ଭୁବନେଶ୍ୱର: ଏବେ ରାଜନୈତିକ ମହଲରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି ଯାଜପୁର ବିଧାୟକ ତଥା ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାଶ ବା ବବି ଦାଶ । ଖାଲି ରାଜନୈତିକ ମହଲ ନୁହେଁ, ରାଜନୀତି ଉପରେ ଅଳ୍ପ ବହୁତ ଆଗ୍ରହ ରଖିଥିବା ଲୋକଙ୍କ ପାଇଁ ବବି ପାଲଟିଛନ୍ତି ଚର୍ଚ୍ଚା । ଏହି ଚର୍ଚ୍ଚା ଆରମ୍ଭ ହୋଇଛି ଗତ କିଛି ଦିନ ତଳେ ବବିଙ୍କ ଜନ୍ମଦିନ ପରଠାରୁ । ଚର୍ଚ୍ଚାର ସାରାଂଶ ହେଉଛି, ବବି ହେବେ ବିଜେଡି ମୁଖିଆଙ୍କ ଉତ୍ତରାଧିକାରୀ । ଏହି ଚର୍ଚ୍ଚା କେତେ ଦୂର ସତ୍ୟ ଓ କେତେ ମିଛ ତାହା ସମୟ କହିବ, କାରଣ ବିଜେଡି ସୁପ୍ରିମୋଙ୍କ ସମସ୍ତ ପଦକ୍ଷେପ ଆକଷ୍ମମିକ ଓ ଚକିତ କଲାପରି । କିନ୍ତୁ ବବିଙ୍କୁ ନେଇ ହେଉଥିବା ଚର୍ଚ୍ଚାର ସତ୍ରଧର କିଏ ତାହା ବଡ ପ୍ରଶ୍ନ ହୋଇଛି । ଏହା ତାଙ୍କ ଶତ୍ରୁଙ୍କ ଦ୍ୱାରା ରଚା ଯାଇଛି ବୋଲି ଶୁଣିବାକୁ ମିଳୁଛି ।
ବବିଙ୍କ ରାଜନୈତିକ ଜୀବନରେ ଖୁବ ଦ୍ରୁତ ବେଗରେ ଉନ୍ନତି ପରିଲକ୍ଷିତ ହୋଇଛି । ଏପରି ଅନେକ ବିଧାୟକ ଅଛନ୍ତି, ଯେଉଁମାନେ ୩-୪ ଥର ବିଧାୟକ ହୋଇଥିଲେ ମଧ୍ୟ ସେହି ବିଧାୟକରେ ହିଁ ରହିଯାଇଛନ୍ତି । ନା ସେମାନଙ୍କୁ ମିଳିଛି ମନ୍ତ୍ରୀପଦ, ନାହିଁ ମିଳିଛି ଦଳ ସୁପ୍ରିମୋଙ୍କ ବିଶ୍ୱାସ । କିନ୍ତୁ ବବିଙ୍କ କ୍ଷେତ୍ରରେ ସେପରି ହୋଇ ନ ଥିଲା । ଏଥିନେଇ ତାଙ୍କ ବାପା ତଥା ବିଜୁ ପଟ୍ଟନାୟକଙ୍କ ଅତି ଅନ୍ତରଙ୍ଗ ଅଶୋକ ଦାଶଙ୍କ ରାଜନୈତିକ ଲୋକପ୍ରିୟତା କେତେକାଂଶରେ ବବିଙ୍କ ପାଇଁ ସହାୟକ ହୋଇଥିଲେ ମଧ୍ୟ ପରବର୍ତ୍ତୀ ମୁହୂର୍ତ୍ତରେ ବିଧାୟକ ହେବା ପରେ ବବି ନିଜକୁ ଜନସେବାରେ ଉତ୍ସର୍ଗ କରି ଦେଇଥିଲେ । ଆଜୀବନ ବ୍ରହ୍ମଚର୍ଯ୍ୟକୁ ଆପଣେଇ ନେଇଥିଲେ ଦଳ ଓ ଲୋକଙ୍କ କଲ୍ୟାଣ ପାଇଁ । ଏହା ବ୍ୟତୀତ ସେ ସଦା ସର୍ବଦା ଦଳର ସାଂଗଠନିକ ଦକ୍ଷତା ବୃଦ୍ଧି କ୍ଷେତ୍ରରେ ମଧ୍ୟ କାର୍ଯ୍ୟରତ ରହିଛନ୍ତି । ହୁଏତ ଏଥିନେଇ ଦ୍ୱିତୀୟ ଥର ବିଧାୟକ ହେବା ପରେ ତାଙ୍କୁ ସୁପ୍ରିମୋଙ୍କ ବିଶ୍ୱାସ ଭାଜନ କରାଇବା ସହ ଶକ୍ତି ବିଭାଗ ପରି ଏକ ଗୁରୁତ୍ୱପୂର୍ଣ୍ଣ ବିଭାଗ ମିଳିଥିଲା । ଅବଶ୍ୟ ତାଙ୍କ କିଛି ରାଜନୈତିକ ଶତ୍ରୁ ତଥା ଇର୍ଷାଳୁଙ୍କ ପାଇଁ ସେ ମନ୍ତ୍ରୀପଦରୁ ଇସ୍ତଫା ଦେଇଥିଲେ, ଯାହା ତାଙ୍କ ଗରିମାକୁ ଆହୁରି ବୃଦ୍ଧି କରିବା ସହ ତାଙ୍କୁ ଆହୁରି ସୁପ୍ରିମୋଙ୍କ ନିକଟତର କରିଥିଲା ।
ବବି ଯେତିକି ଲୋକଙ୍କ ନିକଟତର ହେଉଥିଲେ, ଯେତିକି ସୁପ୍ରିମୋଙ୍କ ବିଶ୍ୱାସର ପାତ୍ର ହେଉଥିଲେ ସେତିକି ସେତିକି ଶତ୍ରୁ ବଢୁଥିଲେ । ତାଙ୍କ ଦଳରେ, ତାଙ୍କ ନିକଟରେ କାନ୍ଧକୁ କାନ୍ଧ ମିଶାଇ କାମ କରୁଥିବା କହୁଥିବା ବେଳେ କିନ୍ତୁ ବବିଙ୍କ ପ୍ରତି ଏହି ତଥାକଥିତ ବନ୍ଧୁ ରୂପୀ ଶତ୍ରୁଙ୍କ ବବିଙ୍କ ବିରୋରେ ଚକ୍ରାନ୍ତ ଦେଖିବାକୁ ମିଳିଛି । ନିକଟରେ ବବିଙ୍କ ଜନ୍ମଦିନ ଯାଇଛି । ଏହି ଜନ୍ମଦିନରେ ଏକ ସଂଗୀତ ଆଲବମ ସୋସିଆଲ ମିଡିଆରେ ବେଶ ଭାଇରାଲ ହୋଇଥିଲା । ଏହି ଆଲବମରେ ବବିଙ୍କୁ ବେଶ ପ୍ରଶଂସା କରାଯାଇଛି । ଏହା ପରେ ଆରମ୍ଭ ହୋଇଛି ଚର୍ଚ୍ଚା । ଗତ ସାଧାରଣ ନିର୍ବାଚନ ବେଳେ ନବୀନଙ୍କ ଫ୍ୟାନ ସ୍ୱର ଓ ଭାବଧାରାରେ ପ୍ରସ୍ତୁତ ହୋଇଥିବା ଆଲବମ ପରି ଏହି ଆଲବମ ହୋଇଛି । ତେଣୁ ଏହାକୁ ନେଇ ବବିଙ୍କ ନନ୍ଦିକ ତଥା ଇର୍ଷାକାରୀ ଜଳିଯାଉଛନ୍ତି । ବବି କଣ ବିଜେଡି ଡଙ୍ଗାର ମଙ୍ଗ ଧରିବେ କି, ଏହି ଚିନ୍ତା ସେମାନଙ୍କୁ ଘାରିଛି । ଏଣୁତେଣୁ ଅନେକ ଚର୍ଚ୍ଚାର ସୂତ୍ରପାତ କରି ସୁପ୍ରିମୋଙ୍କ କୁଦୃଷ୍ଟିର ଶିକାର କରିବାକୁ ହୁଏତ କରୁଛନ୍ତି ପ୍ରୟାସ ।