ଓଡିଶା

ବାସ୍ତବତାକୁ ଲୁଚାଇବାକୁ ଫ୍ୟାନ କ୍ଲବର ସୃଷ୍ଟି

ଭୁବନେଶ୍ୱର/ ସୁର୍ଜିତ ଧଳ: କ୍ଲବ କହିଲେ ପୂର୍ବରୁ ଆମେ ଏକ ଘରକୁ ବୁଝୁଥିଲୁ, ଯେଉଁଠି ଗୋଟିଏ ଗୋଷ୍ଠୀର ଲୋକ ଏକତ୍ରିତ ହୋଇଥାନ୍ତି । ଅର୍ଥାତ ଏକ ସଂଘ । ବିଭିନ୍ନ ଗାଁରେ ଗୋଟିଏ ଗୋଟିଏ କ୍ଲବ ଘର ରହୁଥିଲା । ସେଠି ଗୋଟିଏ ଚିନ୍ତାଧାରାର ଲୋକେ ଏକତ୍ରିତ ହେଉଥିଲେ, ଭାବର ଆଦାନପ୍ରଦାନ କରୁଥିଲେ । ଏବେ ସୋସିଆଲ ମିଡିଆ ଯୁଗ । ବ୍ୟସ୍ତ ବହୁଳ ଜୀବନରେ ଆଉ କ୍ଲବ ଘରକୁ ଯିବାକୁ ଲୋକଙ୍କ ପାଖରେ ସମୟ ନାହିଁ । ତେଣୁ ସୋସିଆଲ ମିଡିଆରେ ନିଜ ଆଦର୍ଶ, ଚିନ୍ତାଧାରାକୁ ନେଇ ସୃଷ୍ଟି ହେଉଛି ବିଭିନ୍ନ ଫ୍ୟାନ କ୍ଲବ ବା ପ୍ରଶଂସକଙ୍କ କ୍ଲବ । ପ୍ରାରମ୍ଭରେ ବିଭିନ୍ନ ସେଲିବ୍ରିଟିଙ୍କର ଫ୍ୟାନ କ୍ଲବ ଦେଖିବାକୁ ମିଳୁଥିଲା । ଏବେ ନେତା, ମନ୍ତ୍ରୀ, ଅମଲାତନ୍ତ୍ରୀଙ୍କ ଫ୍ୟାନ କ୍ଲବ ଛାୟୀ ରହିଛି ସୋସିଆଲ ମିଡିଆରେ । ଏମାନଙ୍କ ଛୋଟ, ବଡ ଘଟଣାକୁ ଫ୍ୟାନ କ୍ଲବରେ ଅପଲୋଡ କରାଯାଉଛି । ଏହା ଏକ ପ୍ରକାର ଏକ ବିଜ୍ଞାପନର ପ୍ଲାଟଫର୍ମ

ତେବେ ଦେଖିବାକୁ ମିଳୁଛି ବିଭିନ୍ନ ନେତା, ମନ୍ତ୍ରୀ ଓ ଅଧିକାରୀଙ୍କ ନିର୍ଦ୍ଦେଶରେ ସୃଷ୍ଟି ହେଉଛି ଫ୍ୟାନ କ୍ଲବ । ଏସବୁର ସୃଷ୍ଟି ଖାଲି ଲୋକଙ୍କୁ ଭୁଆଁ ବୁଲାଇବା ପାଇଁ । ନେତା, ମନ୍ତ୍ରୀ ଓ ସେମାନଙ୍କ ଚେଲା ଚାମୁଣ୍ଡାଙ୍କ ଦ୍ୱାରା ଗାଁଠୁ ସହର ଯାଏ କେଉଁଠି କିଛି କାର୍ଯ୍ୟ ହେଲେ ତାକୁ ସୋସିଆଲ ମିଡିଆରେ ଅପଲୋଡ କରି ଲୋକଙ୍କୁ ଭୁଆଁ ବୁଲାଯାଉଛି । ନେତା ମନ୍ତ୍ରୀ ନିଜ ବଡପଣ ଦେଖାଇବାକୁ କେଉଁଠି କାହାକୁ ଟଙ୍କା ଟିଏ ଦେଲେ, କାହାକୁ ଗଣ୍ଡେ ଖାଇବାକୁ ଦେଲେ ସଙ୍ଗେ ସଙ୍ଗେ ତାଙ୍କ ଚାମୁଣ୍ଡାଦଳଙ୍କ ଦ୍ୱାରା ତାହାକୁ ଅପଲୋଡ କରାନ୍ତି । ସେହିପରି ଅଧିକାରୀଙ୍କ ଦ୍ୱାରା ଉଦ୍ଘାଟିତ ହେଉଥିବା ବିଭିନ୍ନ ଯୋଜନା ଓ କାର୍ଯ୍ୟକୁ ସର୍ବସାଧାରଣଙ୍କ ପାଇଁ ଅପଲୋଡ କରାଯାଉଛି । ମୁଖ୍ୟତଃ ରାଜନୈତିକ ଓ ଅମଲାତନ୍ତ୍ରଙ୍କ ଫ୍ୟାନ କ୍ଲବ ସେମାନଙ୍କ ନିଜ ବଡିମା ଗାନ ପାଇଁ ସେମାନଙ୍କ ଦ୍ୱାରା ପରୋକ୍ଷରେ ପରିଚାଳିତ ଏକ ସାଧନ । ଏହି ଫ୍ୟାନ କ୍ଲବ ମାଧ୍ୟମରେ ସେମାନେ ନିଜ କାର୍ଯ୍ୟଦକ୍ଷତା, ଲୋକ ପ୍ରିୟତା, ସରକାରୀ ପଦକ୍ଷେପକୁ ଲୋକଙ୍କୁ ଦେଖାଇ କେବଳ ଭୁଆଁ ବୁଲାଉଛନ୍ତି ।

ଏହା ବ୍ୟତୀତ, କୌଣସି ଗଣମାଧ୍ୟମରେ ସେହି ନେତା ମନ୍ତ୍ରୀ ବା ସରକାରର କୌଣସି କାର୍ଯ୍ୟ, ସଫଳତା, ଯୋଜନାର ଶୁଭାରମ୍ଭର ନ୍ୟୁଜ ହେଲେ ଫ୍ୟାନକ୍ଲବ ଗୁଡିକ ସେସବୁକୁ ନିଜ ୱାଲରେ ପୋଷ୍ଟ କରି ଦିନରେ ତାରା ଦେଖାଉଥିବା ବେଳେ କିନ୍ତୁ କୌଣସି ନକରାତ୍ମକ ନ୍ୟୁଜକୁ ଫ୍ୟାନକ୍ଲବ ଆପ୍ରୁଭାଲ ଦେଉ ନାହାନ୍ତି । ନିଜ କଳାକାରନାମା, ଦୁର୍ନୀତିକୁ ଲୋକଙ୍କୁ ଲୁଚାଇବାକୁ ଆପ୍ରାଣ ଚେଷ୍ଟା କରୁଥିବା ଦେଖିବାକୁ ମିଳୁଛି । ଏହି ସବୁ ଫ୍ୟାନ କ୍ଲବର ଦାୟିତ୍ୱରେ ଥିବା କର୍ମକର୍ତ୍ତା ବା ଚେଲା ଚାମୁଣ୍ଡା ଲୋକଙ୍କୁ ଲଣ୍ଠନ ଦେଖାଇ ମାଲିକଙ୍କଠାରୁ ଭଲ ଅର୍ଥ ରୋଜଗାର କରୁଥିବା ଶୁଣିବାକୁ ମିଳୁଛି ।

Related posts

କମିଲା ପିଆଜ ଦର

mahabharatanews

BCPPER ପାଇଁ ଅର୍ଥନୈତିକ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

mahabharatanews

ବରିଷ୍ଠ ନେତା ରଘୁନାଥ ମହାନ୍ତି ଙ୍କ ୧୦ ମ ଶ୍ରାଦ୍ଧ ବାର୍ଷିକୀ ଜିଲ୍ଲା ବିଜେଡି କାର୍ଯ୍ୟାଳୟ ପରିସରରେ ଭକ୍ତି ଶ୍ରଦ୍ଧାଞ୍ଜଳୀ।

mahabharatanews