ମୁମ୍ବାଇ: ମହାରାଷ୍ଟ୍ରରେ କୋରୋନା ମାମଲା ବୃଦ୍ଧି ପାଇ ୪୯ରେ ପହଞ୍ଚିଥିବା ବେଳେ ଦୁଇ ଜଣଙ୍କ ସ୍ଥିତି ଗୁରୁତର ହେବାରୁ ସେମାନଙ୍କୁ ଭେଣ୍ଟିଲେଟରରେ ରଖାଯାଇଛି । ଆଜି ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ରାଜେଶ ଟୋପେ ସୂଚନା ଦେଇଛନ୍ତି । ସେ କହିଛନ୍ତି, କୋରୋନା କେଶ ରାଜ୍ୟରେ ୪୯ ରେ ପହଞ୍ଚିଛି । ସେମାନଙ୍କ ମଧ୍ୟରୁ ୨ ରୋଗୀଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିବା ପରେ ସେମାନଙ୍କୁ କସ୍ତୁରବା ହସ୍ପିଟାଲରେ ଭେଣ୍ଟିଲେଟରରେ ରଖାଯାଇଛି । ବର୍ତ୍ତମାନ କୋରୋନା ସଂକ୍ରମଣରେ ମହାରାଷ୍ଟ୍ରର ସ୍ଥିତି ଗମ୍ଭୀର ରହିଛି । ଟୋପେ କହିଛନ୍ତି, ବର୍ତ୍ତମାନ ରାଜ୍ୟରେ ମାତ୍ର ୬ଟି କୋରୋନା ଟେଷ୍ଟ ସେଣ୍ଟର ରହିଛି । ତେବେ ଘରୋଇ ଲାବରେ କୋରୋନା ଟେଷ୍ଟ କରାଇବାକୁ କେନ୍ଦ୍ରକୁ ଅନୁମତି ମଗା ଯାଇଛି ।
ସୂଚନାଯୋଗ୍ୟ, ଆଜି ସୁଦ୍ଧା ଦେଶରେ କୋରୋନା ସଂକ୍ରମକଙ୍କ ସଂଖ୍ୟା ୧୬୯ରେ ପହଞ୍ଚିଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ କୋରୋନାକୁ ନେଇ କୌଣସି ସାଂଘାତିକ ଘଟଣା ଘଟିନାହିଁ । ଏପର୍ଯ୍ୟନ୍ତ ଦେଶରେ ମୋଟ ୩ ଜଣଙ୍କ କୋରୋନାରେ ମୃତ୍ୟୁ ହୋଇଛି । ସଂକ୍ରମଣ ରୋକିବା ପାଇଁ ଏଥିମଧ୍ୟରେ ନାଗପୁର ଜିଲ୍ଲାପାଳ ସମସ୍ତ ମଦ ଦୋକାନ, ରୋସ୍ତୋରାଣ୍ଟ ଓ ପାନ ଦୋକାନକୁ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହାବ୍ୟତୀତ ନାଗପୁରରେ ଥିବା ସମସ୍ତ ପାର୍କ, ବଗିଚା ଆଦିକୁ ମଧ୍ୟ ୩୧ ପର୍ଯ୍ୟନ୍ତ ବନ୍ଦ ରଖାଯାଇଛି । ଏହା ବ୍ୟତୀତ ମହାରାଷ୍ଟ୍ର ସରକାର ବ୍ୟଘ୍ର ସଂରକ୍ଷଣ କେନ୍ଦ୍ର, ଅଭାୟାରଣ୍ୟ, ଜାତୀୟ ପାର୍କକୁ ମଧ୍ୟ ଚଳିତ ମାସ ଶେଷ ପର୍ଯ୍ୟନ୍ତ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇସାରିଛି ।