ନୂଆଦିଲ୍ଲୀ: ମଧ୍ୟପ୍ରଦେଶରେ ରାଜ୍ୟପାଳଙ୍କ ନିଷ୍ପତ୍ତି ବିରୋଧରେ ହୋଇଥିବା ଯାଚିକାର ଶୁଣାଣି କରି ଆଜି ସୁପ୍ରିମ କୋର୍ଟ କହିଛନ୍ତି, ବିଧାନସଭାରେ ଶକ୍ତିପ୍ରଦର୍ଶନ ପାଇଁ ରାଜ୍ୟପାଳ ଦେଇଥିବା ନିଷ୍ପତ୍ତି ଠିକ୍ । ଗୃହରେ ଶାସକ ଦଳର ସଂଖ୍ୟା କମିବା ନେଇ ରାଜ୍ୟପାଳ ହୃଦବୋଧ କରିବା ପରେ ଆସ୍ଥା ଭୋଟ୍ ପାଇଁ ନିର୍ଦ୍ଦେଶ ଦେଇପାରିବେ । ସୁପ୍ରିମକୋର୍ଟର ବି•ରପତି ଜଷ୍ଟିସ୍ ଡିୱାଇ ଚନ୍ଦ୍ରଚୁଡ ସୋମବାର କଂଗ୍ରେସର ଆବେଦନ ଉପରେ ଶୁଣାଣି କରି ଏହା କହିଛନ୍ତି । ରାଜ୍ୟପାଳ ଆସ୍ଥାଭୋଟ୍ ପାଇଁ ନିର୍ଦ୍ଦେଶ ଦେଇଥିବାରୁ ଏହାକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ, ସେତେବେଳର ମୁଖ୍ୟମନ୍ତ୍ରୀ କମଲନାଥ । ରାଜ୍ୟପାଳ ବିଧାନସଭା ଅଧିବେଶନ ପାଇଁ ଆହ୍ୱାନ କରିପାରିବେ ହେଲେ ଆସ୍ଥା ଭୋଟ୍ ପାଇଁ ନିର୍ଦ୍ଦେଶ ଦେଇପାରିବେନି ବୋଲି କମଲନାଥ କୋର୍ଟରେ ଦର୍ଶାଇଥିଲେ, ଯାହାକୁ କୋର୍ଟ ଖାରଜ କରି ଦେଇଛନ୍ତି ।
ସୁପ୍ରିମକୋର୍ଟ ରାଜ୍ୟପାଳଙ୍କ କ୍ଷମତା ବାବଦରେ ଅବଗତ କରାଇବାକୁ ଯାଇ କହିଛନ୍ତି, ରାଜ୍ୟପାଳ ଆସ୍ଥା ଭୋଟ୍ କରାଇବାକୁ ନିର୍ଦ୍ଦେଶ ଦେଇପାରିବେ । ଏହା ତାଙ୍କର କ୍ଷମତା ଭିତରେ ରହିଛି । ରାଜ୍ୟପାଳଙ୍କ ନିର୍ଦ୍ଦେଶ ପରେ ରାଜ୍ୟ ସରକାର ଆସ୍ଥା ଭୋଟ୍ କରାଇବାକୁ ବାଧ୍ୟ । ବିଜେପି ଏବଂ ସେତେବେଳର କଂଗ୍ରେସର ବିଦ୍ରୋହୀ ବିଧାୟକ ଆସ୍ଥା ଭୋଟ୍ ପାଇଁ ଯେଉଁ ଦାବି କରିଥିଲେ ତାହା ଯୁକ୍ତିଯୁକ୍ତ ବା ଠିକ୍ ବୋଲି ସୁପ୍ରିମକୋର୍ଟ କହିଛନ୍ତି ।
ସୂଚନାଯୋଗ୍ୟ, କଂଗ୍ରେସର ବିଦ୍ରୋହୀ ବିଧାୟକମାନେ ଇସ୍ତଫା ଦେବା ପରେ ମାସେ ତଳେ କମଲନାଥ ସରକାର ସଂଖ୍ୟା ଗରିଷ୍ଠତା ହରାଇଥିଲେ । ଏହାପରେ ରାଜ୍ୟପାଳ ଆସ୍ଥାଭୋଟ୍ କରାଇବାକୁ ବାଚସ୍ପତିଙ୍କୁ ପରେ ମୁଖ୍ୟମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ହେଲେ ବାଚସ୍ପତି କରାନଥିଲେ, ଯାହାକୁ ନେଇ ମାମଲା କୋର୍ଟରେ ପହଞ୍ଚିଥିଲା । ସେତେବେଳେ ସୁପ୍ରିମକୋର୍ଟ ଆସ୍ଥା ଭୋଟ୍ କରାଇବାକୁ ନିର୍ଦ୍ଦେଶ ଦେବା ପରେ କମଲନାଥ ମୁଖ୍ୟମନ୍ତ୍ରୀ ପଦବୀରୁ ଇସ୍ତଫା ଦେଇଥିଲେ । ଏହାପରେ ବିଜେପିର ଶିବରାଜ ସିଂହ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି ।