ଓଡିଶା

ବସ୍ତିରେ ମହଙ୍ଗା ପଡିଲା କୋଠାଘର ନିର୍ମାଣ, ଭାଙ୍ଗିଲା ପାରାଦ୍ୱୀପ ବନ୍ଦର ଇଷ୍ଟେଟ ବିଭାଗ

(ସିଧେଶ୍ୱର ସ୍ୱାଇଁ/କୁଜଙ୍ଗ): ପାରାଦ୍ୱୀପ ଅନ୍ତର୍ଗତ ଷଣ୍ଢକୁଦରେ କୋଠାଘର ନିର୍ମାଣ କରିବା ମହଙ୍ଗା ସାବ୍ୟସ୍ତ ହୋଇଛି। ଏହି ଅଞ୍ଚଳ ପାରାଦ୍ୱୀପ ବନ୍ଦର ଅଧୀନରେ ଥିବାରୁ ଏଠାରେ କୋଠାଘର ନିର୍ମାଣ କରିବାକୁ ବନ୍ଦର କର୍ତ୍ତୃପକ୍ଷଙ୍କ ପକ୍ଷରୁ ଅନୁମତି ନ ଥିଲେ ମଧ୍ୟ ସବୁ ନିୟମକୁ ବେଖାତିର କରି କୋଠାଘର ତିଆରି କରାଯାଉଥିବା ଅଭିଯୋଗ ହୋଇଛି । ଫଳରେ ଆଜି ପାରାଦ୍ୱୀପ ବନ୍ଦର ଇଷ୍ଟେଟ ବିଭାଗ ପକ୍ଷରୁ ଏକ କୋଠାଘର ଭାଙ୍ଗି ଦିଆଯାଇଛି। ଘରର ଛାତ ଉପରେ ଚଢି ଭାଇବ୍ରେଟର ମେସିନ ସାହାଯ୍ୟରେ ଛାତ ଫଟେଇ ଦିଆଯାଇଛି । ଦୀର୍ଘ ଦିନ ଧରି ଗଢି ଉଠିଥିବା ଷଣ୍ଢକୁଦ ବସ୍ତି ବର୍ତ୍ତମାନ ପାରାଦ୍ୱୀପ ପୌର ପାଳିକା ଅଧୀନରେ ଯାଉଥିବା ବେଳେ ଏଠାରେ ଅନ୍ୟୁନ ୮ରୁ ୧୦ ହଜାର ଲୋକ ବସବାସ କରନ୍ତି। ଏହି ବସ୍ତିରେ କେବଳ ଚାଳ ଛପର ଓ ଆଜବେଷ୍ଟସ ଘର ନିର୍ମାଣକୁ ବନ୍ଦର ପ୍ରଶାସନ ଅନୁମତି ଦେଇଛନ୍ତି । ବସ୍ତିଟି ବନ୍ଦର ଅଧିନରେ ଆସୁଥିବାରୁ ଏଠାରେ କୋଠାଘର ନିର୍ମାଣ ବେଆଇନ ବୋଲି ବନ୍ଦର ପ୍ରଶାସନ ପକ୍ଷରୁ ପୂର୍ବରୁ ସୂଚାଇ ଦିଆଯାଇଛି । ତଥାପି ଏଠାରେ ଜନବସତିକୁ ଦେଖି କିଛି ଅସାଧୁ ଲୋକେ ବନ୍ଦର ଜମି ମାଡ଼ିବସିବା ସହିତ ଏଠାରେ କୋଠାଘର ନିର୍ମାଣ କରିଥିଲେ। ଯାହା ସମ୍ପର୍କରେ ଅଭିଯୋଗ ପାଇବା ପରେ ବନ୍ଦର ଇଷ୍ଟେଟ ବିଭାଗ ପକ୍ଷରୁ ଆଜି ଅଚାନକ ଚଢ଼ାଉ କରାଯାଇଥିଲା । ପ୍ରାୟ ଏକ ପ୍ଲାଟୁନ ପୁଲିସ ଫୋର୍ସ ସହାୟତାରେ ଭାଇବ୍ରେଟର ମେସିନ ଲଗାଇ ଘର ଛାତକୁ ତଳକୁ ଖସାଇ ଦିଆଯାଇଥିଲା । ଏହି କାର୍ୟ୍ୟ କରାଯିବା ସମୟରେ ଘଟଣା ସ୍ଥଳରେ କୌଣସି ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇନଥିବା ସୂଚନା ମିଳିଛି ।

 

Related posts

କୋରାପୁଟ ସରକାରୀ ମହାବିଦ୍ୟାଳୟର ସ୍ୱାସ୍ଥ୍ୟ ସଚେତନତା ଅଭିଯାନ

mahabharatanews

ଧରା ହେଲା ଚୋରା କୋଇଲା ବୋଝେଇ ଗାଡି

mahabharatanews

କୋଭିଡ-୧୯ ଗାଇଡଲାଇନ ଉଲ୍ଲଙ୍ଘନ: କୋଚିଂ ସେଣ୍ଟରରେ ତାଲା

mahabharatanews