ଭୁବନେଶ୍ୱର: ଚାନ୍ଦିପୁର ଡିଆର୍ଡିଓ ହନିଟ୍ରାପ ମାମଲାରେ ଆଉ ଏକ ରୋଚକ ତଥ୍ୟ ସାମ୍ନାକୁ ଆସିଛି । ରହସ୍ୟମୟୀ ପାକିସ୍ତାନୀ ମହିଳା ମୋବାଇଲ ହ୍ୟାକ କରିଥିବା କ୍ରାଇମ ବ୍ରାଞ୍ଚ କହିଛି । ରହସ୍ୟମୟୀ ମହିଳା ଜଣେ ଅଭିଯୁକ୍ତର ମୋବାଇଲ୍କୁ ୮ ମାସ ଧରି ହ୍ୟାକ୍ କରି ରଖିଥିଲେ । ଏହି ମୋଇବାଲ୍ ଜରିଆରେ ସେ ଚାନ୍ଦିପୁର ଡିଆର୍ଡିଓରୁ ଗୁପ୍ତ ତଥ୍ୟ ଚୋରି କରିଥିବା ଅଭିଯୁକ୍ତଙ୍କ ଲିଙ୍କରେ ଥିବା ଲୋକଙ୍କ ସହ ଯୋଗାଯୋଗ ରଖିଥିଲେ।
କ୍ରାଇମବ୍ରାଞ୍ଚ ଆହୁରି କହିଛି ଯେ ଅଭିଯୁକ୍ତଙ୍କ ଲିଙ୍କରେ ଯେଉଁମାନେ ଥିଲେ, ସେମାନେ ସେହି ରହସ୍ୟମୟୀ ମହିଳାଙ୍କ ସହ କଥା ହେବା ପାଇଁ ନୂଆ ସିମ୍ କିଣିଥିଲେ। ମହିଳା ଜଣକ ଅଭିଯୁକ୍ତ ସଚିନ କୁମାର ଛତ୍ତାଙ୍କ ଜରିଆରେ ଅଧିକାରୀଙ୍କ ଗତିବିଧି ସମ୍ପର୍କରେ ଜାଣୁଥିଲେ। ଆଉ ଏସବୁ କିଛି ରହସ୍ୟମୟୀ ମହିଳା ଜଣକ ବିଦେଶରେ ରହି ଅପରେଟ୍ କରୁଥିଲେ ବୋଲି କ୍ରାଇମବ୍ରାଞ୍ଚ କହିଛି।
ସେହିପରି ରହସ୍ୟମୟୀ ମହିଳା ଜଣକ ସେମାନଙ୍କ ସହିତ ଭିଡିଓ କଲ୍ରେ କଥା ହୋଇଥିଲେ। ସେ ହିନ୍ଦୀ ଭାଷାରେ କଥା ହେଉଥିଲେ। ମହିଳା ଜଣକ ଯେଉଁ ଫୋନ୍ ନମ୍ବର ବ୍ୟବହାର କରୁଥିଲେ, ତାହା ସେ ୟୁକେର ଥିଲା। ଏବେ ସୁଦ୍ଧା ରହସ୍ୟମୟୀ ମହିଳାଙ୍କ ପ୍ରକୃତ ପରିଚୟ ଜଣାପଡ଼ି ନାହିଁ। ସେ ଏବେ କେଉଁଠି ଅଛନ୍ତି, ତାହା ଉପରେ ତର୍ଜମା ଚାଲିଥିବା କ୍ରାଇମବ୍ରାଞ୍ଚ ସୂଚନା ଦେଇଥିଲା।
ସୂଚନାଯୋଗ୍ୟ, ଡିଆର୍ଡିଏର ଗୁପ୍ତ ତଥ୍ୟ ଚୋରି ଅଭିଯୋଗରେ ବାଲେଶ୍ୱର ପୁଲିସ ରାତି ଅଧିଆ ୪ ଅଭିଯୁକ୍ତଙ୍କୁ ଟେକି ଆଣିଥିଲେ। ପଚରାଉଚରା ପରେ ପୁଲିସ ସେମାନଙ୍କୁ ଗିରଫ କରିଥିଲା। ସେମାନେ ହେଲେ- ଆଇଟିଆର୍ର ଠିକା ଏସି କର୍ମଚାରୀ ଅପରେଟର ବସନ୍ତ ବେହେରା ଓ ଶେଖ୍ ମୁଶାଫିର, ମେନ୍ଗେଟ କିପର ତାପସ ନାୟକ ଏବଂ ଡିଜି ଅପରେଟର ହେମନ୍ତ କୁମାର ମିସ୍ତ୍ରୀ। ମାମଲାର ଗୁରୁତ୍ୱକୁ ଦେଖି ଘଟଣାର ତଦନ୍ତ ଭାର କ୍ରାଇମବ୍ରାଞ୍ଚକୁ ଦେଇଥିଲେ ରାଜ୍ୟ ସରକାର। ପରେ କ୍ରାଇମବ୍ରାଞ୍ଚ ତଦନ୍ତ ଆରମ୍ଭ କରି ଦେଇ ଡିଆର୍ଡିଓର କର୍ମଚାରୀ ସଚିନ କୁମାର ଛତ୍ତାଙ୍କୁ ଗିରଫ କରିଥିଲା। ଚୁପ୍ତ ତଥ୍ୟ ଚୋରି ଅଭିଯୁକ୍ତରେ କ୍ରାଇମବ୍ରାଞ୍ଚ ବର୍ତ୍ତମାନ ସୁଦ୍ଧା ୫ ଜଣଙ୍କୁ ଗିରଫ କରିଛି।
