(ଲଣ୍ଡନ):କୋରୋନା ଏବେ ମହାମାରୀ ହୋଇ ସାରା ବିଶ୍ୱ ପାଇଁ ଚିନ୍ତାର ବିଷୟ ପାଲଟିଛି । ସାରା ବିଶ୍ୱରେ ଏବେ ୪ ହଜାରରୁ ଅଧିକ ଲୋକେ ଏହି ଭୟଙ୍କର ଭାଇରସରେ ମୃତ୍ୟୁ ବରଣ କରିଥିବା ବେଳେ ୧ ଲକ୍ଷରୁ ଅଧିକ ଏଥିରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି । ଏହି ଭୂତାଣୁ ସଂକ୍ରମଣରେ ଏବେ ବ୍ରିଟେନରେ ୬ ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ୩୩୭ ଜଣ ଆକ୍ରାନ୍ତ ମଧ୍ୟ ହୋଇଛନ୍ତି । ଏହି ଆକ୍ରାନ୍ତମାନଙ୍କ ମଧ୍ୟରେ ଦେଶର ସ୍ୱାସ୍ଥ୍ୟମନ୍ତ୍ରୀ ନଦୀନ ଡୋରିସ ମଧ୍ୟ ସାମିଲ ଅଛନ୍ତି । ବ୍ରିଟେନ ଶାସକ ଦଳ କନଜରଭେଟିଭ ପାର୍ଟିର ସାଂସଦ ନଦୀନ କୋରୋନା ପଜିଟିଭ୍ ବୋଲି ଯାଞ୍ଚ ବେଳେ ଜଣାପଡିଥିବା କହିଛନ୍ତି । ତେଣୁ ସେ ଏବେ ନିଜକୁ ପରିବାର ଠାରୁ ଅଲଗା ରଖିଥିବା ଜଣାଯାଇଛି । ଏହି ବ୍ରିଟିଶ ସାଂସଦ ଗତ ସପ୍ତାହରେ ସଂସଦରେ ବହୁ ସାଂସଦଙ୍କୁ ଭେଟିଥିଲେ । ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କ ସହ ଏକ ପାର୍ଟିରେ ମଧ୍ୟ ଯୋଗ ଦେଇଥିଲେ । ତେବେ ନଦୀନ କିଭଳି କୋରୋନାରେ ଆକ୍ରାନ୍ତ ହେଲେ ବ୍ରିଟେନ ସ୍ୱାସ୍ଥ୍ୟ ବିଭାଗ ତାହାର ସମୀକ୍ଷା କରୁଛି । ସୂଚନାଯୋଗ୍ୟ, ମଙ୍ଗଳବାର ସୁଦ୍ଧା ଦେଶରେ କୋରୋନା ସନ୍ଦିଗ୍ଧଙ୍କ ସଂଖ୍ୟା ଧୀରେ ଧୀରେ ବଢୁଥିବା ବ୍ରିଟେନ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଦେଇଛି । ଏହି ଭାଇରସରେ ଏଯାଏ ୬ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାଯାଇଛି ।
previous post
next post