ନୂଆଦିଲ୍ଲୀ: ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଚାଇନ ସମେତ ଅନ୍ୟାନ୍ୟ ଦେଶରୁ ଆମଦାନୀ ହେଉଥିବା ସାମଗ୍ରୀ ମିଲିଟାରୀ କ୍ୟାଣ୍ଟିନରେ ବିକ୍ରି ଉପରେ ବ୍ୟାନ ଲଗାଇବାକୁ କାର୍ଯ୍ୟ ଆରମ୍ଭ କରିଛି । ଆତ୍ମନିର୍ଭର ଭାରତ ଅନ୍ତର୍ଗତ ସ୍ଥାନୀୟ ଉତ୍ପାଦ ପ୍ରମୋଶନ ପାଇଁ ଏପରି ପଦକ୍ଷେପ ନିଆଯାଉଛି । ପ୍ରତିରକ୍ଷା ସୂତ୍ରରୁ କୁହାଯାଇଛି, କ୍ୟାଣ୍ଟିନ ଷ୍ଟୋର ଡିପାର୍ଟମେଣ୍ଟ (ସିଏସଡି)ରେ ବିକ୍ରି ହେଉଥିବା ବହୁ ଆମଦାନୀ ହେଉଥିବା ସାମଗ୍ରୀ ବିକ୍ରିକୁ ବନ୍ଦ କରାଯିବ ।
ଦେଶରେ ସିଏସଡି ହେଉଛି ସର୍ବ ବୃହତ ରିଟେଲ ଷ୍ଟୋର । ଦେଶବ୍ୟାପୀ ଉତ୍ତରରେ ସିଆଚିନ ଗ୍ଲେସିଏରଠାରୁ ଦକ୍ଷିଣରେ ଥିବା ଆଣ୍ଡାମାନ ନିକୋବର ଆଇଲାଣ୍ଡ ଯାଏ ୩୫୦୦ରୁ ଅଧିକ କ୍ୟାଣ୍ଟିନ କାର୍ଯ୍ୟ କରୁଛି । କ୍ୟାଣ୍ଟିନରେ ୫ ହଜାରରୁ ଅଧିକ ସାମଗ୍ରୀ ବିକ୍ରି ହେଉଥିବା ବେଳେ ପ୍ରାୟ ୪୦୦ ଆମଦାନୀ ସାମଗ୍ରୀ ବିକ୍ରି ହେଉଛି । ସେସବୁ ମଧ୍ୟରୁ ଅଧିକାଂଶ ସାମଗ୍ରୀ ଚୀରରୁ ଆମଦାନୀ ହେଉଛି । ଚୀନ ସାମଗ୍ରୀରେ ଟଏଲେଟ ବ୍ରସ, ଡାଇପର, ରାଇସ କୁକର, ଇଲେକ୍ଟ୍ରିକ୍ସ କେଟଲ୍ସ, ସାଣ୍ଡଉଇଚ ଟୋଷ୍ଟେର, ବାକୁମ କ୍ଲିନର, ସନଗ୍ଲାସ, ଲେଡିଜ ହ୍ୟାଣ୍ଡବ୍ୟାଗ, ଲାପଟପ, କମ୍ପୁଟର ରହିଛି । ତେବେ ଏହି ସବୁ ସାମଗ୍ରୀ ବିକ୍ରିକୁ ସିଏସଡି ସେଣ୍ଟରରେ ବ୍ୟାନ କରାଯିବ । ଏସବୁ ଆମଦାନୀ ସାମଗ୍ରୀ ବଦଳରେ ସ୍ୱଦେଶୀ ସାମଗ୍ରୀ ବିକ୍ରି ହେବ । ସୂତ୍ରରୁ ଆହୁରି ମଧ୍ୟ କୁହାଯାଇଛି, ବିଦେଶରୁ ଆମଦାନୀ ହେଉଥିବା ଫରେନ ଲିକରକୁ ମଧ୍ୟ କ୍ୟାଣ୍ଟିନରେ ବିକ୍ରି କରିବା ବନ୍ଦ କରାଯିବ । ଗତ କିଛି ମାସ ହେବ ନାମୀ ଦାମୀ କମ୍ପାନୀର ପରେନ ଲିକର ଉପଲବ୍ଧ ହେଉନାହିଁ ।
