ଭୁବନେଶ୍ୱର: କୋଭିଡ୍ କଟକଣା ଭିତରେ ଆଜି ସକାଳ ୭ଟାରୁ ବାଲେଶ୍ୱର ଓ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ଆରମ୍ଭ ହୋଇଛି। ବାଲେଶ୍ୱର ଓ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ମଙ୍ଗଳବାର ଭୋଟିଂ ଜାରି ରହିଛି। କୋଭିଡ କଟକଣା ମଧ୍ୟରେ ସକାଳ ୭ଟାରୁ ଭୋଟିଂ ଆରମ୍ଭ ହୋଇଛି। ୧୧ଟା ସୁଦ୍ଧା ବାଲେଶ୍ୱର ଓ ତିର୍ତ୍ତୋଲରେ ହାରାହାରି ୨୬.୨୪% ମତଦାନ ହୋଇଛି। ବାଲେଶ୍ୱରରେ ୨୭.୬% ମତଦାନ ଓ ତିର୍ତ୍ତୋଲରେ ୨୪.୯୩% ମତଦାନ ହୋଇଛି। ସାମାଜିକ ଦୂରତ୍ୱ, ମାସ୍କ ପିନ୍ଧିବା ସହ କୋଭିଡ୍ ଗାଇଡଲାଇନ୍କୁ ଅକ୍ଷରେ ଅକ୍ଷରେ ପାଳ କରି ଚାଲିଛି ଭୋଟ । ପ୍ରତ୍ୟେକ ଭୋଟରଙ୍କ ଥର୍ମାଲ ସ୍କ୍ରିନିଂ କରାଯିବା ପରେ ମତଦାନ ପାଇଁ ଗୋଟିଏ ଲେଖାଏଁ ହ୍ୟାଣ୍ଡ ଗ୍ଲୋବସ୍ ପ୍ରଦାନ କରାଯାଉଛି ।
ବାଲେଶ୍ୱରରେ ୩୪୬ ଓ ତିର୍ତ୍ତୋଲରେ ୩୭୩ଟି ବୁଥ୍ କରାଯାଇଛି । ଏଥିପାଇଁ ନିଯୁକ୍ତ ହୋଇଛନ୍ତି ୩ ହଜାର ୫୦୦ ପୁଲିଂ କର୍ମଚାରୀ, ୮ ଶହ ଲେଖାଏଁ ଆଶାକର୍ମୀ ଓ ସ୍ୱେଚ୍ଛାସେବୀ । ଥର୍ମାଲ ସ୍କ୍ରିନିଂ ପରେ କେବଳ ସୁସ୍ଥ କର୍ମଚାରୀଙ୍କୁ ହିଁ ନିର୍ବାଚନ ପରିଚାଳନା ଦାୟିତ୍ୱ ଦିଆଯାଇଛି । ପୂର୍ବରୁ ବୁଥ୍ଗୁଡ଼ିକୁ ସାନିଟାଇଜ କରାଯାଇଛି। ଆଜି ବି ବାରମ୍ବାର ସାନିଟାଇଜ୍ କରାଯିବ । ପୁଲିଂ ଅଫିସରଙ୍କୁ ପିପିଇ କିଟ୍ ପ୍ରଦାନ କରାଯାଇଛି। ବାଲେଶ୍ୱର ମ୍ୟୁନିସିପାଲଟିର ୩୧ଟି ଓ୍ୱାର୍ଡ ଓ ସଦରର ୨୬ ପଞ୍ଚାୟତରେ ୨ଲକ୍ଷ ୩୦ ହଜାର ୨୯୭ ମତଦାତା ସେମାନଙ୍କ ଅଧିକାର ସାବ୍ୟସ୍ତ କରିବେ । ସେପଟେ ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀରେ ୨ ଲକ୍ଷ ୩୭ ହଜାର ୨୮୨ ଜଣ ଭୋଟର୍ ଭୋଟ ଦେବେ ।
ବାଲେଶ୍ୱରରେ ୮୬ଟି ଓ ତିର୍ତ୍ତୋଲରେ ୧୫୫ କ୍ରିଟିକାଲ୍ ବୁଥ୍ ରହିଛି । ଉଭୟ ଆସନ ପାଇଁ ମୋଟ୍ ୯୦ ପ୍ଲାଟୁନ୍ ଫୋର୍ସ, ୬ କମ୍ପାନି ସିଏପିଏଫ୍ ଓ ୨୫୦ ପୋଲିସ୍ ଅଫିସର ନିଯୁକ୍ତି କରାଯାଇଛି । ଏହାବାଦ୍ ବୁଥ୍ଗୁଡ଼ିକରେ ସିସିଟିଭି ଓ ୱେବକାଷ୍ଟିଂ ବ୍ୟବସ୍ଥା କରାଯାଇଛି।