ଭୁବନେଶ୍ୱର: ରାଜ୍ୟରେ ମିଶନ ଶକ୍ତି ଆନ୍ଦୋଳନକୁ ଆହୁରି ଶକ୍ତିଶାଳୀ କରିବାପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଅନେକ କାର୍ୟ୍ୟକ୍ରମ ଆରମ୍ଭ କରିଛନ୍ତି । ସେମାନଙ୍କ ଉତ୍ପାଦିତ ଦ୍ରବ୍ୟର ମାର୍କେଟିଂ ବ୍ୟବସ୍ଥା ସହିତ ସୁଧ ରିହାତି ପ୍ରଦାନ, ଅନ୍ ଲାଇନ ମାର୍କେଟ ବ୍ୟବସ୍ଥାର ଶୁଭାରମ୍ଭ, କମ୍ୟୁନିଟି ସପୋର୍ଟ ଷ୍ଟାଫ ମାନଙ୍କ ପୋଷାକ ପାଇଁ ଭତ୍ତା ଘୋଷଣା, ଫେଡେରେସନ ଇସି ମେମ୍ବର ମାନଙ୍କ ବୈଠକ ବାବଦ ଦେୟ ଓ ଗସ୍ତ ପାଇଁ ଭତ୍ତା ଘୋଷଣା, ଜିଲ୍ଲା ସ୍ତରରେ ମିଶନ ଶକ୍ତି ଗଠନ ପାଇଁ ପ୍ରତ୍ୟେକ ଜିଲ୍ଲାକୁ ଏକ କୋଟି ଟଙ୍କା ଲେଖାଏ ଘୋଷଣା ଆଦି ଅନେକ କାର୍ୟ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ଏହାଦ୍ବାରା ତୃଣମୂଳ ସ୍ତରରେ ମିଶନ ଶକ୍ତି ଆନ୍ଦୋଳନ ଆହୁରି ଜୋରଦାର ହେବା ସହିତ ଆର୍ଥିକ ଦୃଷ୍ଟିରୁ ଅଧିକ ସଶକ୍ତ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକାଶ କରିଛନ୍ତି । ୨୦ ବର୍ଷ ତଳେ ଆରମ୍ଭ ହୋଇଥିବା ମିଶନ ଶକ୍ତି କାର୍ୟ୍ୟକ୍ରମ ଆଜି ୭୦ ଲକ୍ଷ ମା ମାନଙ୍କର ଏକ ବିରାଟ ଆନ୍ଦୋଳନ ହୋଇପାରିଛି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଓଡିଶା ହେଉଛି ଏକମାତ୍ର ରାଜ୍ୟ ଯେଉଁଠାରେ ମିଶନ ଶକ୍ତି ମା ମାନଙ୍କ ପାଇଁ ଏକ ସ୍ବତନ୍ତ୍ର ବିଭାଗ ଅଛି ।
ମିଶନ ଶକ୍ତି ପାଇଁ ୫୦୦୦ କୋଟି ଟଙ୍କାର କାମ ଦେବା ପାଇଁ କ୍ୟାବିନେଟ୍ରେ ନିଷ୍ପତ୍ତି ହୋଇଥିବା ବିଷୟ ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏବେ ରାଜ୍ୟ ସରକାରଙ୍କ ୨୧ଟି ବିଭାଗ ମିଶନ ଶକ୍ତିକୁ କାମ ଯୋଗାଇ ଦେଉଛନ୍ତି । ମିଶନ ଶକ୍ତିର ମା ମାନେ ଏ ବର୍ଷ ଏପର୍ୟ୍ୟନ୍ତ ୬୦୦୦ କୋଟି ଟଙ୍କାର ଋଣ ଦିଆଯାଇଥିବା ବେଳେ ସୁଧ ରିହାତି ବାବଦରେ ୨୦୦ କୋଟି ଟଙ୍କା ଦିଆଗଲା । ଏଥିପାଇଁ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଥିବା ବ୍ୟାଙ୍କ ମାନଙ୍କୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଦେଇଥିଲେ । ଷ୍ଟେଟ ବ୍ୟାଙ୍କ, ଓଡିଶା ଗ୍ରାମ୍ୟ ବ୍ୟାଙ୍କ, ଉତ୍କଳ ଗ୍ରାମୀଣ ବ୍ୟାଙ୍କ, ଓଡିଶା ରାଜ୍ୟ ସମବାୟ ବ୍ୟାଙ୍କ, ପଞ୍ଜାବ ନେସ୍ନାଲ ବ୍ୟାଙ୍କ, ବ୍ୟାଙ୍କ ଅଫ ଇଣ୍ଡିଆ ଓ ୟୁକୋ ବ୍ୟାଙ୍କ ଆଦି ବ୍ୟାଙ୍କ ଗୁଡିକୁ ସୁଧ ରିହାତି ପ୍ରଦାନ ପାଇଁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଥିଲେ । ଅନ୍ୟ ବ୍ୟାଙ୍କଗୁଡିକ ମାନେ ଏହିଭଳି ଭାବରେ କାମ କରିବା ପାଇଁ ସେ ପରାମର୍ଶ ଦେଇଥିଲେ ।
ଆର୍ଥିକ ଦୃଷ୍ଟିରୁ ମା ମାନଙ୍କୁ ସଶକ୍ତ କରିବା ପାଇଁ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଯେଉଁ ଗାଁରେ ବ୍ୟାଙ୍କ ନାହିଁ, ସେଠାରେ ସ୍ବୟଂ ସହାୟକ ଗୋଷ୍ଠୀ ବ୍ୟାଙ୍କ ସଖୀ ମାନଙ୍କୁ ଦାୟିତ୍ବ ଦିଆଯିବ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏବେ ସବୁ ପଞ୍ଚାୟତ ଓ ୱାର୍ଡରେ ମିଶନ ଶକ୍ତି ଘର ନିର୍ମାଣ କରାଯାଉଛି । ସବୁ ବ୍ଲକ୍ ଓ ରାଜ୍ୟ ସ୍ତରରେ ମଧ୍ୟ ମିଶନ ଶକ୍ତି ଭବନ କରାଯିବ ବୋଲି ସେ ପ୍ରକାଶ କରିଥିଲେ। ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ଯେ ପ୍ରତି ଜିଲ୍ଲାରେ ଜିଲ୍ଲା ମିଶନ ଶକ୍ତି ଭବନ ନିର୍ମାଣ କରାଯିବ। ଏଥିପାଇଁ ପ୍ରତ୍ୟେକ ଜିଲ୍ଲାକୁ ଏକ କୋଟି ଟଙ୍କା ଲେଖାଏ ଦିଆଯିବ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ମିଶନ ଶକ୍ତିର ମା ମାନଙ୍କ ସହିତ ଆଲୋଚନା କରି ସେମାନଙ୍କ ସମସ୍ୟା ସମାଧାନ ପାଇଁ ବ୍ୟବସ୍ଥା କରିବାକୁ ସେ ମିଶନ ଶକ୍ତି ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ । ମିଶନ ଶକ୍ତି ମା ମାନଙ୍କ ଅନୁରୋଧ ଅନୁଯାୟୀ ରାଜ୍ୟ ସରକାର ମିଶନ ଶକ୍ତି ଫେଡେରେସନର ଋଉ ସଦସ୍ୟ ମାନଙ୍କ ବୈଠକ ବାବଦ ଖର୍ଚ୍ଚ ଓ ଗସ୍ତ ପାଇଁ ଭତ୍ତା ପ୍ରଦାନ କରିବେ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। ଏଥିପାଇଁ ସେ ୨୦୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି ବୋଲି କହିଥିଲେ।