(ଜୟନ୍ତ ସେଠି/ଗୋପ): ଚଳିତ ବର୍ଷ ବିନା ଭକ୍ତଙ୍କ ଉପସ୍ଥିତିରେ ହେବ ମହାପ୍ରଭୁଙ୍କ ରଥଯାତ୍ରା। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପ୍ରସ୍ତୁତି ଆରମ୍ଭ କରି ଦେଇଛି। ତେବେ କେବଳ ସରକାରଙ୍କ ଆନୁଷ୍ଠାନିକ ଘୋଷଣାକୁ ଅପେକ୍ଷା ଥିବା ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା କହିଛନ୍ତି। ସରକାରଙ୍କ ନିର୍ଦ୍ଦେଶ ଆସିଲେ ବିନା ଭକ୍ତରେ ରଥଯାତ୍ରା ହେବ। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଅନ୍ୟପଟେ କୋଭିଡ ୧୯ କଟକଣା ପାଇଁ ସୀମିତ ସେବକମାନେ ଏଥର ରଥଯାତ୍ରା ରେ ସାମିଲ ହେବେ। ସେହିପରି ତିନି ରଥକୁ ସେବାୟତ ମାନେ ଟାଣିବା ନେଇ ନିଷ୍ପତ୍ତି ହୋଇଛି। ଅନ୍ୟପଟେ କୋଭିଡ ଗାଇଡ଼ ଲାଇନ ଅନୁଯାୟୀ ରଥଯାତ୍ରାରେ ସାମିଲ ସମସ୍ତ ସେବାୟତ ମାସ୍କ ବ୍ୟବହାର କରିବେ। । କରୋନା ସଂକ୍ରମଣରୁ ବର୍ତ୍ତିବା ପାଇଁ ଶ୍ରୀମନ୍ଦିର ସେବାୟତଙ୍କୁ ମାସ୍କ ବଣ୍ଟନ କରିବ ଶ୍ରୀମନ୍ଦିର ପ୍ରଶାସନ । ଏ ନେଇ ମାସ୍କ ତିଆରି ପାଇଁ ବୟନିକା କୁ ଅର୍ଡର ଦିଆଯାଇଛି । ସେବାୟତଙ୍କ ସୁରକ୍ଷା ପାଇଁ ଶ୍ରୀମନ୍ଦିର ପ୍ରଶାସନ ସମସ୍ତ ସେବାୟତଙ୍କୁ ମାସ୍କ ଯୋଗାଇ ଦେବାପାଇଁ ସ୍ଥିର କରିଛନ୍ତି । ଏଥିପାଇଁ ବୟନିକାକୁ ୫ହଜାର ମାସ୍କ ଯୋଗାଇ ଦେବାକୁ ଅନୁରୋଧ କରାଯାଇଛି।
ଶ୍ରୀମନ୍ଦିର ପ୍ରଶାସନର ଅନୁରୋଧ ପରେ ଆଜିଠାରୁ ବୟନିକା ପକ୍ଷରୁ ମାସ୍କ ପ୍ରସ୍ତୁତି ଆରମ୍ଭ ହୋଇଛି। ତିନି ରଥର ରଙ୍ଗକୁ ଆଧାର କରି ନାଲି-ହଳଦିଆ, କଳା-ନାଲି, ସବୁଜ-ନାଲି ରଙ୍ଗରେ ମାସ୍କ ପ୍ରସ୍ତୁତ କରାଯିବ ବୋଲି ବୟନିକା ପକ୍ଷରୁ କୁହାଯାଇଛି ।
ଏହି ମାସ୍କ ସବୁ ବାନ୍ଧ ବସ୍ତ୍ରରେ ପ୍ରସ୍ତୁତ ହେବ । ଯଥା ଶୀଘ୍ର ପ୍ରଦାନ କରାଯିବ ବୋଲି ବୟନିକ ପକ୍ଷରୁ କୁହାଯାଇଛି । ତିନି ରଥର କପଡା ରଙ୍ଗ ଅନୁଯାୟୀ ମାସ୍କ ପ୍ରସ୍ତୁତ ହେବ। ପ୍ରତେକ ରଥରେ ନିୟୋଜିତ ଉକ୍ତ ସେବାୟତଙ୍କୁ ଉକ୍ତ ରଥର ରଙ୍ଗ ଅନୁଯାୟୀ ମାସ୍କ ଯୋଗାଇ ଦିଆଯିବ।
