ୍ୟାଙ୍କ ଅକାଉଣ୍ଟ ମାଧ୍ୟମରେ ପ୍ରଦାନ କରାଯାଉଛି । ଏପରିକି ପ୍ରକୃତ ଚାଳ ଘର ପରିବାର ଏବେ ତହସିଲଦାରଙ୍କ ତାଳିକାରେ କିପରି କୋଠା ଘର ହେଲା ତାହା ଏବେ ପ୍ରଶ୍ନବାଚୀ ହୋଇ ପଡିଛି । ଏହାକୁ ନେଇ ୩୧ ନଂ ଜୋନର ଜିଲ୍ଲା ପରିଷଦ ସଭ୍ୟା ଚନ୍ଦନା ରାୟଙ୍କ ପ୍ରତିନିଧି ଦେବାଶିଷ ରାୟ , ଦିନକୃଷ୍ଣ ପ୍ରଧାନ, ଭାନୁଲତା ବରାଳ, ଯଯାତି କେଶରୀ ରାୟ, ସୁବାଷ ଚନ୍ଦ୍ର ବିଶ୍ୱାଳ, ଅଜୟ ବିଶ୍ୱାଳ ପ୍ରମୁଖଙ୍କ ନେତୃତ୍ୱରେ ଆନ୍ଦୋଳନ କରାଯାଇଥିଲା । ଘଟଣା ସ୍ଥଳରେ ସତ୍ୟବାଦୀ ପୁଲିସ ପହଞ୍ଚି ଆନ୍ଦୋଳନ କାରୀ ମାନଙ୍କ ସହ ଆଲେଚନା କରିବା ଫଳରେ ରାସ୍ତାରୋକ ହଟିଥିଲା ।
previous post
next post
