ଭୁୁବନେଶ୍ୱର/ସୁର୍ଜିତ ଧଳ: ଗୋପାଳ ପୁର ବିଧାୟକ ବିଜେଡିରୁ ଅତି ଅପମାନଜନକ ସ୍ଥିତିରେ ବହିଷ୍କୃତ ହୋଇଥିଲେ । ବହିଷ୍କାରର ୫ମ ଦିନ ପରେ ତାଙ୍କୁ ଆଜି ଉଠାଇ ନିଆଯାଇଥିବା ଅଭିଯୋଗ କରିଛନ୍ତି ତାଙ୍କ ପତ୍ନୀ ସୁଜାତା ପାଣିଗ୍ରାହୀ । କିଛି ଲୋକ ନିଜକୁ କ୍ରାଇମବ୍ରାଞ୍ଚର ଅଧିକାରୀ ପରିଚୟ ଦେଇ ତାଙ୍କୁ ଉଠାଇ ନେଇଛନ୍ତି । ତାଙ୍କ ସ୍ୱାମୀଙ୍କର କିଛି ହେଲେ ମୁଖ୍ୟମନ୍ତ୍ରୀ ଦାୟୀ ରହିବେ ବୋଲି ସୁଜାତା କହିଛନ୍ତି । ଏଥିସହ, ଜଣେ ନକ୍ସଲକୁ ଯେପରି ଫୋର୍ସ ଲଗାଇ ଉଠାଇ ନିଆଯାଏ ସେମିତି ପାଣିଗ୍ରାହୀଙ୍କୁ ଉଠାଇ ନିଆଯାଇଥିବା ତାଙ୍କ ପତ୍ନୀ କହିଛନ୍ତି ।
ତେବେ ପ୍ରଦୀପ କୁଆଡେ ଯାଇଛନ୍ତି ଏନେଇ ପୁଲିସ ବା ସରକାର ପକ୍ଷରୁ କିଛି ସ୍ପଷ୍ଟିକରଣ ଦିଆଯାଇନାହିଁ । ବାସ୍ତବରେ ପ୍ରଦୀପଙ୍କୁ କ୍ରାଇମବ୍ରାଞ୍ଚ ନେଇଛି କି ତାଙ୍କୁ ଷଡଯନ୍ତ୍ର କରି ଉଠାଇ ନିଆଯାଇଛି ତାକୁ ନେଇ ଚର୍ଚ୍ଚା ହେଉଛି । ପୁଲିସ ପ୍ରଶାସନ ଓ ସରକାରର ଏତାଦୃଶ କାର୍ଯ୍ୟକୁ ନେଇ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ବିଗତ ପ୍ରାୟ ୨ ମାସ ହେବ ବାରମ୍ବାର ପୁଲିସ ଏପରି ନିରୀହ ଲୋକଙ୍କୁ ଉଠାଇ ନେବା ପରି ଘଟଣା ସାଧାରଣ ହୋଇଯାଇଛି । ପୂର୍ବରୁ ସାମ୍ବାଦିକଙ୍କୁ ପୁଲିସ ଉଠାଇ ନେଉଥିବା ବେଳେ ଏବେ ଜଣେ ବିଧାୟକଙ୍କୁ ଉଠାଇ ନିଆଯିବାକୁ ନାପସନ୍ଦ କରୁଛନ୍ତି ବୁଦ୍ଧିଜୀବୀ । ରାଜ୍ୟରେ ସରକାର ଗୁଣ୍ଡାରାଜ ଚଳାଇଥିବା ଚର୍ଚ୍ଚା ହେଉଛି ।
ଅପର ପକ୍ଷରେ ଓଡିଶା ପୁଲିସର କ୍ରାଇମବ୍ରାଞ୍ଚ ଶାଖାର ଟ୍ୱିଟର ପେଜରେ ପ୍ରଦୀପ ପାଣିଗ୍ରାହୀଙ୍କୁ ସିଆଇଡି ସିବି ସାଇବର କ୍ରାଇମ ପିଏସ କେଶ ନମ୍ବର ୨୬/୨୦୨୦ରେ ପଚରା ଉଚରା ହୋଇଥିବା ଏକ ସୂଚନା ଦିଆଯାଇଛି ।