ଭୁବନେଶ୍ୱର: ମହାମାରୀ କରୋନା ସମୟରେ ରାଜ୍ୟର ବୁଣାକାରମାନେ ବହୁଭାବେ ପ୍ରଭାବିତ ହୋଇଛନ୍ତି । ବୁଣାକାରଙ୍କ ସମସ୍ୟାକୁ ନେଇ ମୁଖ୍ୟମନ୍ତ୍ରୀ ବୁଣାକାରଙ୍କ ପାଇଁ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରିଛନ୍ତି । ପ୍ୟାକେଜରେ ୩୦୦୦ ବୁଣାକାର ପରିବାରକୁ ଗୃହ ସହ କର୍ମଶାଳା ଯୋଗାଇ ଦିଆଯିବ। ଏ ପର୍ୟ୍ୟନ୍ତ ୧୧,୬୯୫ ବୁଣାକାର ପରିବାରଙ୍କୁ ଗୃହ ସହ କର୍ମଶାଳା ଯୋଗାଇ ଦିଆଯାଇଛି।ବୁଣାକାରମାନଙ୍କ ଆଖି ତଥା ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ନ ପଡିବା ପାଇଁ ଏହି ଯୋଜନାରେ ବିଜୁଳି ଆଲୁଅ ଓ ବିଜୁଳି ପଙ୍ଖା ଯୋଗାଇ ଦିଆଯିବ।
ପଞ୍ଚାୟତି ରାଜ ବିଭାଗର ଗାଇଡଲାଇନ ଅନୁସାରେ ଏଥିପାଇଁ ହିତାଧିକାରୀ ଚୟନ କରାଯିବ। ସେହିଭଳି ଏହି ପ୍ୟାକେଜରେ କଂକ୍ରିଟ ହୋଇନଥିବା ୧୫,୦୦୦ ଲୁମ ପିଟ କୁ ପର୍ଯ୍ୟାୟକ୍ରମେ ଆଗାମୀ ତିନି ବର୍ଷରେ କଂକ୍ରିଟ କରାଯିବ । ପ୍ରତି ଲୁମ ପିଟ କଂକ୍ରିଟ ପାଇଁ ୭୦୦୦ ଟଙ୍କା ଲେଖାଏ ଖର୍ଚ୍ଚ କରାଯିବ। ଏବେ ସୁଦ୍ଧା ରାଜ୍ୟର ୩୧,୩୪୨ଟି ଲୁମ ପିଟ ମଧ୍ୟରୁ ୧୫,୦୭୧ଟି ଲୁମ ପିଟକୁ କଂକ୍ରିଟ କରାଯାଇଛି ।
ବୁଣାକାର ମାନେ ଯେପରି ସୁବିଧାରେ ଋଣ ପାଇ ପାରିବେ ତା ଉପରେ ଗୁରୁତ୍ୱ ଦିଆଯାଇଛି। ବୁଣାକାର ମାନଙ୍କର ଉତ୍ପାଦନ ସାମଗ୍ରୀ ରଖିବା ନିମନ୍ତେ ବିଭିନ୍ନ ଗୋଷ୍ଠୀ ଭିତ୍ତିଭୂମି ଯଥା ସିଏଫସି, ଗୋଦାମ ଓ ବିକ୍ରୟ କେନ୍ଦ୍ର ଆଦି ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଜରିଆରେ କରାଯିବ। ବୁଣାକାର ମାନଙ୍କୁ ପଚାଶ ହଜାର ଟଙ୍କା ପର୍ୟ୍ୟନ୍ତ ଋଣ ବିନା ସୁଧରେ ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଆଗକୁ ପଞ୍ଚାୟତ ନିର୍ବାଚନ ଥିବାରୁ ରାଜ୍ୟ ସରକାରଙ୍କୁ ବୁଣାକାରଙ୍କ ପାଇଁ ଚିନ୍ତା ଘାରିଛି ।