ମୋରଡା: ଲଘୁଚାପ ବର୍ଷାରେ ଜଳକା ନଦୀରେ ଆସିଛି ବନ୍ୟା । ଫଳରେ ମୟୁରଭଞ୍ଜ ଜିଲ୍ଲା ମୋରଡ଼ା ଓ ରାସଗୋବିନ୍ଦପୁର ବ୍ଲକର ୪୯ରୁ ଉର୍ଦ୍ଧ୍ବ ଗାଁ ପ୍ରଭାବିତ ହୋଇଛି । ମୋରଡ଼ା ବ୍ଲକ ଅଞ୍ଚଳରେ ଜଳସ୍ତର ଧୀରେ ଧୀରେ ଖସୁଥିବା ବେଳେ ରାସଗୋବିନ୍ଦପୁର ବ୍ଲକର ୨୦ରୁ ଉର୍ଦ୍ଧ୍ବ ଗାଁର ଲୋକେ ଏବେ ପାଣି ଘେରରେ। ଅନ୍ୟପକ୍ଷରେ ଶତାଧିକ କଚ୍ଚା ଘର ଭାଙ୍ଗିଯାଇଥିବା ବେଳେ ଚାଷ ଜମିରେ ପାଣି ମାଡ଼ି ନଷ୍ଟ ହୋଇଛି ।
ରାସଗୋବିନ୍ଦପୁର ବ୍ଲକର ଭେଡିସାହି, ପଦ୍ମତୋଳିଆ, ମୁରୁଡ଼ା, ହାଣ୍ଡିଧୁଆ, ପାଞ୍ଚମାଣିଆ, ଡୁହିଲପୁରା, ପିଙ୍ଗୁଡି,ଭୋଗବାଟି, ଏକତାଲି, ସାତଶଗଡ଼ିଆ ଆଦି ୨୦ରୁ ଉର୍ଦ୍ଧ୍ବ ଗାଁ ଲୋକେ ପାଣି ଘେରରେ ରହିଛନ୍ତି। ରାସଗୋବିନ୍ଦପୁର ବ୍ଲକ ଜମ୍ଭୀରା ନଦୀ କୂଳରେ ଥିବା ବିଭିନ୍ନ ଗାଁରୁ ଓଡ୍ରାଫ ଟିମ୍ ଦ୍ବାରା ଗ୍ରାମବାସୀଙ୍କୁ ଉଦ୍ଧାର କାର୍ୟ୍ୟ ଜାରି ରହିଛି । ତେବେ ଜଳବନ୍ଦୀ ମୋରଡା ଓ ହାଣ୍ଡିଧୂଆ ଗ୍ରାମରେ ରନ୍ଧା ଖାଦ୍ୟ ଏବଂ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଥିବା ଦେଖିବାକୁ ମିଳିଛି। ମହାମାରୀ କରୋନାରେ ଲୋକଙ୍କ ଆର୍ଥିକ ସ୍ଥିତି ଭୁଶୁଡି ପଡିଥିବା ବେଳେ ଏବେ ବନ୍ୟା ବିଭୀଷିକା ଏ ଅଞ୍ଚଳବାସୀଙ୍କ ଉପରେ ବେଡି ଉପରେ କରୋଡ଼ା ସଦୃଶ ହୋଇଛି। ବନ୍ୟା କ୍ଷତିଗ୍ରସ୍ତ ଲୋକେ ସରକାରୀ ସହାୟତାକୁ ଅପେକ୍ଷା କରିଛନ୍ତି। ବାରମ୍ବାର ବନ୍ୟା ହେଉଥିବା ଯୋଗୁଁ ବାତ୍ୟା ଆଶ୍ରୟସ୍ଥଳୀ ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି।